ଓଡ଼ିଶାରେ ଆଦାନୀ ଝଡ଼: ବିଜେଡିର ସଫେଇ; ଅଭିଯୋଗ ଭିତ୍ତିହୀନ
ଆମେରିକାର ନ୍ୟୁୟର୍କ କୋର୍ଟରେ ୟୁଏସ୍ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ ଆଦାନୀ ଗ୍ରୁପ୍ ବିରୋଧରେ ଭାରତରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ଆଣିଛନ୍ତି। ଅକ୍ଷୟ ଶକ୍ତି ଯୋଗାଣ ଚୁକ୍ତି ପାଇବା ଲାଗି ଆଦାନୀ ଓଡ଼ିଶା ସମେତ
ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଆମେରିକାର ନ୍ୟୁୟର୍କ କୋର୍ଟରେ ୟୁଏସ୍ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ ଆଦାନୀ ଗ୍ରୁପ୍ ବିରୋଧରେ ଭାରତରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ଆଣିଛନ୍ତି। ଅକ୍ଷୟ ଶକ୍ତି ଯୋଗାଣ ଚୁକ୍ତି ପାଇବା ଲାଗି ଆଦାନୀ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ୨୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଆଦାନୀ ଠାରୁ କିଏ ଲାଞ୍ଚ ନେଇଛି, ତାହାକୁ ନେଇ ଆଲୋଚନା ଜୋର୍ ଧରିଛି। ଏହି ପ୍ରସଙ୍ଗରେ ବିଜେଡି ନିଜ ଆଡ଼ୁ ସ୍ପଷ୍ଟୀକରଣ ରଖି ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଦୋଷମୁକ୍ତ ବୋଲି ସଫେଇ ଦେଇଛି। କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଆଦାନୀ ବିରୋଧରେ ଗର୍ଜିବା ସହ ରାସ୍ତାକୁ ଓହ୍ଲାଇଛି। ବିଜେପି ଏହି ପ୍ରସଙ୍ଗରେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛି।
ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୨୧ ଜୁଲାଇରେ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସ୍ଇସିଆଇ) ସହ ହୋଇଥିବା ବିଦ୍ୟୁତ୍ ଶକ୍ତି କ୍ରୟ ଚୁକ୍ତି ବେଳେ ଆଦାନୀ ଲାଞ୍ଚ କାରବାର କରିଥିଲେ ବୋଲି ଅଭିଯୋଗ ହୋଇଛି। ୫୦୦ ମେଗାୱାଟ୍ ବିଦ୍ୟୁତ୍ କିଣିବା ଲାଗି ଏହି ଚୁକ୍ତି ହୋଇଥିଲା। ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, ଏପରି ଅଭିଯୋଗ ଭିତ୍ତିହୀନ ଓ ଅସତ୍ୟ। ଏସ୍ଇସିଆଇ ସଂସ୍ଥାଠାରୁ ୫୦୦ ମେଗାୱାଟ୍ର ଅକ୍ଷୟ ଶକ୍ତି କିଣିବା ଲାଗି ହୋଇଥିବା ଚୁକ୍ତି ଏସ୍ଇସିଆଇ ଦ୍ବାରା ସର୍ବନିମ୍ନ ଦର ଆଧାରରେ ହୋଇଥିଲା। ଏହି ବୁଝାମଣା ଦୁଇଟି ସରକାରୀ ସଂସ୍ଥା ମଧ୍ୟରେ ହୋଇଥିଲା। ସେଥିରେ ଆଦାନୀ ଗ୍ରୁପ୍ କିମ୍ବା କୌଣସି ଘରୋଇ ସଂସ୍ଥାର ସମ୍ପୃକ୍ତି ନଥିଲା। କେନ୍ଦ୍ର ସରକାର ମିନି ନବରତ୍ନ କମ୍ପାନି ଏସ୍ଇସିଆଇ ଓ ରାଜ୍ୟ ସରକାରଙ୍କ ପିଏସ୍ୟୁ ଗ୍ରିଡ୍କୋ ମଧ୍ୟରେ ଏହି ବିଦ୍ୟୁତ୍ କ୍ରୟ ଚୁକ୍ତି ହୋଇଥିଲା। ଅକ୍ଷୟ ଶକ୍ତିକୁ ନେଇ ରାଜ୍ୟର ରହିଥିବା ପ୍ରତିବଦ୍ଧତାକୁ ପୂରଣ କରିବା ଲାଗି ୨୦୧୧ ପରଠାରୁ ଏସ୍ଇସିଆଇ ଓ ଏନ୍ଟିପିସି ଭଳି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକଠାରୁ ଅକ୍ଷୟ ଶକ୍ତି ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି।
ବିଜେଡିର ସଫେଇ: ଅଭିଯୋଗ ଭିତ୍ତିହୀନ
ଆଦାନୀର ସବୁ ଚୁକ୍ତି ବାତିଲ କର: କଂଗ୍ରେସ
ଓଡ଼ିଶା କଂଗ୍ରେସ ପକ୍ଷରୁ ଆଜି ଏହି ମାମଲାରେ ଆଦାନୀଙ୍କ ଗିରଫ ସହ ଯାଞ୍ଚ ଆରମ୍ଭ କରିବା ଲାଗି ଦାବି କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଲେ, ମୋଦୀ-ଆଦାନୀ ଟେକ୍ନୋଲୋଜି କିଭଳି ଜଣେ ବ୍ୟକ୍ତି ଧନୀ ହୋଇପାରିବେ ତାହାର ସୂତ୍ର ସାରା ବିଶ୍ବକୁ ଦେଖାଉଛନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପକେଟରେ ରଖି ସବୁ କାମ ହାତେଇ ନିଆଯାଉଛି। ଏତେ ସବୁ ଘଟଣା ପରେ ମଧ୍ୟ ଭାରତରେ ଆଦାନୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଆଦାନୀଙ୍କ ରକ୍ଷା କବଚ ପାଲଟିଛନ୍ତି। ଏହି ଲାଞ୍ଚ କାରବାର ଘଟଣାରେ ଯେଉଁ ଯେଉଁ ରାଜ୍ୟର ଅଧିକାରୀମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହେବା ଦରକାର। ଓଡ଼ିଶା ସରକାର ଆଦାନୀଙ୍କୁ ଯେଉଁ କଣ୍ଟ୍ରାକ୍ଟ ଦେଇଛନ୍ତି ତାହାକୁ ବାତିଲ କରାଯାଉ। ଆଦାନୀ ଲାଞ୍ଚ କାରବାର ସଂପର୍କରେ ବିଭିନ୍ନ ସଭା ସମିତି ଆୟୋଜନ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ। ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଗନ୍ଧମାର୍ଦ୍ଦନର ୬୦-୮୦ କିମି ବ୍ୟବଧାନରେ ବକ୍ସାଇଟ ଭରି ରହିଛି। ପୂର୍ବରୁ ଏହି ପର୍ବତକୁ ବାଲ୍କୋକୁ ଦେବା ଲାଗି ଉଦ୍ୟମ ହୋଇଥିଲା। ଏବେ ଆଦାନୀ ସେହି ଅଞ୍ଚଳରେ ଜମି କିଣିବା ଫଳରେ ସ୍ଥାନୀୟ ଲୋକମାନଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିଲାଣି। ଗନ୍ଧମାର୍ଦ୍ଦନ ପର୍ବତକୁ କୌଣସି ଭାବେ ଆଦାନୀ ହାତକୁ ଟେକି ଦିଆଯିବ ନାହିଁ। ଗାଣତାନ୍ତ୍ରିକ ଉପାୟରେ କଂଗ୍ରେସ ଏହାର ବିରୋଧ କରିବ। ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ବୟାନ ଦିଅନ୍ତୁ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ଓ ବିଶ୍ବରଂଜନ ମହାନ୍ତି ଉପସ୍ଥିତ ଥିଲେ।
ଆଦାନୀ-ସୌରଶକ୍ତି ଲାଞ୍ଚ ମାମଲାରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରଣଜିତ ପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ କୁଶ ପୁତ୍ତଳିକା ଦାହ ସହ ରାସ୍ତା ଅବରୋଧ କରାଯାଇଥିଲା। ଏହି ମହାଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ବାରା ତଦନ୍ତ କରିବା ସହ ଆଦାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏହି ବିକ୍ଷୋଭରେ ଯୁବ କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜିତ ସିଂହ, ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଂପାଦିକା ସରିଫା ରେହମନା, ୟାସିର ନୱାଜ, ଉଦିତ ପ୍ରଧାନ, ଆଲୋକ ଦାସ, ସତ୍ୟବ୍ରତ ଦାସ, ମହମ୍ମଦ ଗୁଲଫାମ, ନିହାର ବେହେରା, ଗୋପନ ମାର୍ଥା, ମହମ୍ମଦ ପରଭେଜ, କାର୍ତ୍ତିକ କାଣ୍ଡି. ଅମିତ ଆଚାର୍ଯ୍ୟ, କେଦାର ଦଳେଇ ଓ ରାହୁଲ ପ୍ରମୁଖ ସାମିଲ ହୋଇଥିଲେ।