ଗୃହରେ ଶିକ୍ଷାବ୍ୟବସ୍ଥାକୁ ନେଇ ବାଲିଗୁଡ଼ା ବିଧାୟକଙ୍କ ପ୍ରଶ୍ନ
ରାଜ୍ୟରେ ୮ମ ଶ୍ରେଣୀ ପିଲାଙ୍କ ଗଣିତ ଜ୍ଞାନ କେତେ?
ଭୁବନେଶ୍ୱର ୧୪-୦୨-୨୦୨୫(ପିପିଏସ ) : ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ଶୁକ୍ରବାର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଜ୍ଞାନ କେତେ ରହିଛି, ସେନେଇ ଜାଣିବାକୁ ଚାହିଁଛନ୍ତି। ଅସର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଠିକ୍ ଭାବରେ ହରଣ ଗୁଣନ, ଫେଡ଼ାଣ କରି ପାରୁ ନାହାନ୍ତି। ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରଶ୍ନ କରିଛନ୍ତି।
ବାଲିଗୁଡ଼ା ବିଧାୟକଙ୍କର ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ମଧ୍ୟରେ ୬୭୯୪ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୧,୯୩୯.୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କେବଳ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ ବାବଦକୁ ୧୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ଯୋଜନା ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଏବେ ସରକାରଙ୍କ ବିଚାରରେ ରହିଛି। ସେହିଭଳି ବନ୍ଦ ହୋଇଥିବାକୁ ସ୍କୁଲ୍କୁ ପୁନଃ ଖୋଲିବାକୁ ପ୍ରସ୍ତାବ ପରେ ରାଜ୍ୟସ୍ତରୀୟ ତଥା ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାର ବ୍ୟବସ୍ଥା ରହିଛି।
ରାଜ୍ୟରେ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬,୦୦୯ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହି ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୩୭୫ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ୧୦୬୧ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏବେ ୧୭ଟି ଜିଲ୍ଲାରେ ୨୧ଟି ଭାଷାରେ ଶିକ୍ଷାଦାନ କରାଯାଉଛି। ଏହି ସବୁ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ୩୧୮୮ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଖାଲି ସେତିକି ନୁହେଁ, ୧୪୩ ଶିକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ବି ନିଯୁକ୍ତ କରାଯାଇଛି। ୨୦୧୪ରେ ୬୩.୪ ପ୍ରତିଶତ ପିଲା ଫେଡ଼ାଣ ଜାଣି ନଥିବା ବେଳେ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ରିପୋର୍ଟ ଆସିଛି। ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ରେ ତାହା ବଢ଼ିକି ୪୫.୮ ପ୍ରତିଶତରେ ପହଁଚିଛି। ବିଧାୟକ ଚକ୍ରମଣି କହଁର ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।
ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡ଼ାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡ଼ିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍ ଓ ବଜେଟ୍ ୨୦୨୫-୨୬ରେ ଉପସ୍ଥାପାନ କରାଯାଇଛି। ବର୍ତ୍ତମାନ ୧୨୪୮୪ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡ଼ିଛି।