
ଲାଞ୍ଜିଗଡ଼/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରବିବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନି। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଛି। ବିଭିନ୍ନ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ଜମିବା ସହିତ ଘରଗୁଡିକରେ ମଧ୍ୟ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବାତେଲିମା ପଞ୍ଚାୟତ ଚଣାଲିମା ଗାଁରେ ବର୍ଷାପାଣି ପଶିଯିବାରୁ ଲୋକେ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ ଓ ଗୁହାଳ ଘରେ ଆଣ୍ଠୁଏ ବର୍ଷାପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେହିପରି ଛତ୍ରପୁର, ପାଇକପଡା, ବଳଭଦ୍ରପୁର, ସିମିଳିଭଟା, ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା, ହସ୍ପିଟାଲ, ଥାନା ପଛପଟ ଗଳି, ବଡପଡା, ଚମ୍ପାଦେଇପୁର, ବିଶ୍ୱନାଥପୁର, ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁରେ ମଧ୍ୟ ଘରଗୁଡ଼ିକରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ଏପରିକି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ଅଗ୍ନିଶମ ବିଭାଗ ଦ୍ୱାରା ଅବରୋଧ ହଟାଯାଇଛି। ଲାଞ୍ଜିଗଡ଼ ଥାନା ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିକଡେ ପାଣି ଜମିଯିବାରୁ ବିପଦ ଆଶଙ୍କା କରି ଲାଞ୍ଜିଗଡ଼ ସହରରେ ବିଦ୍ୟୁତକାଟ କରାଯାଇଛି। ଲାଞ୍ଜିଗଡ଼ କାଶିବାଡି ନିକଟସ୍ଥ ପୋଲରେ ମାଟି ଧସି ରାସ୍ତା ଅଧା ଧୋଇଯାଇଛି। ଲଗାଣ ବର୍ଷା ଜାରି ରହିଥିବାବେଳେ ଲୋକେ ଏବେ ଆଶା ଆଶଙ୍କାରେ ରହିଛନ୍ତି। ଲାଞ୍ଜିଗଡ଼ରୁ ମୁନିଗୁଡା ଯିବା ରାସ୍ତାରେ ତିନି ଫୁଟ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।