ନିମ୍ନମାନର ରାଜରାସ୍ତା: ବର୍ଷକରେ ଉଠିଲା ପିଚୁ

କୋରାପୁଟ/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ପୂର୍ତ୍ତବିଭାଗ ପକ୍ଷରୁ ମାତ୍ର ବର୍ଷକ ତଳେ ପୁନଃରୁଦ୍ଧାର ହୋଇଥିଲା ରାଣୀଗଡ଼ରୁ ବାଲିପୁଜାରୀପୁଟ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା। ଏଥି ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଇଥିଲା। ଅଦିନିଆ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଦିଆଯାଇଥିବା ପିଚୁ ଓ ଚିପସ୍ ଓ ବଜୁରୀ ସବୁ ବାହାରି ପଡିଛି। ରାସ୍ତା ପାର୍ଶ୍ବରେ ଏସବୁ ଜମା ହୋଇ ରହିଛି। ଲକ୍ଷାଧିକ ଟଙ୍କା ବ୍ୟ‌ୟରେ ନିର୍ମାଣ କରିଥିବା ଏହି ରାସ୍ତାର ଅବସ୍ଥାକୁ ଦେଖିକି ତୁରନ୍ତ ରାସ୍ତାର ଯାଂଚ କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ରାଣୀଗଡ, କେବିଡି, କୁମ୍ଭାରପୁଟ ଅଂଚଳବାସୀ।

ଏହି ରାସ୍ତା ଏବେ ଜିଲ୍ଲାର ଲାଇଫ ଲାଇନ୍ ହୋଇଛି। ରାସ୍ତାରେ ଦିନକୁ ଶହଶହ ଭାରୀଯାନ ଯିବା ଆସିବା କରୁଛନ୍ତି। ରାସ୍ତା ନିର୍ମାଣ ସମୟରେ ବିଭାଗର ବିଭାଗୀୟ ବୈଷୟିକ ଯନ୍ତ୍ରୀ ଆଦି ଉପଯୁକ୍ତ ତଦାରଖ ଏବଂ ଉପସ୍ଥିତ ରହିବା ଫଳରେ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ଅଂଚଳବାସୀ କହିଛନ୍ତି। ରାସ୍ତା ନିର୍ମାଣ କରିବା ପରେ ରାସ୍ତା ଅନ୍ତତଃପକ୍ଷେ ୨ରୁ ୩ବର୍ଷ ପର୍ଯ୍ୟନ୍ତ ପୁରା ସମତଳ ହୋଇ ରହିବା ସହ ଫଟ ହଲ୍ ହେବା କିମ୍ବା ରାସ୍ତାରୁ ପିଚୁ, ବଜୁରୀ ଓ ଚିପସ୍ ବାହାରିବା କଥା ନାହିଁ। ରାସ୍ତା ଅବସ୍ଥା ଏଭଳି ହୋଇଛି ଯେ ଖାଲି ହାତରେ ରାସ୍ତା‌କୁ ସାମାନ୍ୟ ଖୋଳିଲେ ରାସ୍ତାରୁ ସବୁ କଂଚାମାଲ ଆପେ ଆପେ ବାହାରି ପଡ଼ୁଛି। ଏଭଳିକି ପିଚୁ ରାସ୍ତାରୁ ଘାସ ଗଛ ବାହାରୁଥିବାରୁ ରାସ୍ତା କିଭଳି ଗୁଣାତ୍ମକ ଭାବେ ନିର୍ମାଣ କରାଯାଇଛି ତାହା ସହଜେ ଅନୁମେୟ ବୋଲି ଅଂଚଳବାସୀ କହିଛନ୍ତି।

ଗୋଟିଏ ବର୍ଷାରେ ଯଦି ରାସ୍ତା ଅବସ୍ଥା ଏଭଳି ଏବେ  ଭାରୀଯାନ ଚଳାଚଳ ପରେ ରାସ୍ତାରୁ ବଳକା ଥିବା ପିଚୁ ବାହାରି ପଡ଼ିବ। ମେଟାଲ କିମ୍ବା ମାଟି ମୋରମର ରାସ୍ତାରେ ପରିଣତ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଅଂଚଳବାସୀ କହିଛନ୍ତି। ବିଭାଗୀୟ ଅଧିକାରୀ ଓ ଭିଜିଲାନସ୍ ପକ୍ଷରୁ ରାସ୍ତା ନିର୍ମାଣର ଗୁଣାତ୍ମକ, ସ୍ଥାୟୀତ୍ବକୁ ନେଇ ଯାଂଚ କରିବାର ଆବଶ୍ୟକତା ରହିଛି ବୋଲି ଅଂଚଳବାସୀ କହିଛନ୍ତି।

ରାଣୀଗଡରୁ ବୋରିଗୁମ୍ମା ଯାଏ ୧୭କିଲୋ ମିଟର ରାସ୍ତା ୧୦ବର୍ଷ ତଳେ ନିର୍ମାଣ ହୋଇଥିବା କହିଛନ୍ତି ଜୟପୁର ଡିଭିଜନ ପୂର୍ତ୍ତବିଭାଗର ନିର୍ବାହୀଯନ୍ତ୍ରୀ ଇଂ କ୍ଷୀରଧର କନ୍ଧପାଣୀ। ତେବେ ୨କିଲୋ ମିଟରର ପୁନଃରୁଦ୍ଧାର କରାଯାଇଥିଲା। ଏହି ଦୁଇ କିଲୋମିଟର ରାସ୍ତା‌ର ତଳ ଅଂଶରେ କିଛି ସମସ୍ୟା ରହିଛି। ତେଣୁ ଏହି ୨କିଲୋ ମିଟର ସହ ବଳକା ୧୫କିଲୋମିଟର ରାସ୍ତାର ସମ୍ପୁର୍ଣ୍ଣ ପୁନଃରୁଦ୍ଧାର ଏବଂ ଭାରୀଯାନ ଚଳାଚଳ କରିବା ଭଳି ରାସ୍ତାନିର୍ମାଣର ଡିପିଆର ଓବ୍ୟୟବରାଦ, ଡିଜାଇନ୍ ଆଦି ରାଜ୍ୟ ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।

Leave A Reply

Your email address will not be published.