ବାଲେଶ୍ୱର/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଫୁଲୁଛି ଜଳକା ଓ ବୈତରଣୀ ନଦୀ । ଏହି ଦୁଇଟି ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୬.oo ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୨ ମିଟରରେ ପ୍ରବାହିତ ହେଉଛି।ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ।
ଗତ କିଛି ଦିନ ହେଲା ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ- ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ନଦୀର ଜଳସ୍ତର ବି ବଢୁଛି। ଏଭଳି ବର୍ଷା ଲାଗି ରହିଲେ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିଲେ ଏବେ ରୁଆ ଯାଇଥିବା ଧାନ ତଳି ସବୁ ପଚି ଯିବା ସମେତ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି।
ସେହିପରି ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ରାଜଘାଟ ଓ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି।