ଡ୍ରୋନ୍‌ କରିବ ଡ୍ରେନ୍‌ ସର୍ଭେ
1 min read

ଡ୍ରୋନ୍‌ କରିବ ଡ୍ରେନ୍‌ ସର୍ଭେ

ଗତବର୍ଷ ବି ସମ୍ବେଦନଶୀଳ ଜାଗା ଖୋଜିଥିଲେ

ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଭୁବନେଶ୍ବରରେ ଥିବା ଡ୍ରେନ୍‌ଗୁଡ଼ିକର ଡ୍ରୋନ୍‌ ସର୍ଭେ ହେବ। ଡ୍ରୋନ୍‌ ଉଡ଼ି ସମ୍ବେଦନଶୀଳ ଜାଗା ଖୋଜିବ। ଏହି ସବୁ ଜାଗା ଚିହ୍ନଟ ହେବା ପରେ ବିଏମ୍‌ସି ଏକ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିବ। ଫଳରେ ଜଳବନ୍ଦି ସମସ୍ୟାରୁ ମୁକ୍ତି ମିଳିବ ବୋଲି ବିଏମ୍‌ସି ଯୋଜନା କରିଛି। କାର୍ଯ୍ୟାଦେଶ ଦିଆଯିବାର ମାସେ ମଧ୍ୟରେ ଏହି ସର୍ଭେ ସାରି ସଂସ୍ଥା ବିଏମ୍‌ସିକୁ ରିପୋର୍ଟ ପ୍ରଦାନ କରିବ। ରିପୋର୍ଟ ଆଧାରରେ ବିଏମ୍‌ସି ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। 

ତେବେ ଏହା ନୂଆ କଥା ନୁହେଁ। ଗତ ବର୍ଷ ମଧ୍ୟ ବିଏମ୍‌ସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଭଳି ଡ୍ରେନ୍‌ ସର୍ଭେ କରିଥିଲା। ଏହି ‌ସର୍ଭେ ଜରିଆରେ ୩୭ ସମ୍ବେଦନଶଳୀ ଜାଗା ଚିହ୍ନଟ ହୋଇଥିଲା। ଏହି ସବୁ ସ୍ଥାନ କିଭଳି ଜଳବନ୍ଦିରୁ ମୁକ୍ତ ହେବ ସେ ନେଇ ମାନସମନ୍ଥନ ହୋଇଥିଲା। ହେଲେ କିଛି ଫଳ ହେଲା ନାହିଁ। ଚଳିତ ବର୍ଷାରେ ପୂର୍ବବତ୍‌ ଭୁବନେଶ୍ବର ଭାସିଲା। ଡ୍ରୋନ୍‌ ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ନାନା ଅଘଟଣ ବି ଘଟିଲା। ବାସ୍ତବରେ ଡ୍ରୋନ୍‌ ସର୍ଭେରୁ କିଛି ତଥ୍ୟ ମିଳିଥିଲା ନା କେବଳ କାଗଜପତ୍ରରେ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ସେ ନେଇ ପ୍ରଶ୍ନ ଉଠିଥିଲା। ଏବେ ପୁଣି ଥରେ ଡ୍ରୋନ୍‌ ସର୍ଭେ କରିବା ପାଇଁ ବିଏମ୍‌ସି ଟେଣ୍ଡର ଡାକିଛି। ଯଦି ଥରେ ସର୍ଭେରେ କୌଣସି ସୁଫଳ ମିଳିଲା ନାହିଁ ତେବେ ପୁଣି ଥରେ ମୋଟା ଅଙ୍କର ଖର୍ଚ୍ଚ କାହିଁକି? ବଡ଼କଥା ହେଉଛି ଡ୍ରୋନ୍‌ ସର୍ଭେରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଜାଗାରୁ ଜଳ ନିଷ୍କାସନ କରିବା ପାଇଁ ବିଏମ୍‌ସି ପାଣି ପମ୍ପ କିଣିବାକୁ ଟେଣ୍ଡର ଡାକିଥିଲା। ହେଲେ ଏହାକୁ ଅଚାନକ ବାତିଲ କରି ଦିଆଯାଇଥିଲା। ଯାହାକୁ ନେଇ ବିବାଦ ହୋଇଥିଲା। 

ତେବେ କେବଳ ନଳା ସର୍ଭେ ନୁହେଁ, ବରଂ ବିଏମ୍‌ସି ମଶା ଉତ୍ସ ଖୋଜିବା ପାଇଁ ଡ୍ରୋନ୍‌ ସର୍ଭେ କରିଥିଲା। ଡ୍ରୋନ୍‌ ଜରିଆରେ ଔଷଧ ମଧ୍ୟ ସିଞ୍ଚନ କରିଥିଲା। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଯିବାରୁ ଏଭଳି ଏକ ଅଭିନବ ପ୍ରୟାସ କରିଥିଲା। ହେଲେ ଏହା ଫେଲ୍‌ ମାରିଥିଲା। ଲକ୍ଷଲକ୍ଷ ଟଙ୍କା ଅକାରଣରେ ବରବାଦ ହୋଇଥିଲା। ଏହା ପରେ ମଧ୍ୟ ଡ୍ରୋନ୍‌ର ଡ୍ରୋନ୍‌ ସର୍ଭେ କରିବାକୁ ନେଇ ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା ଟେଣ୍ଡର ଡାକି ବିବାଦକୁ ଆସିଛନ୍ତି। ବଡ଼କଥା ହେଉଛି ଏହି ଡ୍ରୋନ୍‌ ସର୍ଭେ ବାବଦରେ କର୍ପୋରେସନର ସ୍ବୀକୃତି ନିଆଯାଇ ନାହିଁ। ଗତ ମାସ ୨୭ ତାରିଖରେ କର୍ପୋରେସନ ବୈଠକ ବସିଥିଲା। ଏହି ବୈଠକକୁ ଗୋଟିଏ ସପ୍ତାହ ମଧ୍ୟ ବିତିନାହିଁ। କଣ ଏମିତି ଆବଶ୍ୟକତା ପଡ଼ିଲା ଯେ, ଡ୍ରୋନ୍‌ ସର୍ଭେର ନିଷ୍ପତ୍ତି ନିଆଗଲା? ପୂର୍ବରୁ ଏଭଳି ଅନେକ ଉଦାହରଣ ଅଛି ଯେଉଁଠି କର୍ପୋରେସନର ବିନା ସ୍ବୀକୃତିରେ ବିଏମ୍‌ସି ଅଧିକାରୀମା‌ନେ ବିଏମ୍‌ସିର ଅର୍ଥ ବରବାଦ କରିଛନ୍ତି। କାର୍ଯ୍ୟ ସରିବା ପରେ କର୍ପୋରେସନର କାର୍ଯ୍ୟତ୍ତୋର ସ୍ବୀକୃତି ନିଆଯାଇଛି। ଯେଉଁଥିପାଇଁ ପ୍ରବଳ ହୋ ହଲ୍ଲା ହୋଇଥିବା ନଜୀର ରହିଛି। ଗୋଟିଏ ପଟେ ବିଏମ୍‌ସିରେ ଅର୍ଥ ନଥିବା କମିସନର କହୁଥିବା ବେଳେ ଏହି ଡ୍ରୋନ୍‌‌ ପିଛା ଅର୍ଥ ବରବାଦ କାହା ବୁଦ୍ଧିରେ ହେଉଛି ବୋଲି ଏକାଧିକ କର୍ପୋରେଟର ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *