ଲଗାଣ ବର୍ଷାରେ ବଢୁଛି କୋଲାବ ନଦୀର ଜଳସ୍ତର : ଅନେକ ଗାଁ ଜଳବନ୍ଦୀ

କୋରାପୁଟ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଲଗାଣ ବର୍ଷା ଯୋଗୁ ମାଲକାନଗିରି ଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଗତକାଲିଠୁ ଜଳ ପ୍ରଳୟ ସ୍ଥିତି ଉପୁଜିଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି । ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଲଗାଣ ବର୍ଷା ଯୋଗୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବଢିଛି ଜଳସ୍ତର। ଫଳରେ ଜଲାପୁଟ ଡ୍ୟାମର ୨ଟି ଓ ସ୍ପିଲୱେ ଡ୍ୟାମରୁ ୪ଟି ଗେଟ୍ ଖୋଲିଛି । ଜଲାପୁଟ ଡ୍ୟାମର ଜଳ ଧାରଣ କ୍ଷମତା ୨ ହଜାର ୭୫୦ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ରହିଛି ୨ ହଜାର ୭୪୯ ଫୁଟ୍ ଛୁଇଁଛି ଜଳସ୍ତର ।

ସେହିପରି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଥିବା କୁରଲୁ ଓ ବିରି ନଦୀଫୁଲୁଛି । ଫଳରେ କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି ।

ସୂଚନାଯୋଗ୍ୟ, ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.