ପାଣି ଘେରରେ ଥାଇ ବି ପାନୀୟ ଜଳର ଉତ୍କଟ ସମସ୍ୟା
1 min read

ପାଣି ଘେରରେ ଥାଇ ବି ପାନୀୟ ଜଳର ଉତ୍କଟ ସମସ୍ୟା

 ପାଣି ଘେରରେ ଥାଇ ବି ପାନୀୟ ଜଳର ଉତ୍କଟ ସମସ୍ୟା

-ସେତୁ ଯୋଜନାରେ ୩୬୩ କୋଟିରୁ ୨୧୬ କୋଟି ଖର୍ଚ୍ଚ ହେଲାଣି
-ଜଳ ଓ ପରିମଳ ବିଭାଗ ଗୋଟିଏ ବି କାମ ଆରମ୍ଭ କରିନାହିଁ

ମାଲକାନଗିରି/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ସରକାର ଗତ ୨୦୧୮-୧୯ ମସିହାରୁ ୨୦୨୩-୨୪ ମସିହା ପର୍ଯ୍ୟନ୍ତ ୧୩ଟି ବିଭାଗରେ ୩୬୩ କୋଟି ଟଂକା ଖର୍ଚ୍ଚ ନେଇ ଏଷ୍ଟିମେଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୧୬ କୋଟି ଟଂକା ଖର୍ଚ୍ଚ ହୋଇସାରିଲାଣି। କିନ୍ତୁ ଆଜି ବି ସ୍ବାଭିମାନ ଅଂଚଳବାସୀଙ୍କର ମୌଳିକ ସମସ୍ୟା ଦୂର ହୋଇପାରିଲା ନାହିଁ। ୧୩ଟି ବିଭାଗ ମଧ୍ୟରୁ ଜଳ ଓ ପରିମଳ ବିଭାଗକୁ ୭୦ଟି କାମ ପାଇଁ ୧୮ କୋଟି ୪ ଲକ୍ଷ ଟଂକା ଅନୁମୋଦିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଟଂକାଟିଏ ମଧ୍ୟ ଖର୍ଚ୍ଚ କରିପାରି ନାହାନ୍ତି। ସ୍ବାଭିମାନ ଅଂଚଳବାସୀ ପାଣି ଘେରରେ ଥାଇ ମଧ୍ୟ ପାଣି ଟିକକ ପାଇଁ ଡହଳବିକଳ ହେଉଛନ୍ତି। ସରକାର ସ୍ବାଭିମାନ ଅଂଚଳର ଲୋକଙ୍କ ନିକଟରେ ପାନୀୟ ଜଳ ପହଞ୍ଚିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଆଉ କେତେ ବର୍ଷରେ କାମ ସରିବ ବୋଲି ପ୍ରଶ୍ନ କରାଯାଇଛି।

publive-image

ଯଦି ବିଭାଗ ଅନୁଯାୟୀ କେତେ ଟଂକା ଆସିଛି ଓ ଖର୍ଚ୍ଚ ହୋଇଛି ରିପୋର୍ଟ ଦେଖିବା ତେବେ ମିସନ ଶକ୍ତି ବାବଦକୁ ୨୦ଟି କାମ ପାଇଁ ୮୫ କୋଟି ୭ ଲକ୍ଷ ଟଂକା ବରାଦ ହୋଇଥିବା ବେଳେ ଏବେ ସୁଦ୍ଧା ୬୩ କୋଟି ୪ ଲକ୍ଷ ଟଂକା ଆସିଛି। ଏଥିରୁ ୩୩ କୋଟି ୩ ଲକ୍ଷ ଟଂକା ଖର୍ଚ ହୋଇସାରିଲାଣି।ମାତ୍ର ୫୨ ପ୍ରତିଶତ କାମ ସରିଛି।

ସେହିପରି ଆଇଟିଡିଏ ତରଫରୁ ୧୮୧ଟି କାମ କରାଯିବା ନେଇ ସରକାର ନିଷ୍ପତ୍ତି ନେଇଥିବା ବେଳେ ୮୫ଟି କାମ ସରିଛି ଏବଂ ଏହି ପ୍ରୋଜେକ୍ଟଗୁଡିକ ବାବଦକୁ ୫୩ କୋଟି ୫୯ ଲକ୍ଷ ଟଂକା ଏଷ୍ଟିମେଟ ହୋଇଥିବା ବେଳେ ୫୧ କୋଟି ୪୩ ଲକ୍ଷ ଟଂକା ଆସିଛି। ଏଥିରୁ ୨୩ କୋଟି ୯୩ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ଏହି ବିଭାଗ ୪୬ ପ୍ରତିଶତ କାମ ସାରିଛି। ପୂର୍ତ୍ତ ବିଭାଗ ୫ଟି ପ୍ରୋଜେକ୍ଟ ହାତକୁ ନେଇଥିବା ବେଳେ ୩୮ କୋଟି ଟଂକା ଏଷ୍ଟମେଟ ହୋଇଛି।

ବର୍ତ୍ତମାନ ସୁଦ୍ଧା ୨୭ କୋଟି ୭୯ ଲକ୍ଷ ଟଂକା ଆସିଛି। ଏଥିରୁ ଟଂକାଟିଏ ବି ଖର୍ଚ୍ଚ କରାଯାଇ ନାହିଁ। ଆରଡି ବିଭାଗକୁ ୩୨ଟି ପ୍ରୋଜେକ୍ଟ ପାଇଁ ୫୩ କୋଟି ୮୪ ଲକ୍ଷ ଟଂକାର ଏଷ୍ଟିମେଟ ହୋଇଥିବା ବେଳେ ୪୫ କୋଟି ୯ ଲକ୍ଷ ଟଂକା ଆସିଛି। ଏଥିରୁ ୪୪ କୋଟି ୬୫ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ଏହି ବିଭାଗ ୯୯ ପ୍ରତିଶତ ଖର୍ଚ୍ଚ କରିସାରିଲାଣି।

ସେହିପରି ଉଠାଜଳସେଚନ ବିଭାଗକୁ ୩୯୦ଟି ପ୍ରକଳ୍ପ ପାଇଁ ୬୩ କୋଟି ୮୩ ଲକ୍ଷ ଟଂକା ପାଇଥିବା ବେଳେ ଏଥିରୁ ୩୪ କୋଟି ୬୪ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ଜିଲ୍ଲା ଶିକ୍ଷା ବଭାଗକୁ ୭୫୮ଟି କାର୍ଯ୍ୟ ପାଇଁ ୪୯ କୋଟି ୨ ଲକ୍ଷ ଟଂକା ଏଷ୍ଟିମେଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୨ କୋଟି ୧୫ ଲକ୍ଷ ଟଂକା ଆସିଛି। ଏଥିରୁ ୧୪ କୋଟି ୫୬ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। କୃଷି ବିଭାଗ ୮୪ କୋଟି ୪ ଲକ୍ଷରୁ ୮୧ କୋଟି ୫ ଲକ୍ଷ ଟଂକା ଖର୍ଚ୍ଚ କରିସାରିଲେଣି। ମତ୍ସ୍ୟ ବିଭାଗ ୧୦ଟି ପ୍ରକଳ୍ପ ବାବଦକୁ ୧୫ କୋଟି ୮୩ ଲକ୍ଷ ଟଂକା ପାଇଥିବା ବେଳେ ସେଥିରୁ ୧୪ କୋଟି ୭୯ ଲକ୍ଷ ଟଂକା ଖର୍ଚ୍ଚ କରିସାରିଲେଣି। ବିଦ୍ୟୁତ ବିଭାଗ ୧୧୬ଟି କାର୍ଯ୍ୟ ପାଇଁ ୩୨ କୋଟି ୨୭ ଲକ୍ଷ ଟଂକା ପାଇଥିବା ବେଳେ ସେଥିରୁ ୧୮ କୋଟି ୩୩ ଲକ୍ଷ ଟଂକା ଖର୍ଚ୍ଚ କରିସାରିଲେଣି।

ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ୧୬ଟି ପ୍ରକଳ୍ପ ପାଇଁ ୯ କୋଟି ୩୪ ଲକ୍ଷ ଟଂକା ପାଇଥିବା ବେଳେ ସେଥିରୁ ୯ କୋଟି ୧୩ ଲକ୍ଷ ଟଂକା ଖର୍ଚ୍ଚ କରିସାରିଲେଣି। ଚିତ୍ରକୋଣ୍ଡା ବିଡିଓ ୩୩୧ଟି ପ୍ରକଳ୍ପ ପାଇଁ ୧୯ କୋଟି ୫୭ ଲକ୍ଷ ଟଂକା ପାଇଥିବା ବେଳେ ସେଥିରୁ ୧୭ କୋଟି ୧୫ ଲକ୍ଷ ଟଂକା ଖର୍ଚ୍ଚ କରିସାରିଲେଣି। କୋରକୋଣ୍ଡା ବିଡିଓ ୫୮ଟି ପ୍ରକଳ୍ପ ପାଇଁ ୭ କୋଟି ୨୫ ଲକ୍ଷ ଟଂକା ପାଇଥିବା ବେଳେ ସେଥିରୁ ୧୦ ଲକ୍ଷ ଟଂକା ଖର୍ଚ୍ଚ କରିଥିବା ଜଣାପଡିଛି। ଏତେ ଏତେ ଟଂକା ସରକାର ଖର୍ଚ୍ଚ କରିଥିଲେ ମଧ୍ୟ ଆଜି ବି ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚି ପାରିନଥିବାରୁ ଜିଲ୍ଲାପାଳଙ୍କ ଗସ୍ତରେ ଲୋକେ ସମସ୍ୟାର ପାହାଡ ଛିଡା କରିଦେଇଥିଲେ। ଏହାର ଉଚିତ ତଦନ୍ତ ହେଲେ ସେତୁ ଯୋଜନାରେ କେଉଁ ବିଭାଗ କେତେ ହେରଫେର କରିଛି ସବୁ ସତ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *