ସାନ ଘାଗରାରେ ଟ୍ରି ବ୍ରିଜ୍ ୱାକ୍ ଓ ଟି ପାର୍ଟି ଅନ୍ ଟ୍ରି
ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝରରେ ପ୍ରକୃତି ସଜେଇ ରଖିଛି ଅନେକ ଅନୁପମ ଉପହାର। ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତଠୁ ଆରମ୍ଭ କରି ହଦଗଡ଼ ଡ୍ୟାମ୍ ପର୍ଯ୍ୟନ୍ତ ଅନେକ ଲୋଭନୀୟ ପର୍ଯ୍ୟଟନ କ୍ଷେତ୍ର ଏଠାରେ ରହିଛି।
କେନ୍ଦୁଝର/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝରରେ ପ୍ରକୃତି ସଜେଇ ରଖିଛି ଅନେକ ଅନୁପମ ଉପହାର। ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତଠୁ ଆରମ୍ଭ କରି ହଦଗଡ଼ ଡ୍ୟାମ୍ ପର୍ଯ୍ୟନ୍ତ ଅନେକ ଲୋଭନୀୟ ପର୍ଯ୍ୟଟନ କ୍ଷେତ୍ର ଏଠାରେ ରହିଛି। କିନ୍ତୁ ସାନ ଘାଗରାରେ ଥିବା ନେଚର୍ କ୍ୟାମ୍ପ୍ ଏବେ ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଆକର୍ଷଣ ପାଲଟିଛି। ସାନ ଘାଗରା ନେଚର୍ କ୍ୟାମ୍ପ୍ ବନ ଉନ୍ନୟନ ନିଗମ ଦ୍ବାରା ଆରମ୍ଭ ହୋଇଛି। କେନ୍ଦୁଝର ମୁଖ୍ୟାଳୟରୁ ପ୍ରାୟ ୬ କିଲୋମିଟର ଦୂର ଅଞ୍ଜରଠାରେ ଜାତୀୟ ରାଜପଥ ୪୯ ପାର୍ଶ୍ବରେ ୨.୫ ହେକ୍ଟର୍ ଜଙ୍ଗଲ ଭିତରେ ସାନଘାଗରା ଇକୋ ଟୁରିଜିମ୍ କଂପ୍ଲେକ୍ସ ନିର୍ମାଣ କରାଯାଇଛି। ଏଠାରେ ନିର୍ମିତ ନେଚର୍ କ୍ୟାମ୍ପ୍ ପର୍ଯ୍ୟଟକମାନଙ୍କୁ ପ୍ରକୃତି କୋଳରେ ସମୟ ବିତାଇବାର ନିଆରା ଆନନ୍ଦ ଦେଉଛି। ଏହି ନେଚର୍ କ୍ୟାମ୍ପ୍ରେ ପର୍ଯ୍ୟଟକଙ୍କୁ ସବୁଠୁ ଅଧିକ ଆକୃଷ୍ଟ କରୁଛି ଏହାର ‘ଟ୍ରି ବ୍ରିଜ୍’ ଓ ‘ଟି ପାର୍ଟି ଅନ୍ ଟ୍ରି’।
ଯିବେ କେମିତି, ରହିବେ କେଉଁଠି
କେନ୍ଦୁଝର ଜିଲ୍ଲା ସାନ ଘାଗରାକୁ ଗମନାଗମନ ବ୍ୟବସ୍ଥା ଖୁବ୍ ଭଲ। ରାଜଧାନୀ ଭୁବନେଶ୍ବରରୁ ସାନଘାଗରା ନେଚରକ୍ୟାମ୍ପର ଦୂରତ୍ବ ୨୨୫ କିଲୋମିଟର ଏବଂ ଏହା ୪ ଘଣ୍ଟାର ରାସ୍ତା। ସେଠାକୁ ଭୁବନେଶ୍ବରରୁ ନିୟମିତ ବସ୍ ଓ େଟ୍ରନ୍ ସେବା ଉପଲବ୍ଧ। ବସ୍ କିମ୍ବା ଟ୍ରେନ୍ରେ ଭୁବନେଶ୍ବରରୁ କେନ୍ଦୁଝର ଯାଇ ସେଠାରୁ କାର୍ କିମ୍ବା ଅଟୋରେ ସାନ ଘାଗରା ନେଚର କ୍ୟାମ୍ପରେ ପହଞ୍ଚିହେବ। ତେବେ ନେଚର କ୍ୟାମ୍ପରେ ରହଣି ଲାଗି ଆଗୁଆ ଅନ୍ଲାଇନ୍ ବୁକିଂ କରିବାକୁ ପଡ଼ିବ। ଇକୋଟୁର୍ ଓଡ଼ିଶା ୱେବ୍ସାଇଟ୍କୁ ଯାଇ ଏହି ବୁକିଂ କରାଯିବ। ସେଠାରେ ରହଣି ଲାଗି ଡବଲ୍ବେଡ୍ କଟେଜ୍ ପାଇଁ ଦୈନିକ ୩୭୧୪ ଟଙ୍କା ( ଖାଦ୍ୟ ସହ) ଦେୟ ଥିବା ବେଳେ ୮ ଜଣିଆ ଡର୍ମିଟୋରି ଲାଗି ୨୪୭୬ ଟଙ୍କା ଦେୟ ରହିଛି।
ଏହି ନେଚର୍ କ୍ୟାମ୍ପ୍ର ଦୁଇଟି ବିଶାଳକାୟ ଆମ୍ବଗଛକୁ ଦୁଇଟି ଲୁହା ତାର ଜାଲି ଦ୍ବାରା ସଂଯୋଗ କରାଯାଇ ଏକ ଝୁଲନ୍ତା ବ୍ରିଜ୍ ନିର୍ମାଣ କରାଯାଇଛି। ଦୁଇଟି ଗଛରେ ଏହା ଝୁଲିରହିଛି। ପର୍ଯ୍ୟଟକମାନେ ଦୁଇଟି ଗଛ ମଝିରେ ଚାଲିବା ବେଳେ ଏକ ଭିନ୍ନ ଅନୁଭବ ପାଇଥାନ୍ତି। ସେହିପରି ଆମ୍ବଗଛ ଉପରେ ରହିଛି ଟି ପାର୍ଟି କରିବା ବ୍ୟବସ୍ଥା। ଏହି ଆମ୍ବଗଛର ପ୍ରାୟ ମଧ୍ୟ ଭାଗରେ ବସିବା ଓ ଚା ପିଇବା ଲାଗି ସୁବ୍ୟବସ୍ଥା କରାଯାଇଛି। ଜଙ୍ଗଲ ମଝିରେ ଗଛ ଉପରେ ବସି ଚା ପିଇବାର ମଜା ସତରେ ନିଆରା। ଖାଲି ସେତିକି ନୁହେଁ, ଏଠାକାର କଟେଜ୍ ଓ ଡର୍ମିଟୋରି କାନ୍ଥରେ ଅଙ୍କା ହୋଇଥିବା ରଙ୍ଗିନ ଚିତ୍ର ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି। ସାନଘାଗରା ଇକୋ ଟୁରିଜିମ୍ କଂପ୍ଲେକ୍ସରେ ପର୍ଯ୍ୟଟକଙ୍କ ରହଣି, ଭ୍ରମଣ ଓ ଖାଦ୍ୟପେୟର ସୁବ୍ୟବସ୍ଥା ରହିଛି। ସବୁଠୁ ବଡ଼ କଥା ହେଉଛି, ଏଠାରେ ରହୁଥିବା ପର୍ଯ୍ୟଟକମାନେ ସାନ ଘାଗରା ଓ ବଡ଼ ଘାଗରା ବୁଲିବାକୁ ଯାଇଥାନ୍ତି। ଏଠାରୁ ସାନ ଘାଗରା ମାତ୍ର ୧୦୦ ମିଟର ଦୂର ହୋଇଥିବା ବେଳେ ବଡ଼ ଘାଗରାର ଦୂରତ୍ବ ୧.୫ କିଲୋମିଟର । ତେବେ ଏହି ନେଚର୍ କ୍ୟାମ୍ପ୍ ପଛପଟେ ସାନ ମାଛ କାନ୍ଦଣା ନଈ ପ୍ରବାହିତ ହେଉଛି। କାନ୍ଦଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ଭଲ ଲାଗୁଥିବାରୁ ଅଧିକାଂଶ ଏହି କ୍ୟାମ୍ପ୍ ପଛ ପାଖେ ବସି ନଈର ଦୃଶ୍ୟ ଉପଭୋଗ କରିଥାନ୍ତି।
ଏଠାରେ ରହଣି ପାଇଁ ୧୦ଟି କଟେଜ୍ ଏବଂ ୬ଟି ଡର୍ମିଟାରି ଥିବାବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଫିସିଂ, ସାଇକେଲିଂ, ବ୍ୟାଡ୍ମିଣ୍ଟନ୍ କୋର୍ଟ, ଶିଶୁଙ୍କ ପାଇଁ ଜମ୍ପିଂ ଏବଂ ଅନ୍ୟ ଖେଳର ବ୍ୟବସ୍ଥା ରହିଛି। ଜଣେ ଚାହିଲେ ନିକଟସ୍ଥ ଗାଁକୁ ଯାଇ ଆଦିବାସୀ ନୃତ୍ୟ ଓକ ସଂଗୀତର ମଜା ବି ନେଇପାରିବେ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା େବଳେ ଜଣେ ଏଠାକୁ ଆସି ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତ ସହ ନିକଟସ୍ଥ ଗୋନାସିକା, ଖଣ୍ଡାଧାର, ସିଦ୍ଧମଠ, ବଳଦେବଜୀଉ ମନ୍ଦିର ଓ କାଞ୍ଜିପାଣି ଘାଟି ବୁଲି କେନ୍ଦୁଝରରେ ପ୍ରକୃତିରାଣୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିେବ।