ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ୧୯୮୬ ମସିହା ଡିସେମ୍ବର ୨୪ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା। ଏହାର ସୁଯୋଗ ନେଇ ୨୦୧୦ ମସିହାରେ ଓଡ଼ିଶାରେ ଟିଟ୍ଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ। ୨୦୨୦ ଜୁଲାଇ ୨୦ରୁ ଦେଶରେ ନୂଆ ଉପଭୋକ୍ତା ଆଇନ କାର୍ଯ୍ୟକାରୀ ହୋଇଛି। ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
‘ମୁଁ ବି ହୋଇଛି ଚିଟ୍ଫଣ୍ଡର ଶିକାର’
ଭୁବନେଶ୍ବର: ୧୯୯୦ ଓ ୨୦୦୨ରେ ଚିଟ୍ଫଣ୍ଡ ସଂସ୍ଥା ଦ୍ବାରା ଦୁଇ ଦୁଇ ଥର ଠକେଇର ଶିକାର ହୋଇଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା ଭୁବନେଶ୍ବରରେ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଯୋଗ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟ ଜମାକାରୀଙ୍କ ଭଳି ଟଙ୍କା ଯୋଗାଡ଼ କରି ସଂସ୍ଥାରେ ଜମା କରିଥିଲି। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନ ଥିଲା। ୧୯୮୬ ଆଇନ ବଳରେ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିଲେ ବି ରାସ୍ତା ଏତେ ଜଟିଳ ଥିଲା ଯେ ଟଙ୍କା ମିଳିଲାନି। ସେଥିପାଇଁ ୧୯୮୬ ମସିହା ଆଇନକୁ ୨୦୧୯ରେ ସଂଶୋଧନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିର ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ସହଜରେ ଠକାମିର ଶିକାର ହେଉଛନ୍ତି। ସେବା ଓ ସାମଗ୍ରୀ ଯୋଗାଇଦେଉଥିବା ସଂସ୍ଥା ଲୋକମାନଙ୍କୁ ଠକି ଦେଇ ରାତାରାତି ଗାଏବ ହୋଇଯାଉଛନ୍ତି। ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି। ଉପଭୋକ୍ତା ଅଧିକାରର କୌଣସି ପ୍ରକାର ଉଲଂଘନ ହେଲେ ପ୍ରାଧିକରଣ ତା’ର ଯାଞ୍ଚ ଓ ତଦନ୍ତ କରି ସୁରକ୍ଷା ଯୋଗାଇଦେବେ। ଉପଭୋକ୍ତାମାନେ ଘରେ ବସି ଇ-ଫାଏଲିଂ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ ଓ ନ୍ୟାୟ ପାଇପାରିବେ। ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ସମସ୍ତଙ୍କୁ ପ୍ରଥମେ ସଚେତନ ହେବାକୁ ପଡିବ। ଖାଉଟି କଲ୍ୟାଣ ପାଇଁ ବଜେଟରେ ଅଧିକ ପ୍ରାବଧାନ କରାଯାଇଛି। ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଇନ ଆନୁଯାୟୀ କଠୋର ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ଏହି ପଦକ୍ଷେପ ଆହୁରି କଡ଼ାକଡ଼ି ହେବ। ସେମାନଙ୍କୁ ନିସ୍ତାର ନାହିଁ। ଏକ ଠକେଇମୁକ୍ତ ତଥା ଅସାଧୁ ବ୍ୟବସାୟୀମୁକ୍ତ ଓଡ଼ିଶା କିପରି ଗଠନ ହେବ ସେଥିପାଇଁ ଜନସାଧାରଣ ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ସଚେତନ ଖାଉଟି ହେଉଛି ଉତ୍ତମ ଖାଉଟି। ଖାଉଟି ସଚେତନ ହେଲେ ଠକେଇ ବିରୋଧରେ ନ୍ୟାୟ ପାଇପାରିବ। ରାଜ୍ୟରେ ଥିବା ଉପଭୋକ୍ତା କୋର୍ଟଗୁଡ଼ିକୁ ଅଧିକ ସୁଦୃଢ଼ କରାଯିବ। ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଦିଲ୍ଲୀପ ମହାପାତ୍ର କହିଥିଲେ, ୨୦୧୯ରୁ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ଘରେ ବସି ଅଭିଯୋଗ ଦାଖଲ କରିବାର ସୁବିଧା କରାଯାଇଛି। ଓଡ଼ିଶା ସମେତ ଦେଶରେ ଅନ୍ଲାଇନ କେସ୍ ଫାଇଲିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନ୍ଲାଇନ୍ ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଥିବା ସେ କହିଥିଲେ। ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖାଉଟି ସୁରକ୍ଷା ସମ୍ବନ୍ଧୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନ୍ୟୁଜ୍ ଲେଟରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ସଚିବ ଅଞ୍ଜନା ପଣ୍ଡା
ଧନ୍ୟବାଦ ଦେଇଥିଲେ।