ଏୟାରଲାଇନ୍ ଦେବେ ପାଣିପାଗ ତଥ୍ୟ: ବର୍ଷକ ଭିତରେ ବାଧ୍ୟତାମୂଳକ ହେବ
ବିମାନ ଉଡ଼ାଣ ଓ ଅବତରଣ ବେଳେ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ। ସେହି ତଥ୍ୟକୁ ଏୟାରଲାଇନ୍ଗୁଡ଼ିକ ଖୁବ୍ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍ଡି)କୁ ଦେବେ।
ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ବିମାନ ଉଡ଼ାଣ ଓ ଅବତରଣ ବେଳେ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ। ସେହି ତଥ୍ୟକୁ ଏୟାରଲାଇନ୍ଗୁଡ଼ିକ ଖୁବ୍ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍ଡି)କୁ ଦେବେ। ପାଣିପାଗ ତଥ୍ୟ ଦେବା ଏୟାରଲାଇନ୍ଗୁଡ଼ିକ ଲାଗି ବାଧ୍ୟତାମୂଳକ କରିବା ଉପରେ ସରକାର ବିଚାର କରୁଛନ୍ତି। ତାହା ହେଲେ ପାଣିପାଗର ଆହୁରି ସଠିକ୍ ପୂର୍ବାନୁମାନ କରାଯାଇପାରିବ। ଭୂ-ବିଜ୍ଞାନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା କରାଯାଇଛି। ବର୍ଷକ ଭିତରେ ଡୋମେଷ୍ଟିକ୍ (ଦେଶ ଭିତର) ଏୟାରଲାଇନ୍ଗୁଡ଼ିକ ଲାଗି ପାଣିପାଗ ତଥ୍ୟ ଦେବା ବାଧ୍ୟତାମୂଳକ କରାଯିବ। ଏହି ତଥ୍ୟ ବିମାନ ଚଳାଚଳ କ୍ଷେତ୍ରରେ ପାରିଦର୍ଶିତା ଆଣିବା ସହ ପାଣିପାଗ ପୂର୍ବାନୁମାନକୁ ଆହୁରି ସଠିକ୍ କରିପାରିବ। ବିଭିନ୍ନ ପ୍ରକାର ପର୍ଯ୍ୟବେକ୍ଷଣ ଆଧାରରେ ଆଇଏମ୍ଡି ପକ୍ଷରୁ ପାଣିପାଗର ପୂର୍ବାନୁମାନ କରାଯାଉଛି। ପର୍ଯ୍ୟବେକ୍ଷଣ ଯେତେ ଅଧିକ ହେବ, ପୂର୍ବାନୁମାନ ସେତେ ସଠିକ୍ ହୋଇପାରିବ। ଅଧିକ ସ୍ଥାନରୁ ତଥ୍ୟ ଆସିଲେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ତାପମାତ୍ରା, ଆର୍ଦ୍ରତା ଓ ପବନ ବେଗର ତଥ୍ୟ ଯେତେ ଅଧିକ ସମ୍ଭବ ସେହି ସ୍ଥାନରୁ ସଂଗ୍ରହ କରାଯାଉଛି।
ଭୂପୃଷ୍ଠରୁ ସଂଗ୍ରହ ହେଉଥିବା ତଥ୍ୟ ତୁଳନାରେ ଏୟାରଲାଇନ୍ ଓ ପାଣିପାଗ ବେଲୁନ୍ରୁ ସଂଗ୍ରହ ହେଉଥିବା ତଥ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ। ଝଡ଼ ଗଠନ ହେବା ଓ ବାୟୁମଣ୍ଡଳରେ ତାହା ଆକାର ଧାରଣ କରିବା ସମୟରେ ତାପମାତ୍ରା, ଆର୍ଦ୍ରତା ଓ ପବନର ବେଗ ବିଭିନ୍ନ ଉଚ୍ଚତାରେ ଭିନ୍ନ ଭିନ୍ନ ରହିଥାଏ। ସେହି ତଥ୍ୟଗୁଡ଼ିକୁ ସଂଗ୍ରହ କରିବା ଲାଗି ଆଇଏମ୍ଡି ପକ୍ଷରୁ ୫୦-୬୦ ପାଣିପାଗ ବେଲୁନ୍ ସ୍ଥାପନ କରାଯାଇଛି। ଯେହେତୁ ଦେଶରେ ଶହ ଶହ ବିମାନ ଚଳାଚଳ କରୁଛି, ତେଣୁ ସେମାନେ ସଂଗ୍ରହ କରୁଥିବା ତଥ୍ୟ ପାଣିପାଗ ପୂର୍ବାନୁମାନରେ ପାରଦର୍ଶିତା ଆଣିପାରିବ ବୋଲି କୁହାଯାଉଛି।
ଅନ୍ତର୍ଜାତୀୟ ରୁଟ୍ରେ ଚଳାଚଳ କରୁଥିବା ବିମାନଗୁଡ଼ିକ ନିଜେ ସଂଗ୍ରହ କରୁଥିବା ତଥ୍ୟ ଜାରି କରୁଛନ୍ତି। କାରଣ ଆଇନ ଅନୁସାରେ ସେମାନେ ସେହି ତଥ୍ୟ ଦେବାକୁ ବାଧ୍ୟ। ମାତ୍ର ଡୋମେଷ୍ଟିକ୍ ରୁଟ୍ରେ ଚଳାଚଳ କରୁଥିବା ବିମାନଗୁଡ଼ିକ ଲାଗି ତାହା ବାଧ୍ୟତାମୂଳକ ହୋଇନାହିଁ। ଦେଶରେ ବିମାନ ସେବା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସରକାରୀ ଯୋଜନାର ପ୍ରଭାବରେ କେତେକ ରାଜ୍ୟରେ ୧୦-୧୫ ବିମାନବନ୍ଦର ହୋଇଗଲାଣି। ଦେଶ ଭିତରେ ଉଡ଼ୁଥିବା ସବୁ ବିମାନ ଯଦି ସଂଗ୍ରହ କରୁଥିବା ପାଣିପାଗ ତଥ୍ୟ ବାସ୍ତବ ସମୟରେ ଆଇଏମ୍ଡିକୁ ପଠାଇବେ ତେବେ ପାଣିପାଗ ପୂର୍ବାନୁମାନ ବେଶ୍ ଉନ୍ନତ ହୋଇପାରିବ ବୋଲି କୁହାଯାଉଛି। ବିମାନରେ ଲାଗିଥିବା ବିଭିନ୍ନ ସେନ୍ସର୍ ଓ ଉପକରଣ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରିଥାନ୍ତି। ଏୟାର୍ଲାଇନ୍ଗୁଡ଼ିକ ମହାସାଗର ଉପରି ଭାଗ ଓ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳର ପାଣିପାଗ ତଥ୍ୟ ଦେଇପାରିବେ ଯେଉଁଠାରେ ପାଣିପାଗ ବେଲୁନ୍ ସ୍ଥାପନ କରିବା ସମ୍ଭବ ନୁହେଁ।