ଧାମନଗରରେ ଦୀପାବଳି ଓ ବିଭିନ୍ନ ମଣ୍ଡପରେ (ଶ୍ୟାମା) କାଳୀ ପୂଜା
1 min read

ଧାମନଗରରେ ଦୀପାବଳି ଓ ବିଭିନ୍ନ ମଣ୍ଡପରେ (ଶ୍ୟାମା) କାଳୀ ପୂଜା

ଧାମନଗର୦୧-୧୧-୨୦୨୪ (ପିପିଏସ) : ଦେବୀ ଆରାଧନା ଓ ଶକ୍ତି ଉପାସନା କେବଳ ଭାରତ ବର୍ଷ ନୁହଁ ସମଗ୍ର ବିଶ୍ବରେ ଏକ ପ୍ରଭାବଶାଳୀ ପରମ୍ପରା। ସମଗ୍ର ଭାରତ ବର୍ଷରେ ୫୧ ଟି ଶକ୍ତି ପୀଠ ଓ ୨୬ ଟି ଉପ ଶକ୍ତି ପୀଠ ଅଛି। ଏହି ପୀଠ ମାନଙ୍କରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀରେ ଦେବୀ ପୂଜନ ସହ ଶକ୍ତି ଉପାସନା କରାଯାଏ। ବ୍ୟାସ ରଚିତ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଶ୍ରୀ ଶ୍ରୀ ଚଣ୍ଡିରେ ମହାକାଳୀ, ମହାଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଦେବୀ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପ ଭାବେ ଉପାସନା କରାଯାଏ। ବର୍ଷର ଆଶ୍ଵିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ଦଶମୀ ତିଥି ମଧ୍ୟରେ ମା’ ଦୂର୍ଗାଙ୍କ ପୂଜା କରାଯାଏ। ଦୁର୍ଗାପୂଜାର ପାଞ୍ଚ ଦିନ ପରେ ଲକ୍ଷ୍ମୀ ପୂଜା ଓ ଏହାର ଚଉଦ ଦିନ ପରେ କାଳୀପୂଜା ଅନୁଷ୍ଠିତ ହୁଏ। ଅରବିନ୍ଦଙ୍କ ମତରେ ଏହି ଚାରି ମହା ଶକ୍ତି ବିଶ୍ଵର ସୃଷ୍ଠି ପ୍ରକ୍ରିୟାକୁ ପରିଚଳନା କରୁଛନ୍ତି। ଏହି କ୍ରମରେ ପ୍ରତିବର୍ଷ ଆଶ୍ୱିନ ମାସ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ଅବସରରେ ମା’ କାଳୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଏ। ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ ଅନୁଷ୍ଠିତ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ଧୂଷୁରୀ ଥାନା ବ୍ରାହ୍ମଣପାଳ ଗ୍ରାମର ସର୍ବ ପୁରାତନ ଶକ୍ତି ପୀଠ ଅନ୍ୟତମ। ଜନ ମତରେ ଏଠାରେ ଦେବୀ ହେଉଛନ୍ତି ଆଦ୍ୟା କାଳୀ। ଦୀର୍ଘ ୫୦୧ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ବର୍ଷ ସାରା ଶକ୍ତି ରୁପିଣୀ ଅଷ୍ଟଧାତୁ ନିର୍ମିତ ମା’ ଦକ୍ଷିଣକାଳୀ ମୂର୍ତ୍ତି ପୂଜା କରାଯାଉ ଥିଲେ ମଧ୍ଯ ଆଶ୍ଵିନ ଅମାବାସ୍ୟାରେ ମୃଣ୍ମୟୀ ପ୍ରତିମା ପୂଜା କରାଯାଏ। ଏଠାରେ ପୂଜକ ଭାବେ କାଳନ୍ଦୀ ପଣ୍ଡାଙ୍କ ଠାରୁ ବଂଶାନୁକ୍ରମେ ମଦନ ପଣ୍ଡା ଯାଏ ମା’ ଙ୍କର ପୂଜା କରି ଆସୁଛନ୍ତି। ସେହିପରି ଧୂଷୁରୀ ବଜାର, ଧାମନଗର ବଡ଼ ବଜାର, ବ୍ଲକ ବଜାର,ଦୋବଲ କାଳୀ ବଜାର, ଭଗବାନପୁର ବଜାର ,କୋଠାର ଛକ ଇତ୍ୟାଦି ସ୍ଥାନରେ ମା’ କାଳୀଙ୍କ ପୂଜା ଭକ୍ତି, ଭାବ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ ଅଧିକାଂଶ ପୂଜା ମଣ୍ଡପ ଓ ନିକଟରେ ନିର୍ମିତ ବାରୁଆଳୀ ଦର୍ଶକଙ୍କ ମନ ମୋହୁଛି।ଏଥି ସହିତ ଲୋକକଳା ଗାୟକ ଉମାକାନ୍ତ ମାଝୀଙ୍କ ପଳିକିରୀ ସ୍ଥିତ ଦକ୍ଷିଣକାଳୀ ମଠରେ କାଳୀପୂଜା ରୀତିନୀତିର ସହ ଭାବ ଭକ୍ତିରେ ପାଳନ କରାଯାଇଛି। ପଞ୍ଜିକାର ମାନଙ୍କ ଦ୍ଵୀମତ ସତ୍ତ୍ୱେ ବିରଜା ପଞ୍ଜିକା ଅନୁସାରେ ଧାମନଗର ଅଞ୍ଚଳରେ ୩୧ ତାରିଖ ଗୁରୁବାର ଦୀପାବଳି ଓ କାଳୀପୂଜା ପାଳନ କରାଯାଇଛି। ଏହି ପର୍ବର ପ୍ରାଚୀନତା ଅନସ୍ବୀକାର୍ଯ୍ୟ। ଏହି ପର୍ବକୁ ସାମୁହିକ ଓ ଆନୁଷ୍ଠାନିକ ସ୍ଵୀକୃତି ଦେବା ମୂଳରେ ଯେଉଁ ସବୁ ଉପାଖ୍ୟାନ ରହିଛି ତନ୍ମଧ୍ୟରୁ ପଣ୍ୟକାର ଏବଂ ବଣିକ ମାନଙ୍କର ଅର୍ଥନୈତିକ ପରିକଳ୍ପନା ଅନ୍ୟତମ। ଏତଦ ବ୍ୟତୀତ ଦୀପାବଳୀର ଦୀପ ଓ ଆଲୋକମାଳା ସଂସ୍ପର୍ଶରେ ଆସି ବର୍ଷା ଦିନେ ସୃଷ୍ଟି ହୋଇଥିବା ସ୍ଵାସ୍ଥ୍ୟ ହାନିକର କୀଟପତଙ୍ଗ ମୃତ୍ୟୁ ବରଣ କରିଥାନ୍ତି। ମୋଟ ଉପରେ କହିବାକୁ ଗଲେ ଏହା ଏମିତି ଏକ ପର୍ବ ଯାହା ପୌରାଣିକ, ସାମାଜିକ ଓ ବୈଜ୍ଞାନିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ। ତେବେ ଦୀପାବଳି ହେଉଛି ଆଲୋକର ପର୍ବ। ଅଜ୍ଞାନ, ଅଶୁଭ ଭଳି ଅନ୍ଧକାରକୁ ଦୁରକରି ଜ୍ଞାନ ଓ ଶୁଭ ରୂପକ ଆଲୋକରେ ଆଲୋକିତ ପାଇଁ ଏହି ସନ୍ଧ୍ୟାରେ ଘରେ ଘରେ ଦୀପ ପ୍ରଜ୍ବଳିତ ହୁଏ। ଏହି ଆଲୋକ ଜଗତବାସୀଙ୍କୁ ଶାନ୍ତି, ସୌହର୍ଦ୍ଦ୍ୟ ଓ ସୁଖର ବାର୍ତ୍ତା ପ୍ରଦାନ କରେ। ସେହିପରି ଏହି ରାତ୍ରରେ ମା’ କାଳୀ ଜଗତର ଶାନ୍ତି ପ୍ରତିଷ୍ଠା ପାଇଁ ପୂଜିତା।(ଫୋଟୋ)

Leave a Reply

Your email address will not be published. Required fields are marked *