୪ର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀ ଉଦଘାଟିତ
ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ) : ଶନିବାର ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ ରେ ହିନ୍ଦୀ ଦିବସ ଏବଂ ଚତୁର୍ଥ ସର୍ବଭାରତୀୟ ରାଜଭାଷା ସମ୍ମିଳନୀର ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଅମିତ ଶାହ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବଣ୍ଡି ସଞ୍ଜୟ କୁମାର, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ସଂସଦୀୟ ରାଜଭାଷା ସମିତିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ ଏବଂ ଭାଷାବିତ୍ ମାନେ ଉପସ୍ଥିତ ଥିଲେ । ହୀରକ ଜୟନ୍ତୀ ଉତ୍ସବରେ ମାନ୍ୟବର ଗୃହମନ୍ତ୍ରୀ ଏକ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରି ଏହି ଐତିହାସିକ ଦିନକୁ ଅବିସ୍ମରଣୀୟ କରିପାରିଛନ୍ତି । ଅତିଥିମାନେ ରାଜଭାଷା ଭାରତୀର ସ୍ୱତନ୍ତ୍ର ସଂଖ୍ୟା(ସ୍ମରଣିକା)କୁ ମଧ୍ୟ ଉନ୍ମୋଚନ କରିଥିଲେ । ଏଥିସହିତ ରାଜଭାଷା ବିଭାଗରେ ଏକ ଭାଷା ଉପବିଭାଗର ଶୁଭାରମ୍ଭ ହୋଇଥିଲା, ଯାହା ହିନ୍ଦୀ ଏବଂ ସମସ୍ତ ଭାରତୀୟ ଭାଷା ମଧ୍ୟରେ ଅନୁବାଦ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।