ମାସକର ଛୁଆକୁ ଚେଙ୍କ 

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଅସୁସ୍ଥ ମାସକର ଶିଶୁକୁ ଚେଙ୍କ ଚିକିତ୍ସା। ଅବସ୍ଥା ଆହୁରି ଗୁରୁତର ହେବାରୁ ଆଜି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାପକ ସଚେତନତା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ବନ୍ଦ ହୋଇନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ଉମରକୋଟ/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ଅସୁସ୍ଥ ମାସକର ଶିଶୁକୁ ଚେଙ୍କ ଚିକିତ୍ସା। ଅବସ୍ଥା ଆହୁରି ଗୁରୁତର ହେବାରୁ ଆଜି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାପକ ସଚେତନତା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ବନ୍ଦ ହୋଇନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଚନ୍ଦାହାଣ୍ଡି ବ୍ଲକ୍‌ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଣ୍ଡେଲପାର ଗାଁର ସରୋଜ କୁମାର ନାୟକଙ୍କ ମାସକର ପୁଅ ୧୦ଦିନ ତଳେ ଅସୁସ୍ଥ ହୋଇଥିଲା। ଜ୍ବରରେ କଂପିବା ସହ ରାହା ଧରି କାନ୍ଦିଥିଲା। ଏମିତି ପରିସ୍ଥିତିରେ ପରିବାର ଲୋକ ଡାକ୍ତରଖାନା ନେବା ପରିବର୍ତ୍ତେ ଚେଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ପେଟରେ ୩୦ରୁ ଅଧିକ ଥର ଚେଙ୍କ ଦିଆଯାଇଛି। ଚେଙ୍କ ଦିଆଯିବା ପରେ ନବଜାତ ଶିଶୁ କିଛି ଦିନ କାନ୍ଦି ନଥିଲା। ତେବେ ଆଜି ଅପରାହ୍‌ଣରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକ ଉମରକୋଟ ଡାକ୍ତରଖାନାକୁ ଆଣିଥିଲେ। ଶିଶୁକୁ କିଏ ଚେଙ୍କ ଦେଲା ପରିବାର ଲୋକ ମୁହଁ ଖୋଲୁନାହାନ୍ତି। ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ସିଡିଏମ୍‌ଓ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଏହି ଖବର ପାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିଜେ ଉମରକୋଟ ଆସି ଶିଶୁର ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ସୂଚନା ମିଳିଛି। ଶିଶୁ ଯେମିତି ସୁସ୍ଥ ହୋଇ ଘରକୁ ଫେରିବ ତାହାକୁ ଗୁରୁତ୍ବ ଦିଆଯାଉଛି। ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

Leave A Reply

Your email address will not be published.