ସମବେତ ପ୍ରାର୍ଥନାର ନୂତନ ଧାରା ସୃଷ୍ଟି କରିବ ଗଣେଶ ମହୋତ୍ସବ:ଭର୍ତ୍ତୃହରି ମହାତାବ
କଟକ/୦୯-୦୯-୨୦୨୪(ପିପିଏସ): ଆମ ସମାଜରେ ଉତ୍ସବର ସର୍ବଦା ଆବଶ୍ୟକତା ରହିଛି। ଉତ୍ସବ ଉତ୍ସାହ ଯୋଗାଇବା ସହ ନିଜ ସାମର୍ଥ୍ୟଙ୍କୁ ଆବିଷ୍କାର କରିଥାଏ ଓ ଏକାଠି ହେବାର ସୁଯୋଗ ସୃଷ୍ଟି କରେ କଟକ-ଭୁବନେଶ୍ବର ଦୈତନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୩୧ତମ ଗଣେଶ ମହୋତ୍ସବର ଉଦ୍ଘାଟନୀ ସମାରୋହ ଗଣତନ୍ତ୍ରରେ ଏକାଠି ହେବା ଗୁରୁତ୍ବପୂର୍ଣ୍ଣ। ସଂପ୍ରତି ଅନେକ କ୍ଷେତ୍ରରେ ରାଜନେତାଙ୍କ ପାଇଁ ମାଟି ଅପେକ୍ଷା ପାର୍ଟି ଅଧିକ ଗୁରୁତ୍ବ ବହନ କରୁଥିବା ବେଳେ ନାଗରିକ ସମାଜର ଦାୟିତ୍ବ ବଢ଼ିଯାଇଛି। ଗଣେଶ ମହୋତ୍ସବ କମିଟି ଲୋକମାନଙ୍କୁ ଏକାଠି କରି ନାଗରିକ ସମାଜର ପ୍ରକୃତ ଦାୟିତ୍ବ ନିର୍ବାହ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ। ମହୋତ୍ସବକୁ ଉଦ୍ଘାଟନ କରି ସାଂସଦ ଭର୍ତ୍ତୃହରି ମହାତାବ କହିଲେ ଯେ, ହିନ୍ଦୁ ଧର୍ମରେ ଭଗବାନଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବା ବିଧି ବ୍ୟବସ୍ଥା ରହିଛି। କିନ୍ତୁ ଏକାଠି ହୋଇ ପ୍ରାର୍ଥନା କରିବା ଅନ୍ୟ ଧର୍ମରେ ରହିଥିବା ବେଳେ ହିନ୍ଦୁ ଧର୍ମରେ ଦେଖାଯାଏ ନାହିଁ। ଗଣେଶ ମହୋତ୍ସବ ଏହି ଅଭାବକୁ ଦୂର କରି ସମବେତ ପ୍ରାର୍ଥନାର ନୂତନ ଧାରା ସୃଷ୍ଟି କରିବ ବୋଲି ସାଂସଦ ଶ୍ରୀ ମହତାବ କହିଥିଲେ। ସମ୍ମାନିତ ଅତିଥି ମେୟର୍ ସୁବାସ ଚନ୍ଦ୍ର ସିଂ ଗଣେଶ ମହୋତ୍ସବ ଭଳି ଉତ୍ସବ କଟକ ସହରରେ ନୂଆ ଧାରା ସୃଷ୍ଟି କରିବ ବୋଲି କହିଥିଲେ। କଟକ-ଭୁବନେଶ୍ବର ଦୈତନଗରୀ ଗଣେଶ ପୂଜା କମିଟି ସଭାପତି ସରୋଜ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଅଭିନେତା ଶ୍ରୀତମ ଦାସ, ଲଲାଟେନ୍ଦୁ ବଡ଼ୁ, ସରୋଜ ଛୋଟରାୟ, ନଥମଲ ଚମାନୀ, ପ୍ରଫେସର ଯୋଗଶଙ୍କର ମହାପ୍ରଶସ୍ତ, ମନୋରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ।
ଦିଲ୍ଲୀପ ରାୟ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡକ୍ଟର ପ୍ରବୀଣ ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାଜସେବୀ କ୍ଷୀରୋଦ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ସମାରୋହରେ ସହରର ୧୦ଟି କ୍ଲବ୍କୁ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ କରାଯାଇଥିଲା। କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବସ୍ଥଳରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଜନ୍ମଦିନ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ରୀଡ଼ାବିତ ସ୍ବୟମ୍ କିରଣ ସାହୁଙ୍କୁ ଶ୍ରୀ ଗଣେଶ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମାରୋହ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଉପରବାଲିଯାତ୍ରା ପଡ଼ିଆରେ ଚାଲିବ।