ଯାଜପୁର (ପିପିଏସ ) ଦୈତାରୀ ଖଣିରୁ ପରିବହନ ହେଉଥିବା ଲୁହାପଥର ଚୋରୀ କରି ମାଫିଆ ମାଲେମାଲ ହେଉଛନ୍ତି l କଳିଙ୍ଗନଗର ଥାନା ଅଧିନ ଶଗଡଗୁଳା ଅଞ୍ଚଳ ଲୌହ ଖଣିଜ ମାଫିଆଙ୍କ ଅଭାୟରଣ୍ୟ ପାଲଟିଥିବା ବେଳେ ଗୁରୁବାର ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ହସ୍ତକ୍ଷେପ ପରେ ଖଣି ବିଭାଗ ପକ୍ଷରୁ ୧୨ ଟନ ଲୁହାପଥର ଜବତ କରାଯାଇଛି l ଜବତ ସ୍ଥାନରୁ ଅଳ୍ପ କିଛି ଦୂରରେ ଲୁଚାଇ ରଖାଯାଇଥିବା ଅନ୍ୟ ୫ ଟିପର ଲୁହାପଥର ସମ୍ପର୍କରେ ଚଢାଉ ଦଳ ଟେର ପାଇନଥିବା ଜଣାପଡ଼ିଛି l
ଶିଳ୍ପାଞ୍ଚଳର ମାନପୁର ରେଳ ସାଇଡିଂ କୁ ଆସୁଥିବା ଲୌହ ପଥର କୁ ଯୋଜନାବଦ୍ଧ ଭାବେ ଚୋରି କରାଯାଇ ବିକ୍ରି ହେଉଥିବା ଜଣାପଡ଼ିଛି l ଗତ ୪ ଦିନ ମଧ୍ୟରେ ଅନ୍ୟୁନ ୨୦ ଲକ୍ଷ ଟଙ୍କାର ଲୁହାପଥର ବିକ୍ରି ହୋଇଥିବା ବେଳେ ବଳକା ରହିଥିବା ଖଣିଜ କୁ ଖଣି ବିଭାଗ ଟିମ ସେଠାରୁ ଜବତ କରିଛି l ତେବେ ଏହି ଚୋରା କାରବାର ପଛରେ ଟମକା ଓ ବ୍ରାହ୍ମଣୀପାଳ ଅଞ୍ଚଳର କେତେକ ମାଫିଆ ସମ୍ପୃକ୍ତ ରହିଥିବା କୁହାଯାଉଛି l ପୁଲିସ କୁ ହାତ କରି ଦୀର୍ଘ ଦିନ ଧରି ଯୋଜନାବଦ୍ଧ ଭାବେ ଏହି କାରବାର ଚାଲିଥିବା ବେଳେ ଏସ୍. ପି ଙ୍କ ହସ୍ତକ୍ଷେପ ପରେ ଆଜି ଖଣି ବିଭାଗ ଆଂଶିକ ସଫଳତା ପାଇଛି lସୂଚନା ମୁତାବକ ଦୈତାରୀ ଖଣି ରୁ ଟିପ୍ପର ଯୋଗେ ମାନପୁର ରେଳ ସାଇଡିଂ କୁ ପରିବହନ ହେଉଥିବା ଲୁହାପଥର କୁ ଟ୍ରାନ୍ସପୋର୍ଟର କର୍ମଚାରୀ ଙ୍କ ସମ୍ପୃକ୍ତି ରେ ଲୁଟ କରାଯାଇ ବିକ୍ରି ହେଉଥିବା ଜଣାପଡ଼ିଛି l କାରବାରରେ ସାମିଲ ନିର୍ଦ୍ଧିଷ୍ଟ କେତେକ ଟିପ୍ପର ମାନପୁର ରେଳ ସାଇଡିଂ ନଆସି ଶଗଡ଼ଗୁଳା ରେ ଗାଡି ଖାଲି କରିଥାନ୍ତି l ଉକ୍ତ ଗାଡି ଗୁଡିକ କିନ୍ତୁ ରେଳ ପ୍ଲଟରେ ପହଞ୍ଚି ଲୁହାପଥର ଖାଲି କରିଥିବା ପ୍ରଦର୍ଶନ କରାଯାଇଥାଏ l ମାଫିଆ ମାନେ ପୁଲିସ କୁ ହାତ କରି ନିୟମିତ ବ୍ୟବଧାନରେ ବହୁ ଲକ୍ଷ ଟଙ୍କା ର ଲୁହାପଥର ବିକ୍ରି କରିବାକୁ ସକ୍ଷମ ହୋଇଥାନ୍ତି l ଏହି କାରବାର ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏସପି ଏହାର ନିରପେକ୍ଷ ତଦନ୍ତ କରାଇଲେ ବହୁ ବିସ୍ଫୋରକ ତଥ୍ୟ ବାହାରି ପାରନ୍ତା l
ଗୁରୁବାର ପୂର୍ବାହ୍ନରେ ହୋଇଥିବା ଚଢାଉ ରେ ଖଣି ଅଧିକାରୀ ଇନ୍ଦ୍ରମଣି ରାଉତ, ସହକାରୀ ଖଣି ଅଧିକାରୀ କ୍ଷିତିଶ ସା, କନିଷ୍ଠ ଖଣି ଅଧିକାରୀ ଆଶିଷ କୁମାର ସାହୁ ଓ କାହ୍ନୁ ଚରଣ ଦେହୁରୀ ପ୍ରମୂଖ ସାମିଲ ରହିଥିଲେ l ଉକ୍ତ ଦଳ ମଡେଲ ସ୍କୁଲ ପଛ ପାଖରେ ମହଜୁଦ ଥିବା ୧୨ ଟନ ଲୁହାପଥର ଜବତ କରିଥିଲେ l ସେଠାରୁ ୬୦/୭୦ ଟନ ଲୁହାପଥର ଗତ ଦିନେ ଦୁଇ ଦିନ ମଧ୍ୟରେ ବିକ୍ରୀ ହୋଇଥିବା ଘଟଣା ସ୍ଥଳର ଦୃଶ୍ୟ ଦେଖିଲେ ସ୍ପଷ୍ଟ ଜଣା ପଡୁଛି l ଜବତ ଲୁହାପଥର କୁ ନିକଟସ୍ଥ ବି. ସି ମହାନ୍ତି କାରଖାନା ପରିସରରେ ରଖାଯାଇଛି l ତେବେ ଏଠାରୁ ପ୍ରାୟ ୬୦୦ ମିଟର ଦୂରରେ ମାଫିଆ ମାନେ ୬୦ ଟନ ରୁ ଅଧିକ ଚୋରା ଲୁହାପଥର ଲୁଚାଇ ରଖିଥିବା ବେଳେ ସେଠାରେ ଚଢ଼ାଉ ଦଳ ପହଁଚି ପାରିନାହିଁ l ଏହି ଚୋରା କାରବାର ହୋଇଛି ପ୍ରସଙ୍ଗରେ ଖଣି ଉପନିର୍ଦ୍ଦେଶକ ଙ୍କ ମତାମତ ନେବାକୁ ଚେଷ୍ଠା କରାଯାଇଥିବା ବେଳେ ସେ ବ୍ୟସ୍ତ ଥିବା କହି ଫୋନ କାଟି ଦେଇଥିଲେ l
