ପୋତି ହୋଇଯାଉଛି ଇନ୍ଦ୍ରାବତୀ ଡ୍ୟାମ୍
ଜଳଭଣ୍ଡାର ଭିତରକୁ ଆସୁଛି ୪ ନଦୀର ମାଟି,ପଙ୍କ
କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି।
ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍ ନିରାପତ୍ତା ସମୀକ୍ଷା ପ୍ୟାନେଲ୍ ଦେଇଥିବା ରିପୋର୍ଟକୁ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।
ଭବାନୀପାଟଣା,ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍ ନିରାପତ୍ତା ସମୀକ୍ଷା ପ୍ୟାନେଲ୍ ଦେଇଥିବା ରିପୋର୍ଟକୁ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର ୨୬୩୧ବର୍ଗ କିମି ପରିଧିରେ ଅବସ୍ଥିତ। ସେଥିମଧ୍ୟରୁ ୧୧୦ ବର୍ଗ କିମି ଅଞ୍ଚଳରେ ପାଣି ରହିଛି। ଏହି ଜଳଭଣ୍ଡାରରେ କପୁର, ମୁରାନ, ପୋଡ଼ାଗଡ଼ ଓ ଇନ୍ଦ୍ରାବତୀ ନଦୀ ମିଶିଛି। ଉକ୍ତ ୪ଟି ମୁଖ୍ୟ ନଦୀ ଜଳଭଣ୍ଡାରରେ ପଡ଼ିବା ଯୋଗୁଁ ମାଟି କାଦୁଅ ଓ ପଙ୍କ ଇନ୍ଟେକ୍ ୱେଲ୍ରେ ଜମା ହୋଇ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଜଳସ୍ତର ୬୨୮ ମିଟର ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ହେଉଥିବା ବେଳେ ଜଳସ୍ତର ୬୨୫ ମିଟର ଯାଏ ପହଞ୍ଚିଲେ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଇନ୍ଟେକ୍ ୱେଲ୍ରେ ପ୍ରାୟ ୩ମିଟରରୁ ଅଧିକ ପଙ୍କ ଜମି ଯାଇଥିବା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ୨୦୦୩ ମସିହାରେ କୋକିଲପଦରଠାରେ ୩କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଙ୍କ ଅବରୋଧ ଫାଟକ ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ ପରେ ଏହା ଭୁଶୁଡ଼ି ପଡିଥିଲା। ୨୦୦୯ ମସିହାରେ ଡ୍ୟାମ୍ ସୁରକ୍ଷା ରିଭ୍ୟୁ ପ୍ୟାନେଲ୍ ଦ୍ୱାରା ଏକ କେନ୍ଦ୍ରୀୟ ଟିମ୍ ସର୍ଭେ କରି ୧୦ ବର୍ଷ ପରେ ଡ୍ୟାମ୍ ପୋତି ହୋଇଯିବ ବୋଲି ରିପୋର୍ଟ ଦେବା ପରେ ସରକାରଙ୍କ ଚିନ୍ତା ବଢ଼ିଥିଲା।
ଜଳଭଣ୍ଡାର ଭିତରକୁ ଆସୁଛି ୪ ନଦୀର ମାଟି,ପଙ୍କ
ଡ୍ୟାମ୍ ନିରାପତ୍ତା ପ୍ୟାନେଲ୍ ରିପୋର୍ଟକୁ ଅଣଦେଖା
ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ଆଶଙ୍କା
ପରେ ଗତ ୨ବର୍ଷ ତଳେ ପ୍ରାୟ ୨୪କୋଟି ବ୍ୟୟରେ ଓସିସି ପକ୍ଷରୁ ପଙ୍କ ଉଦ୍ଧାର କରାଯାଇଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଇନ୍ଟେକ୍ ୱେଲ୍ ନିକଟରୁ ମାତ୍ର ୧ ମିଟର ପଙ୍କ ଉଦ୍ଧାର ହୋଇଥିଲା। କୋଲକାତାର ଏକ ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଆହୁରି ପଙ୍କ ରହିଥିବା ଯୋଗୁଁ ଇନ୍ଦ୍ରାବତୀର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ୟାନେଲ୍ ରିପୋର୍ଟ ଅନୁଯାୟୀ ଇନ୍ଦ୍ରାବତୀ ଡ୍ୟାମ୍ରେ ପଙ୍କ ଭର୍ତ୍ତି ହେବା ଯୋଗୁଁ ଉଭୟ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ବର୍ତ୍ତମାନ ୧ଲକ୍ଷ ୧୮ହଜାର ହେକ୍ଟର୍ ମଧ୍ୟରୁ ୧ଲକ୍ଷ ୧୨ହଜାର ହେକ୍ଟର ଜମି ଜଳସେଚିତ ହେଉଛି। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ କେନାଲ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି, ସେତିକି ଗୁରୁତ୍ୱ ଡ୍ୟାମ୍ର ସୁରକ୍ଷା ଓ ପଙ୍କ ଉଦ୍ଧାର ଉପରେ ଦିଆଯାଉନାହିଁ। କୁମୁଡ଼ାସିଲଠାରୁ ଥୁଆମୂଳ ରାମପୁର ପର୍ଯ୍ୟନ୍ତ ପ୍ରାୟ ୫୨କିମି ଜଙ୍ଗଲ ଧ୍ୱଂସ ପାଇବା ଫଳରେ ବର୍ଷା ଦିନେ ମାଟି ପାଣି ବହିଯାଇ ଜଳଭଣ୍ଡାରକୁ ପୋତି ପକାଉଛି। ସରକାରୀସ୍ତରରେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡିଛି। ଏ ସଂପର୍କରେ ସିସିଇ ଜଗନ୍ନାଥ ପାଣିଙ୍କୁ ପଚାରିବାରୁ ପ୍ରାୟ ୪୦ କୋଟିରୁ ଊର୍ଦ୍ଧ୍ବ ବ୍ୟୟ ଅଟକଳରେ ପଙ୍କ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି।