ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ। ତେବେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କମ୍ ରହିଛି। ଲଘୁଚାପ ରୂପରେ ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଓଡ଼ିଶା ଉପରେ କୌଣସି ବାତ୍ୟା ଭୟ ନାହିଁ। ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏହାପରେ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ।
ଅକ୍ଟୋବରରେ ବଢ଼ୁଥିବା ତାପମାତ୍ରା ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବିଭିନ୍ନ ଋତୁରେ ତାପମାତ୍ରା ବଢ଼ୁଛି। ତେବେ ଶୀତ ଋତୁରେ ସବୁଠାରୁ ବେଶି ତାପମାତ୍ରା ବୃଦ୍ଧି ହେଉଛି। ଜାନୁଆରି ଓ ଫେବ୍ରୁଆରି ମାସରେ ତାପମାତ୍ରା ଅଧିକ ରହୁଛି। ମୌସୁମୀ ବାୟୁ ଫେରିବା ପରବର୍ତ୍ତୀ ସମୟ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ଫଳରେ ତାତି ଅନୁଭୂତ ହେଉଛି। ପ୍ରାକୃତିକ ଉପାୟରେ ଦେଖିଲେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଯେଉଁ ଗତି ହୋଇଥାଏ, ସେହି ଅନୁଯାୟୀ ଓଡ଼ିଶାରେ ଏପ୍ରିଲ ଓ ମେ’ ମାସରେ ଗରମ ଅନୁଭୂତ ହୁଏ। ତା’ପରେ ପୁଣି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଅନୁସାରେ ମୌସୁମୀ ସମୟରେ ତାପମାତ୍ରା କମିଯାଇଥାଏ। ମୌସୁମୀ ଫେରିବା ବେଳେ ଅକ୍ଟୋବର ମାସରେ ପୁଣିଥରେ ତାପମାତ୍ରା ବଢ଼ିଥାଏ। ଏଥର ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଲା-ନିନା ସକ୍ରିୟ ହେବ। ତାହାର ସ୍ଥିତିକୁ ଦେଖି ଚଳିତବର୍ଷ ଶୀତର ଅବସ୍ଥା କ’ଣ ରହିବ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ୪ ତାରିଖ ପୂର୍ବାହ୍ନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୩ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହେବ। ୮ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିପାରେ।