ଡିଜେ-ମୁକ୍ତ ରୋଷଣୀ, ନିଶା-ମୁକ୍ତ ଭାସାଣୀ ଓ ପଲିଥିନ-ମୁକ୍ତ ପୂଜାର ଆହ୍ୱାନ

  • ଅକ୍ଟୋବର ୯ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ୧୪ରେ ଭାସାଣୀ
  • କଟକ ମହାନଗର ଶାନ୍ତି କମିଟିର ପ୍ରସ୍ତୁତି ମହାସଭାରେ ନିଷ୍ପତ୍ତି

କଟକ,୦୯-୦୯-୨୦୨୪(ପିପିଏସ) : ଅକ୍ଟୋବର ୯ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୧୪ରେ ଭାସାଣୀ ଉତ୍ସବ ଅନୁଷ୍ଠିତ ହେବ ଏବଂ ନିଶା-ମୁକ୍ତ ଭାସାଣୀ, ଡିଜେ-ମୁକ୍ତ ରୋଷଣୀ ଓ ପଲିଥିନ-ମୁକ୍ତ ପୂଜା ପାଳନ କରିବାକୁ କଟକ ମହାନଗର ଶାନ୍ତି କମିଟିର ମହାସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଏହି ଉପଲକ୍ଷେ ସି.ଡ଼ି.ଏ. ସେକ୍ଟର-୬ସ୍ଥିତ ୱିଣ୍ଡସର ପ୍ଲେସଠାରେ ଅନୁଷ୍ଠିତ ମହାସଭାରେ ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ଅଧ୍ୟକ୍ଷତା କରିଥିଲେ |

ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ “ବନ୍ଦେ ଉତ୍କଳ ଜନନୀ” ଦେଶାତ୍ମକବୋଧ ସଂଗୀତ ସମୂହ ଭାବେ ଗାନ କରାଯାଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା | ଏଥିମଧ୍ୟରେ ସ୍ଵର୍ଗାରୋହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବିଭିନ୍ନ ପୂଜା କମିଟି ପଦାଧିକାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା | କମିଟି ପକ୍ଷରୁ ଉପସ୍ଥିତ ଥିବା ଅତିଥି ଓ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା |

ସାଧାରଣ ସମ୍ପାଦକ ଭିକାରୀ ଦାସ ୨ଠ୨୩-୨୪ ବର୍ଷର ଆୟ-ବ୍ୟୟ ହିସାବ ସହ ଚଳିତ ବର୍ଷ ଦୁର୍ଗାପୂଜା ସଂକ୍ରାନ୍ତୀୟ ପ୍ରସ୍ତାବଗୁଡିକର ମୁଖ୍ୟାଂଶ ଆଗତ କରିଥିଲେ | ସେଗୁଡିକ ହେଲା-ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାସାଣୀ ଶୋଭାଯାତ୍ରା ନିମନ୍ତେ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଅନୁମତି ପ୍ରଦାନ, ପୂର୍ବବର୍ଷମାନଙ୍କ ଭଳି ଗଳି ରାସ୍ତାରୁ ଗୋଟିଏ ଏବଂ ମୁଖ୍ୟ ରାସ୍ତାରୁ ଦୁଇଟି ମେଢ଼ ପରିକ୍ରମା ପଦ୍ଧତି ପାଳନ, ଚାନ୍ଦିନୀଚୌକର ପୁରାତନ ମେଲଣରେ ଯୋଗ ଦେବାକୁ ଅନୁମତି ପ୍ରଦାନ, ଶୋଭାଯାତ୍ରାକାରୀଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଏଲ.ଆଇ.ସି. ଅଫିସ ସମ୍ମୁଖ ପଡିଆରେ ମେଢ଼ ରଖିବା, ଷଷ୍ଠୀଠାରୁ ଦ୍ୱାଦଶୀ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, ରିହାତି ମୂଲ୍ୟରେ ମଣ୍ଡପଗୁଡିକୁ ବିଦ୍ୟୁତ ଯୋଗାଇବା ସହ ପୂଜା ସମୟରେ ଯେପରି ବିଦ୍ୟୁତ କାଟ ନ ହୁଏ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ କଣ୍ଟ୍ରୋଲ ରୁମ, ପାନୀୟ ଜଳ ଓ ଭ୍ରାମ୍ୟମାଣ ଶୌଚାଳୟ, ପର୍ଯ୍ୟାପ୍ତ ପରିମାଣରେ ଆଲୋକ ବ୍ୟବସ୍ଥା କରିବା, ମେଢ଼ ବିସର୍ଜନ ନିମନ୍ତେ ଦେବୀଗଡା ରାସ୍ତାର ମରାମତି ବା ପୁନଃନିର୍ମାଣ କରିବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା, ସମଗ୍ର ଅଞ୍ଚଳକୁ ଆଲୋକୀକରଣ ସହ ମୂର୍ତ୍ତି ବିସର୍ଜନ ନିମନ୍ତେ ୪/୫ଟି ଜଳପୂର୍ଣ୍ଣ କୃତ୍ରିମ ପୋଖରୀ ଖୋଳିବା, ସହରର ମୁଖ୍ୟ ଓ ଗଳିକନ୍ଦି ରାସ୍ତାଘାଟ ମରାମତି ବା ପୁନଃନିର୍ମାଣ ସହ ମଳବା ଓ ଅଳିଆ ଆବର୍ଜନା ପରିଷ୍କାର କରିବା, ରାସ୍ତାର ଷ୍ଟ୍ରିଟ ଲାଇଟଗୁଡିକୁ କାର୍ଯ୍ୟକ୍ଷମ କରିବା, ଅସମ୍ପୂର୍ଣ୍ଣ ଜାଇକା କାମ ତୁରନ୍ତ ସାରିବା ସହ ନୂତନ କାମ ଆରମ୍ଭ କରିବାକୁ ଅନୁମତି ନ ଦେବା, ଆବଶ୍ୟକ ସ୍ଥଳେ ଡ୍ରେନରେ ସ୍ଲାପ ପକାଇବା, ମେଢ଼ ଯାତାୟାତବେଳେ ପ୍ରତିବନ୍ଧକ ସୃଷ୍ଟି କରୁଥିବା, ଗଛଡାଳ କାଟିବା ସହ କେବୁଲ, ବିଦ୍ୟୁତ ଓ ଟେଲିଫୋନ ତାରଗୁଡିକ ଅପସାରଣ କରିବା ସହ ପୂଜା ସମୟରେ ରାସ୍ତାରେ ବ୍ଲିଚିଙ୍ଗ ପାଉଡର ପକାଇବାକୁ ରାଜ୍ୟ ସରକାର ଓ ମହାନଗର ନିଗମକୁ ନିବେଦନ କରାଯାଇଥିଲା | ଏହି ପ୍ରସ୍ତାବଗୁଡିକ ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା |

ଏହି ମହାସଭାରେ କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀ, କଟକ ମହାନଗର ନିଗମ ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟିକା ଇଂ.ସୋଫିଆ ଫିର୍ଦ୍ଦୋଷ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଡ଼. ପ୍ରଭାତରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, କଟକ ଡ଼ି.ସି.ପି. ପ୍ରକାଶ ଆର, ଏ.ଡ଼ି.ସି.ପି. ଅନିଲ ମିଶ୍ର, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କଟକ ନଗର ବି.ଜେ.ଡି ସଭାପତି ମଧୁସୂଦନ ସାହୁ, ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ସି.ପି.ଆଇ. ନେତା ଅମରେନ୍ଦୁ ମହାନ୍ତି, ସି.ପି.ଆଇ.(ଏମ) ସମ୍ପାଦକ ବଦ୍ରିନାରାୟଣ ଦାସ, ସମାଜସେବୀ ଡ଼. ରଞ୍ଜନକୁମାର ବିଶ୍ୱାଳ ଏବଂ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ସର୍ବଶ୍ରୀ ପ୍ରଦୀପ ସିହ୍ନା, ପୃଥ୍ୱୀରାଜ ସାହୁ, ନୃସିଂହଚରଣ ଚୌଧୁରୀ ପ୍ରମୁଖ ଭାଷଣ ଦେଇଥିଲେ | ଅତିଥିମାନଙ୍କ ଦ୍ୱାରା ଶାନ୍ତି କମିଟିର କର୍ମକର୍ତ୍ତାମାନଙ୍କୁ ମଞ୍ଚରେ ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷରେ କମିଟିର ଉପସଭାପତି ଧର୍ମେଶ ନାୟକ

Leave A Reply

Your email address will not be published.