Prajatantra The Voice

News Portal

୩ ନମ୍ବର ଲଞ୍ଚପ୍ୟାଡରୁ କ୍ଷେପଣାସ୍ତ୍ରର ପରୀକ୍ଷଣ

  • ସ୍ବଦେଶୀ ଜ୍ଞାନକୌଶଳ ରେ ନିର୍ମିତ ସ୍ବଳ୍ପ ଦୂରଗାମୀ ମିସାଇଲ
  • ରାଡାରରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ କରୁଛନ୍ତି ସମୀକ୍ଷା
  • ଅଢେଇ କିଲୋମିଟର ପରିଧିରେ ୩୧୦୦ ଲୋକଙ୍କୁ କରାଯାଇଥିଲା ସ୍ଥାନାନ୍ତର

ବାଲେଶ୍ବର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଅପରାହ୍ନ ୩ଟା ୧୯ ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା ଭିଏଲ୍‌-ଏସ୍‌ଆରଏସ୍‌ଏଏମ୍‌(ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପରୀକ୍ଷଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ଡିଆରଡିଓର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।

ସ୍ବଳ୍ପ ଦୂରଗାମୀ ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ପରୀକ୍ଷଣ ପାଇଁ ୩ ନମ୍ବର ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ସାହାଜାନଗର ପାଣିର ୧୦୯୩ ଜଣ, ଭୀମପୁର ପାହି, ତୁଣ୍ଡରା ପାହିର ୮୯୫ ଜଣ, ଖଡୁପାହି, କୁସୁମୁଳୀ ଗାଁର ୧୧୧୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥିଲା। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *