ଏଏସ୍ଆଇ ନିୟମକୁ ବେଖାତିର
ଗୁମ୍ଫା ଭିତରେ ଶୌଚ, ରାତ୍ରିଯାପନ
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ ପରିସରରେ ରାତ୍ରିଯାପନ ଅନୁମତି ନାହିଁ।
ଭୁବବେଶ୍ୱର ୦୯-୦୨-୨୦୨୫(ପିପିଏସ) : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଦେଶର ସ୍ମାରକୀଗୁଡ଼ିକର ସଂରକ୍ଷଣ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଐତିହ୍ୟସ୍ଥଳରେ ରହିବା ବାରଣ କରାଯାଇଛି। ଏହି ନିୟମ ଅନୁଯାୟୀ, କାହାରିକୁ ଐତିହ୍ୟସ୍ଥଳ ପରିସରରେ ରାତ୍ରିଯାପନ ଅନୁମତି ନାହିଁ। ଏମିତିକି କ୍ୟାମ୍ପିଂ, ତମ୍ବୁ ପକାଇବା ଓ ଅସ୍ଥାୟୀ ଆଶ୍ରୟସ୍ଥଳ ସ୍ଥାପନ ନିଷେଧ କରାଯାଇଛି। ଐତିହ୍ୟସ୍ଥଳକୁ କ୍ଷତି ପହଞ୍ଚାଇଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଅଛି। ହେଲେ ଖଣ୍ଡଗିରି ପାହାଡ଼ରେ ଏହି ନିୟମର ଖୋଲା ଉଲ୍ଲଂଘନ ହୋଇଛି। ମେଳାକୁ ଆସିଥିବା ଅଧିକାଂଶ ବାବା ପ୍ରତି ଗୁମ୍ଫାକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ୩ ଦିନ ହେଲା ଗୁମ୍ଫା ତାଙ୍କର ଘର ପାଲଟିଛି। ଗୁମ୍ଫା ଭିତରେ ରହିବା, ଖାଇବା, ଗଞ୍ଜେଇ ଟାଣିବା ସହ ଶୌଚ ମଧ୍ୟ ହେଉଛନ୍ତି। ହେଲେ ଏଏସ୍ଆଇ କେବଳ ଦେଖଣାହାରୀ ହୋଇଛି। ଫଳରେ ଖଣ୍ଡଗିରି ଭଳି ଐତିହ୍ୟ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
ପ୍ରାଚୀନ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଏବଂ ଅବଶେଷ ଆଇନ, ୧୯୫୮ ଅଧିନରେ ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ରହିଥିବା କଟକଣା ନେଇ ଖଣ୍ଡଗିରି ସମ୍ମୁଖରେ ସୂଚନା ଫଳକ ଲଗାଯାଇଛି। ହେଲେ ବାବା ଓ ତାଙ୍କ ଚେଲା ମାନେ ଖଣ୍ଡଗିରି ଭଳି ଐତିହ୍ୟକୁ ନିଜ ଘର ବୋଲି ଭାବି ନେଇଛନ୍ତି। ମା’ ବାରଭୂଜାଙ୍କ ପାଖ, ଅନନ୍ତ, ଅଖଣ୍ଡ, ହାତି, ନବମୁଣୀ, ଧ୍ୟାନ ଗୁମ୍ଫାରେ ବାବାମାନେ ଆସ୍ଥାନ ଜମାଇଛନ୍ତି। ଭିତରେ ଭକ୍ତଙ୍କୁ କିଏ ଚିକିତ୍ସା କରୁଛନ୍ତି ତ’ କିଏ ଗଞ୍ଜେଇ ଟାଣୁଛନ୍ତି। ବଡ଼ କଥା ହେଲା କିଛି ବାବା ଗୁମ୍ଫା ଭିତରେ ଶୌଚ କରି ଏହାକୁ ଅପରିଷ୍କାର କରୁଥିବା ଦେଖିବାକୁ ମିଳୁଛି। ମୂର୍ତ୍ତି ଓ ଗୁମ୍ଫାର କଳାକୃତିକୁ କ୍ଷତି ପହଞ୍ଚାଇ ଓଡ଼ିଶାର ଅମୂଲ୍ୟ ସମ୍ପତ୍ତିର ଅପୂରଣୀୟ କ୍ଷତି କରିଚାଲଛନ୍ତି। ହେଲେ ଏହାକୁ ରୋକିବା ପାଇଁ କେହି ସଚେତନ କରିବାକୁ ନାହାନ୍ତି। ଏସ୍ଏସ୍ଆଇ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଏ ନେଇ ଏଏସ୍ଆଇ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।
ବିଗତ ବର୍ଷମାନଙ୍କରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିବାପରେ ୨୦୨୨ ମସିହାରେ ଖଣ୍ଡଗିରି ପାହାଡ଼ ଗୁମ୍ଫାର ସୁରକ୍ଷା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିଥିଲା। ଗୁମ୍ଫାରେ ସାଧୁମାନଙ୍କ ରହିବା ନେଇ କଟକଣା ଜାରି କରିବା ସହ ସହସ୍ର ବର୍ଷ ପୁରୁଣା କୀର୍ତ୍ତିରାଜିରେ ରହିବା ବେଆଇନ ବୋଲି ଚେତାଇ ଦେଇଥିଲା। ଏଏସ୍ଆଇର ତତ୍କାଳୀନ ଅଧୀକ୍ଷକ ଅରୁଣ ମଲ୍ଲିକ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କଟକଣା ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ବ ଖୋର୍ଦ୍ଧା ଜିଲ୍ଲାପାଳଙ୍କର ବୋଲି କହିଥିଲେ। ନା ସେତେବେଳେ କିଛି କାର୍ଯ୍ୟାନୁଷ୍ଠାନ ହୋଇଥିଲା ନା ଏବେ କିଛି ହେଉଛି।
ଏ ନେଇ ଗବେଷକ ଅନିଲ୍ ଧୀର୍ଙ୍କ କହିବା କଥା, ତାଜମହଲଠାରୁ ଆରମ୍ଭ କରି କୋଣାର୍କ ପର୍ଯ୍ୟନ୍ତ ଦେଶର ଯେକୌଣସି କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ ସଂରକ୍ଷିତ କୀର୍ତ୍ତିରାଜିକୁ ଯାଆନ୍ତୁ, କେଉଁଠି ମଧ୍ୟ ଲୋକଙ୍କ ରହିବା ନେଇ ଅନୁମତି ନାହିଁ, ଯାହା ଖଣ୍ଡଗିରିରେ ହେଉଛି। କେବଳ ଚଳିତବର୍ଷ ନୁହେଁ, ପ୍ରତିବର୍ଷ ଏଭଳି ହେଉଛି। ଏହାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରାଯିବା ଆବଶ୍ୟକ। ସ୍ମାରକୀକୁ ସ୍ପର୍ଶ ଏବଂ ବ୍ୟବହାର କରି, ସେମାନେ ଅଜାଣତରେ ଆମ ଐତିହ୍ୟକୁ ନଷ୍ଟ କରୁଛନ୍ତି। ଏପରି କାର୍ଯ୍ୟ କେବଳ ଭୌତିକ ଗଠନକୁ କ୍ଷତି ପହଞ୍ଚାଏ ନାହିଁ ବରଂ ସ୍ମାରକୀର ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱକୁ ମଧ୍ୟ ଅସମ୍ମାନ କରେ।