ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । କର୍କଟ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ ମସିହାରେ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ଜଣେ ଜର୍ମାନ୍ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ବିତ୍ତିହୋତ୍ରଙ୍କ ନାଁରେ । ରାଜସ୍ଥାନ ଅଲଓ୍ବାରକୁ ବୁଲିବାକୁ ଯାଇଥିବାବେଳେ ଦୁଷ୍କର୍ମ ଅଭିଯୋଗ ଥିଲା । ଘଟଣାକୁ ନେଇ ବିତ୍ତିଙ୍କୁ ରାଜସ୍ଥାନ ପୁଲିସ୍ ଗିରଫ କରିଥିଲା । ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । କୋର୍ଟ ବିତ୍ତିଙ୍କୁ ୭ ବର୍ଷ ଜେଲ ଏବଂ ୧୦ ହଜାର ଜରିମାନା କରିଥିଲେ। ପରେ ମାଆଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର। ପାରୋଲ ଅବଧି ଶେଷ ହେବା ପରେ ବି ଆଉ ଜେଲ ନଫେରି ଫେରାର୍ ହୋଇଯାଇଥିଲେ। ଦୀର୍ଘ ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡିଥିଲେ ବିତ୍ତିହୋତ୍ର। ସେଠାରେ ମିଛ ପରିଚୟ ପତ୍ର ଦେଇ ସେ ରହୁଥିଲେ। କିନ୍ତୁ ପୁଲିସ୍ ହାତରେ ଶେଷରେ ଧରାପଡିଯାଇଥିଲେ।