ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ରାଷ୍ଟ୍ରପତି: ‘ଅଧିକ ଗବେଷଣା ପ୍ରାଚୀନ ଆୟୁର୍ବେଦ ପ୍ରତି ଆସ୍ଥା ବଢ଼ାଇବ’
ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, କିନ୍ତୁ ତାଙ୍କ ଉତ୍ତମ ବ୍ୟବହାର ଓ ମଧୁର ବଚନରେ ରୋଗୀ ଅନେକାଂଶରେ
ପୁରୀ/ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, କିନ୍ତୁ ତାଙ୍କ ଉତ୍ତମ ବ୍ୟବହାର ଓ ମଧୁର ବଚନରେ ରୋଗୀ ଅନେକାଂଶରେ ସୁସ୍ଥ ହୋଇଯାଏ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଲେ, ଗବେଷଣାକୁ ଗୁରୁତ୍ବ ଦେଲେ ଆୟୁର୍ବେଦ ଅଧିକ ଜନାଦୃତି ସହ ବିଶ୍ବସ୍ତରୀୟ ସ୍ବୀକୃତି ଲାଭ କରିପାରିବ। ରାଜ୍ୟ ସଂଗ୍ରହାଳୟରେ ଅନେକ ତାଳପତ୍ର ପୋଥି ରହିଛି। ସେସବୁରେ ଚିକିତ୍ସା ପଦ୍ଧତିର ଅବତାରଣା ରହିଛି। ଏ ଦିଗରେ ମଧ୍ୟ ଗବେଷଣା କରି ଲୁକ୍କାୟିତ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରୟାସ ହେବା ଉଚିତ। ସେହିଭଳି ଆଦିବାସୀ ସଂପ୍ରଦାୟରେ ସ୍ବତନ୍ତ୍ର ଚିକିତ୍ସା ପଦ୍ଧତି ପ୍ରଚଳିତ ଅଛି। ପ୍ରାଚୀନ ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଭିତ୍ତି ଗବେଷଣା କରାଗଲେ ପାରମ୍ପରିକ ଚିକିତ୍ସା ପଦ୍ଧତି ବିଲୁପ୍ତ ହେବାରୁ ବଞ୍ଚିତ ହେବା ସହ ଜନସେବାରେ ଲାଗିପାରିବ।
ଶ୍ରୀମତୀ ମୁର୍ମୁ ଆହୁରି କହିଲେ, ଗୋଟିଏ ଦେଶ ବା ଜାତି ସମୟ ସହ ତାଳ ଦେଇ ନ ଚାଲିଲେ ପଛରେ ପଡ଼ିଯିବ। ଏବେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ସମୟ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, କ୍ବାଣ୍ଟମ୍ କମ୍ପ୍ୟୁଟିଂ, ଥ୍ରିଡି ପ୍ରିଣ୍ଟିଂ, କୋଡିଂ ଆଦି ଅଧ୍ୟୟନ ବିକାଶ କ୍ଷେତ୍ରରେ ସହାୟକ ହେଉଛି। ତେଣୁ ବର୍ତ୍ତମାନକୁ ଠିକ ଭାବେ ଚିହ୍ନିବା ଆବଶ୍ୟକ। ଅତୀତକୁ ନ ଜାଣିଲେ ବର୍ତ୍ତମାନକୁ ବୁଝିପାରିବା ନାହିଁ କି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିପାରିବା ନାହିଁ। ଗୌରବମୟ ଅତୀତ ବାବଦରେ ସଭିଁଏ ସଚେତନ ହେବା ଉଚିତ। ଗୋପବନ୍ଧୁଙ୍କ ନାମରେ ଏହି ଭେଷଜ ମହାବିଦ୍ୟାଳୟ ନାମିତ ହୋଇଛି। ଜନସେବା ଥିଲା ଗୋପବନ୍ଧୁଙ୍କ ବ୍ରତ। ସେ ଆମ ସମସ୍ତଙ୍କ ପାଇଁ ସେବାର ପ୍ରତୀକ। ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ଆହ୍ବାନ ଦେଇଥିଲେ।
ତାଳପତ୍ର ପୋଥି ଓ ପାରମ୍ପରିକ ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ବିଶ୍ଳେଷଣ ହେଉ
ଖୁବଶୀଘ୍ର ଲୋକାର୍ପିତ ହେବ ଢେଙ୍କାନାଳ,ଗଞ୍ଜାମର ଆୟୁଷ ଚିକିତ୍ସାଳୟ: ମୁଖ୍ୟମନ୍ତ୍ରୀ
ରାଜ୍ୟପାଳ ରଘୁବର ଦାସ କହିଲେ, ଦେଶର ସ୍ବାସ୍ଥ୍ୟ ସେବାରେ ଆୟୁର୍ବେଦର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି। ରୋଗ ପ୍ରତିଷେଧକ କ୍ଷେତ୍ରରେ ଆୟୁର୍ବେଦର ବ୍ୟବହାର କୋଭିଡ୍ ସମୟରେ ପ୍ରମାଣିତ ହୋଇସାରିଛି। ତେବେ ଏ କ୍ଷେତ୍ରରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଚଳିତବର୍ଷ ଧନ୍ବନ୍ତରୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଜଟଣୀରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର କରିଛନ୍ତି। ଆୟୁଷ ମନ୍ତ୍ରାଳୟ ଆୟୁର୍ବେଦ ମାଧ୍ୟମରେ କର୍କଟ, ମଧୁମେହ, ହୃଦ୍ରୋଗ ଆଦିର ନିୟନ୍ତ୍ରଣ ନିମିତ୍ତ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହାଦ୍ବାରା ଏହି ସବୁ ଜଟିଳ ରୋଗର ସରଳ ସମାଧାନ ସୂତ୍ର ଭବିଷ୍ୟତରେ ମିଳିପାରିବ ବୋଲି ଆଶା ରହିଛି। ଓଡ଼ିଶାରେ ତିନିଟି ସରକାରୀ ଓ ଗୋଟିଏ ବେସରକାରୀ ଆୟୁର୍ବେଦ କଲେଜ ଅଛି। ଆୟୁର୍ବେଦ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୫୨୦ଟି ଆୟୁର୍ବେଦ ଚିକିତ୍ସାଳୟ, ୫ଟି ଆୟୁର୍ବେଦ ହସ୍ପିଟାଲ ମାଧ୍ୟମରେ ରୋଗୀ ସେବା ଯୋଗାଇ ଦିଆଯାଉଛି। ୨କୋଟିରୁ ଅଧିକ ରୋଗୀ ଆୟୁର୍ବେଦ ଚିକିତ୍ସା ସେବା ପାଉଛନ୍ତି। ଢେଙ୍କାନାଳ ଓ ଗଞ୍ଜାମରେ ଦୁଇଟି ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଚିକିତ୍ସାଳୟ ନିର୍ମାଣ କରାଯାଇଥିବା ବେଳେ ଖୁବଶୀଘ୍ର ଏହା ଲୋକାର୍ପିତ ହେବ।
କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଦବ କହିଲେ, ଆୟୁର୍ବେଦର ମୂଳ ସିଦ୍ଧାନ୍ତ ହେଉଛି ଶାରୀରିକ ଓ ମାନସିକ ସଂରଚନା। ବହୁ ଅସାଧ୍ୟ ରୋଗରୁ ଉପଶମ ପାଇଁ ପ୍ରାଚୀନ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଫଳପ୍ରଦ ସାବ୍ୟସ୍ତ ହେଉଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଓ ବିଧାୟକ ସୁନିଲ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା.ଅରୁଣ କୁମାର ଦାସ ମହାବିଦ୍ୟାଳୟ ସମ୍ମୁଖ ଭିଆଇପି ରୋଡ୍କୁ ଧନ୍ବନ୍ତରୀ ମାର୍ଗ ଏବଂ ମହାବିଦ୍ୟାଳୟକୁ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ସ୍ମୃତି ସୁଧା’ ଉନ୍ମୋଚିତ ହୋଇଥିଲା। ରାଷ୍ଟ୍ରପତି ରଥ ଚକ ଏବଂ ହୀରକ ଜୟନ୍ତୀ ସ୍ମୃତି ଫଳକ ଉନ୍ମୋଚନ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।