୨୪ ବର୍ଷରେ ଯାହା ହୋଇପାରି ନଥିଲା, ୮ ମାସରେ ତାହା ହୋଇପାରିଛି: ମୁଖ୍ୟମନ୍ତ୍ରୀ
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ପ୍ରସ୍ତାବର ଆଲୋଚନା କରିଛନ୍ତି। ଗତ ୧୩ ତାରିଖ ଦିନ ଚଳିତ ବର୍ଷ ପାଇଁ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ।

ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ପ୍ରସ୍ତାବର ଆଲୋଚନା କରିଛନ୍ତି। ଗତ ୧୩ ତାରିଖ ଦିନ ଚଳିତ ବର୍ଷ ପାଇଁ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ମାନ୍ୟବର ସଦସ୍ୟମାନେ ବିଚାର ବିମର୍ଶ ତଥା ଆଲୋଚନା କରିଛନ୍ତି। ମୁଁ ଏ ଗୃହର ସଦସ୍ୟମାନଙ୍କୁ ଏହି ଆଲୋଚନାରେ ଭାଗନେଇ ତାଙ୍କର ସୁଚିନ୍ତିତ ମତାମତ ରଖି ଥିବାରୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଯୁବସମାଜ ପାଇଁ ନିଯୁକ୍ତି, କୃଷକମାନଙ୍କ ପାଇଁ ସହାୟତା, ମହିଳା ସଶକ୍ତୀକରଣ ଏବଂ ଅବହେଳିତ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ଆମ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଅବତାରଣ କରିଛନ୍ତି। ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନା ସମୟରେ ବିଭିନ୍ନ ବିରୋଧୀଦଳର ସଦସ୍ୟ ମାନେ ଗୋଟିଏ କଥା ବାରମ୍ବାର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର ଆଠ ମାସରେ ବିଶେଷ କିଛି କରି ନାହାନ୍ତି। ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଏପରି ତୁଳନାରେ ମୁଁ ବହୁତ ଆନନ୍ଦିତ, କାରଣ ୨୪ ବର୍ଷ ଅର୍ଥାତ ୨୯୦ ମାସର ବିଗତ ସରକାରଙ୍କ କାର୍ଯ୍ୟକାଳ ସହିତ ବିରୋଧୀଦଳ ମୋ ଆଠ ମାସର କାର୍ଯ୍ୟକାଳକୁ ତୁଳନା କରୁଛନ୍ତି। କାରଣ, ସେମାନେ ଚାହୁଁଛନ୍ତି ଗତ ୨୪ ବର୍ଷରେ ଯେତିକି ବିକାଶ ହୋଇଥିଲା, ମାତ୍ର ଆଠ ମାସରେ ଆମେ ତା’ ଠୁ ଅଧିକ ବିକାଶ କରି ଦେଖାଇ ଥାଆନ୍ତୁ। ଆମେ କରିଛୁ ମଧ୍ୟ। ବିଗତ ସରକାରଙ୍କ ୨୪ ବର୍ଷରେ ଓଡିଶା କେତେ ପାଇଲା, କେତେ ପାଇ ପାରିଥାନ୍ତା, ତାହା ଉପରେ ଆଲୋଚନା କଲେ, ଏକ ଲମ୍ବା ତାଲିକା ହୋଇଯିବ। ବିଗତ ଦୁଇ ଦଶନ୍ଧିର ଶାସକ ଦଳ, ଏବଂ ବର୍ତ୍ତମାନର ବିରୋଧୀ ଦଳଙ୍କୁ ମୁଁ ବାଚସ୍ପତି ମହୋଦୟାଙ୍କ ମାଧ୍ୟମରେ ଏତିକି କହିବି ଯେ ଗତ ୨୪ ବର୍ଷରେ କୃଷି କ୍ଷେତ୍ରରେ ଏତେ ଅଗ୍ରଗତି ଆପଣ କରିଥିଲେ ଯେ ରାଜ୍ୟର ଚାଷୀଙ୍କ ଆୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ନିମ୍ନରୁ ଦ୍ୱିତୀୟ। ଉତ୍କଳ ଘଣ୍ଟ କବି ଯଦୁମଣି କହିଥିଲେ, ‘ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ’। ଚାଷୀଙ୍କୁ କୁଇଣ୍ଟାଲ ପିଛା ଯେଉଁ ୧୦୦ ଟଙ୍କା ବୋନସ ଦେବା ପାଇଁ ମିଛ ପ୍ରତିଶୃତି ଦିଆ ଯାଇଥିଲା, ତାହା ପୂରଣ କରିବାରେ ବିଫଳ ହେଲେ । କିନ୍ତୁ, ଆମ ସରକାର ୨୪ ବର୍ଷ ନୁହେଁ, ବରଂ ୨୪ ମିନିଟରେ ପ୍ରଥମ କ୍ୟାବିନେଟରେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟର ଅଧା ଜନସଂଖ୍ୟାଙ୍କୁ ମହିଳା ସଶକ୍ତିକରଣ ନାଁ’ରେ ଭ୍ରମିତ କରି ୨୪ ବର୍ଷ ପର୍ଯ୍ୟନ୍ତ ସ୍ଲୋଗାନରେ ଚାଲିଗଲା। କିନ୍ତୁ, ଆମ ସରକାର ମାତ୍ର ୨୪ ମିନିଟରେ ରାଜ୍ୟର ପ୍ରାୟ ଏକ କୋଟି ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ନିଷ୍ଫତ୍ତି ଗ୍ରହଣ କରି ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିସାରିଛନ୍ତି। ଏହି ସୁଭଦ୍ରା ଯୋଜନା ସହାୟତା ଏବଂ କୃଷକ ସମୃଦ୍ଧି ଯୋଜନା ଯୋଗୁଁ ଓଡିଶାର ମୁଣ୍ଡପିଛା ଆୟ, ବିଶେଷ ଭାବେ ଚାଷୀ ପରିବାରଙ୍କ ମାସିକ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ। ଯଦି ତୁଳନା କରିବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି ୨୪ ବର୍ଷର ସରକାର ବନାମ ୮ ମାସର ଆମ ସରକାର ମଧ୍ୟରେ ତୁଳନା। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ “ଲକ୍ଷପତି ଦିଦି” ଅଭିଯାନର ଉଦ୍ଦେଶ୍ୟ ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ବାର୍ଷିକ ଅତି କମରେ ୧ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବା। ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରାଜନୈତିକସ୍ତରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇସାରିଛି। ଏହି ଅଧିନିୟମ ବଳରେ ୨୦୨୯ ମସିହା ଠାରୁ ସାରା ଦେଶର ମହିଳାମାନେ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ଆସନରେ ଆରକ୍ଷଣ ପାଇବେ ଏବଂ ଦେଶର ଶାସନ-ପ୍ରଶାସନରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ। କିନ୍ତୁ, ଆମକୁ ପଚରାଯାଉଛି, ଆଠ ମାସରେ ଆମେ କ’ଣ କରିଛୁ? ସେ କଥା ଆମ ରାଜ୍ୟବାସୀ ବିଚାର କରିବେ। ଆମେ ୨୪ ବର୍ଷର ଶାସନ କରି ରାଜ୍ୟର ୬୪ ପ୍ରତିଶତ ଶିଶୁଙ୍କୁ ଏବଂ ୬୪ ପ୍ରତିଶତ ବୟସ୍କା ମହିଳାଙ୍କୁ ଅପପୁଷ୍ଟିର କରାଳ ଛାୟା ମଧ୍ୟକୁ ଠେଲି ଦେଇ ନାହୁଁ। କିନ୍ତୁ, ଏହି ଆଠ ମାସରେ ଅପପୁଷ୍ଟି ପରି ସମସ୍ୟାକୁ ଦୂର କରିବା ପାଇଁ ମିଡ-ଡେ ମିଲରେ ମୁଣ୍ଡପିଛା ଖର୍ଚ୍ଚ ବୃଦ୍ଧି କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯାହା ୨୪ ବର୍ଷରେ ହୋଇ ନ ଥିଲା, ୨୪ ମିନିଟରେ ଆମ ସରକାର କରି ଦେଖାଇ ଦେଲେ। ପ୍ରଥମ କ୍ୟାବିନେଟରେ ହିଁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ପଦକ୍ଷେପ ନିଆ ଯାଇଥିଲା। ଶ୍ରୀମନ୍ଦିର ପରିସରରେ ପ୍ରବେଶକୁ ସୁଗମ କରିବା ପାଇଁ ୪ଟି ପବିତ୍ର ଦ୍ୱାର ଖୋଲାଯାଇଛି। ସେ ସମୟରେ କୁହାଯାଇଥିଲା, “ଯଦି ଚାରିଦ୍ଵାର ଖୋଲି ଦିଆଯାଏ, କେଜାଣି କ’ଣ ମହା ପ୍ରଳୟ ହୋଇଯିବ, ଭକ୍ତଙ୍କ ସୁନାମୀ ଆସି କ’ଣ ନାଇ କ’ଣ ହୋଇଯିବ’। କେବଳ ଜଗନ୍ନାଥ ସଂସ୍କୃତି ନୁହେଁ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଆମ ସରକାର ୨୦୦ କୋଟି ଟଙ୍କାର ପ୍ରାରମ୍ଭିକ କର୍ପସ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଆମ ପାଇଁ ନିରକ୍ଷରତା ଏକ ସମସ୍ୟା ନୁହେଁ। ଗୁଣାତ୍ମକ ଶିକ୍ଷା ହେଉଛି ଏକ ଆହ୍ଵାନ। ଆପଣମାନ ଜାଣିଥିବେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଷଷ୍ଠ ଶ୍ରେଣୀର ସାଧାରଣ ଅଙ୍କ କି ମାନସାଙ୍କ କରିପାରୁନାହାନ୍ତି। ଗୁଣାତ୍ମକ ଶିକ୍ଷାକୁ ସୁଧାରିବା ପରିବର୍ତ୍ତେ ୨୪ ବର୍ଷର ସରକାରଙ୍କୁ ହଠାତ ମନେ ପଡିଲା ୫-ଟି ସ୍କୁଲ। ଶିକ୍ଷାଦାନ ପ୍ରତି ଧ୍ୟାନ ନ ଦେଇ ରୂପାନ୍ତରଣ ନାଁ’ରେ ସ୍କୁଲରେ ଚୂନ ମାରିବା ଆରମ୍ଭ ହୋଇଗଲା ଏବଂ ସବୁଠାରୁ ବଡ କଥା ହେଉଛି, ୫-ଟି ସ୍କୁଲ ଉଦଘାଟନ ନାଁରେ ଇଭେଣ୍ଟ ମ୍ୟାନେଜମେଣ୍ଟ କରାଗଲା। ପୁନର୍ବାର ନିର୍ବାଚିତ ହୋଇ ଆସିଥିବା ବିଜେଡିର ମାନ୍ୟବର ବିଧାୟକ ଓ ବିଧାୟିକା ମାନେ ବି ସେଥିରେ ଅଂଶଗ୍ରହଣ କରିଥିଲେ। କିନ୍ତୁ, ଥରୁଟିଏ ଯଦି ଏହି ରଙ୍ଗବୋଳା ସ୍କୁଲକୁ ଯାଇ ଶିକ୍ଷାର ମାନ ପରଖି ଥାଆନ୍ତେ, ତେବେ ଆଜି ଆମ ପ୍ରାଥମିକ ଶିକ୍ଷାର ଏତେ ଅଧୋଗତି ହୋଇ ନ ଥାନ୍ତା। ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବେ। ରାଜ୍ୟର ପ୍ରତିଟି ଗ୍ରାମ ପଞ୍ଚାୟତରେ ଏହି ଆଦର୍ଶ ବିଦ୍ୟାଳୟରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ ଦେଇ ଶିକ୍ଷାର ମାନରେ ସୁଧାର ଆଣିବେ।