ରାଷ୍ଟ୍ରବାଦୀ ନେତା ଥିଲେ ଡକ୍ଟର ମହତାବ: ରାଷ୍ଟ୍ରପତି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ। ଦେଶକୁ ଏକଜୁଟ୍ କରିବା ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଡକ୍ଟର ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ଯେ ଡକ୍ଟର ମହତାବ ଜଣେ ଦୂର ଦୃଷ୍ଟିସମ୍ପନ୍ନ ନେତା ଥିଲେ। ସେ ଜାଣିଥିଲେ ଯେ କେବଳ ଶାରୀରିକ ବିକାଶ ଯଥେଷ୍ଟ ନୁହେଁ, ସାଂସ୍କୃତିକ ସଚେତନତା ମଧ୍ୟ ଆବଶ୍ୟକ। ସେ ଜଣେ ବିଶିଷ୍ଟ ଲେଖକ ଥିଲେ। ନିଜେ ଲେଖିବା ସହିତ ସେ ଓଡ଼ିଶାରେ ଏକ ସୁସ୍ଥ, ସାଂସ୍କୃତିକ ପରିବେଶ ସୃଷ୍ଟିକରିଥିଲେ। କଳା, ସାହିତ୍ୟ ଏବଂ ସଙ୍ଗୀତର ପ୍ରଚାର କରିବାରେ ସେ ଅତୁଳନୀୟ ସହଯୋଗ କରିଥିଲେ। ଓଡ଼ିଶାର ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବରେ ଡକ୍ଟର ମହତାବଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ହୀରାକୁଦ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଯୋଗୁଁ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଲା। ଓଡ଼ିଶା ବିଧାନସଭା ଗଠନରେ ତାଙ୍କର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି। ରାଜ୍ୟ ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ବିଭିନ୍ନ ଏକାଡେମୀ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମେତ କ୍ରୀଡ଼ାର ବିକାଶ ପାଇଁ ସେ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ। ତାଙ୍କ ନିର୍ଦ୍ଦେଶରେ କଟକ ଠାରେ ବାରବାଟୀ ଷ୍ଟାଡିୟମ୍ ନିର୍ମାଣ କରାଯାଇଥିଲା। ତତ୍କାଳୀନ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ସମୟରେ ସେ ଅନେକ ଜନକଲ୍ୟାଣ କାର୍ଯ୍ୟ କରିଥିଲେ ଏବଂ ସେହି ବିସ୍ତୃତ ଅବିଭକ୍ତ ବମ୍ବେ ପ୍ରଦେଶର ଲୋକଙ୍କ ସମ୍ମାନ ଲାଭ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ଯେ ଡକ୍ଟର ହରେକୃଷ୍ଣ ମହତାବ ଦେଶଭକ୍ତିକୁ ଦେଶ ବିକାଶର ଆଧାର ଭାବରେ ବିବେଚନା କରିଥିଲେ। ସେ ତାଙ୍କ ବିବୃତି ଏବଂ ଲେଖା ମାଧ୍ୟମରେ ଜାତୀୟତାବାଦୀ ଚିନ୍ତାଧାରା ସହିତ ନାଗରିକମାନଙ୍କୁ ପ୍ରେରଣା ଦେଇଥିଲେ। ତାଙ୍କର ନେତୃତ୍ୱ ଦକ୍ଷତା ଏବଂ ଜାତୀୟତାବାଦୀ ଚିନ୍ତାଧାରା ସବୁବେଳେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ସେହିଭଳି ଏଥିରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ଗର୍ବ ଗୌରବ। ସେ କେବଳ ସ୍ୱତନ୍ତ୍ରତା ସଂଗ୍ରାମୀ ନଥିଲେ, ବରଂ ଜଣେ ମହାନ ସମାଜ ସୁଧାରକ, ପ୍ରଖ୍ୟାତ ରାଜନେତା, ବକ୍ତା, କବି, ଔପନ୍ୟାସିକ, ପ୍ରସିଦ୍ଧ ଇତିହାସକାର ଏବଂ ପତ୍ରକାର ମଧ୍ୟ ଥିଲେ। ସେ ଓଡ଼ିଆ ଅସ୍ମିତାର ଜୀବନ୍ତ ଷ୍ଟେଟ୍ସମ୍ୟାନ। ଓଡ଼ିଶାକୁ ନେଇ ତାଙ୍କଦ୍ୱାରା ଲିଖିତ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଡକ୍ଟର ମହତାବ ଓଡ଼ିଶାର ସର୍ଦ୍ଦାର ପଟେଲ୍ ଥିଲେ ବୋଲି କହିଥିଲେ। ସେହିଭଳି ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ଡକ୍ଟର ମହତାବଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଡାକଟିକଟ ଓ ମୁଦ୍ରା ଉନ୍ମୋଚିତ ହୋଇଥିଲା
୧୪ହଜାର କି.ମି ଦୂରରୁ ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଗୁଏନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରକାଶିତ ହେଉଥିବା ସ୍ମୃତି ସଂସ୍କରଣକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ତ୍ୱେ ସେଠାକାର କ୍ୟାମ୍ପ୍ ଅଫିସ୍ରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାଂସଦ ଭର୍ତ୍ତୃହରି ମହତାବଙ୍କ ନିକଟକୁ ପଠାଇଥିବା ବାର୍ତ୍ତାରେ ଲେଖିଛନ୍ତି, ଅସହଯୋଗ, ଆଇନ ଅମାନ୍ୟ ଓ ଲବଣ ସତ୍ୟାଗ୍ରହ ଆଦି ଆନ୍ଦୋଳନରେ ଭାଗନେଇ ଦେଶର ଜଣେ ପ୍ରମୁଖ ସ୍ୱାଧୀନତାସଂଗ୍ରାମୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ଡକ୍ଟର ମହତାବ। ‘ଉତ୍କଳକେଶରୀ’ ଭାବରେ ମଧ୍ୟ ପରିଚିତ ଥିଲେ। ଓଡ଼ିଶା ଗଠନର ପ୍ରାକ୍କାଳରେ ମୁଖ୍ୟମନ୍ତ୍ରୀ ଭାବରେ ଐତିହାସିକ ନିଷ୍ପତ୍ତି ନେବାରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଏବଂ ବହୁମୁଖୀ କାର୍ଯ୍ୟ ନିମନ୍ତେ ଲୋକେ ତାଙ୍କୁ ସବୁବେଳେ ମନେ ପକାଉଛନ୍ତି। ରାଜ୍ୟ ତଥା ଦେଶର ଉନ୍ନତିକଳ୍ପେ ଉତ୍ସର୍ଗୀକୃତ ଓ ପ୍ରତିବଦ୍ଧ ହୋଇ କାର୍ଯ୍ୟକରିବା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଦୀର୍ଘ ୫ ଦଶନ୍ଧି ତଳେ ଡକ୍ଟର ମହତାବଙ୍କୁ ସାକ୍ଷାତ କରିବାର ସ୍ମୃତିକୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି ଲେଖିଛନ୍ତି, ଦେଶ ଯେତେବେଳେ ‘ବିକଶିତ ଭାରତ’ ଆଡ଼କୁ ଅଗ୍ରସର ହେଉଛି; ସେତେବେଳେ ଡକ୍ଟର ମହତାବଙ୍କ ଭଳି ଜ୍ୟୋତିର୍ମୟ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଏକ ସୁଦୃଢ଼ ଓ ସମାବେଶୀ ଦେଶଗଠନରେ ସହାୟକ ହେବ। ଭାରତଠାରୁ ପ୍ରାୟ ୧୪ହଜାର କି.ମି ଦୂରରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ବାର୍ତ୍ତା ଡକ୍ଟର ମହତାବଙ୍କ ପ୍ରତି ଗଭୀର ସମ୍ମାନର ସନ୍ତକ।