ଶିମିଳିପାଳରେ ନୂଆ ଅତିଥି :ମହାରାଷ୍ଟ୍ରର ମହାବଳ

ବାରିପଦା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମହାରାଷ୍ଟ୍ରର ମହାବଳ ଓଡ଼ିଶାର ଶିମିଳିପାଳ ଅଭୟାଣ୍ୟରେ ଗର୍ଜିବ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳକୁ ଅଣାଯାଇଛି। ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଲକ୍ଷ୍ୟରେ ଏହାକୁ ଅଣାଯାଇଛି। ଏହାକୁ ଅଭୟାରଣ୍ୟରେ ଛଡ଼ାଯିବ। ମହାରାଷ୍ଟ୍ରର ଏହି ମହାବଳକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ତଡ଼ବା ବ୍ୟାଘ୍ର ଅଭୟାରଣ୍ୟକୁ ଯାଇଥିଲେ। ଏହି ବାଘକୁ କିଛିଦିନ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର କ୍ଲୋଜରରେ ରଖି ଅବଜରଭେସନ କଲା ପରେ ଶିମିଳିପାଳ କୋର ଏରିଆ ଭିତରେ ଛଡ଼ାଯିବ। ବନ ବିଭାଗର ସୂଚନା ଅନୁସାରେ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ୨ଟି ବାଘ ଆସିବାର ଯୋଜନା ରହିଛି। ଆଜି ଗୋଟିଏ ବାଘ ଆସିଥିବା ବେଳେ ଆଗାମୀ ଦିନରେ ଆଉ ଏକ ବାଘ ଆସିବ।ରାଜ୍ୟ ସରକାର ଶିମିଳିପାଳରେ ବାଘ ବଂଶ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ଶିମିଳିପାଳରେ ପାଖାପାଖି ୩୦ଟି ବାଘ ଅଛନ୍ତି। ଗତ ଥର ବ୍ୟାଘ୍ର ଗଣନା ସମୟରେ ସରକାର କହିଥିଲେ ଯେ, ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ହୋଇଛି। ଶିମିଳିପାଳରେ ଅତୀତରେ କଳାବାଘ ମଧ୍ୟ ଚଳପ୍ରଚଳ କରୁଥିବାର ପିସିସିଏଫ୍‌ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ଜଣାଇଥିଲେ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଜାତୀୟ ଉଦ୍ୟାନରେ ମହାବଳ ବାଘ, ହାତୀ, ଗୟଳ, ଚଉଶିଙ୍ଗା ହରିଣ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରୁଛନ୍ତି। ଶିମିଳିପାଳ ନାମ ଶିମୁଳିର ଘନଜଙ୍ଗଲର ଅବସ୍ଥିତିରୁ ଆସିଛି। ଏହି ଅଭୟାରଣ୍ୟର ଆୟତନ ୮୪୫.୭୦ ବର୍ଗ କିଲୋମିଟର। ଏହା ମଧ୍ୟରେ ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ରହିଛି। ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ। ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ। ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ। ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି। ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି। ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି। 

Leave A Reply

Your email address will not be published.