ଜୀବନ ସୃଜନଶୀଳତାର ପ୍ରଥମ ପାହାଚ “ଗପ”
ଆରମ୍ଭ ହୋଇଛି “ଆସ ପଢ଼ିବା ଗପ ବହି” ନାମରେ ଏକ ଅଭିଯାନ
କଟକ,୦୩-୧୦-୨୦୨୪ (ପିପିଏସ) : ବୁଢ଼ୀ ଅସୁରୁଣୀ ଗପ କିଏ କହି ପାରିବ? ଅଧିକାଂଶ ପିଲା କହିବେ ଆମେ ଜାଣିନୁ।ଆପଣ ଏହା ପରୀକ୍ଷା କରି ଦେଖି ପାରନ୍ତି । ଅଧିକାଂଶ ଘରେ ଆଉ ବୟସ୍କ ସଦସ୍ୟଙ୍କ ପାଖରେ ନାତି ନାତୁଣୀ ନାହାନ୍ତି। ଘରେ ଖୋଜିଲେ ଭଲ ଗପ ବହିଟିଏ ମିଳିବା କଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ଗପ କହିବ କିଏ ଆଉ ଶୁଣିବ କିଏ। ଲାଗୁଛି ଗପ ବା କାହାଣୀ ଯାହାକୁ ଆମେ ସୃଜନଶୀଳତାର ପ୍ରଥମ ପାହାଚ କହିଲେ ଅତ୍ୟୁକ୍ତି ହେବ ନାହିଁ, ତା ଠାରୁ ଧିରେ ଧୀରେ ଦୂରେଇ ବାରେ ଲାଗିଛି ଶୈଶବ ଆଉ କୈଶୋର ଅବସ୍ଥା। ପିଲାଙ୍କ ହାତରେ ଗପ ବହିଟିଏ ଦେଖିବା ଏବେ ଏକ ବିରଳ ଦୃଶ୍ୟରେ ପରିଣତ ହେବାକୁ ବସିଥିବା ବେଳେ, ସେହି କୁନି କୁନି ହାତରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ମୋବାଇଲ ଫୋନ। ଯାହା ଭିତରେ ଭର୍ତି ହୋଇ ରହିଛି ଉଭୟ ଭଲ ଓ ଖରାପ ବିଷୟ। ଏହା ଆଗକୁ ସୃଷ୍ଟି କରିବାକୁ ଯାଉଛି ଏକ ଭୟଙ୍କର ସମସ୍ୟା।
ତେବେ ଏ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏକ ଛୋଟ ପ୍ରୟାସ ଆରମ୍ଭ କରିଛନ୍ତି କଟକର କିଛି ଯୁବ ସାମ୍ୱାଦିକ। କଟକ ସହରର ଏକ ବସ୍ତିକୁ ଯାଇ ବାଣ୍ଟି ଛନ୍ତି ଗପ ବହି। ଆରମ୍ଭ ହୋଇଛି “ଆସ ପଢ଼ିବା ଗପ ବହି” ନାମରେ ଏକ ଅଭିଯାନ। ଗପ ବହି ସହିତ, ଖାତା, କଲମ, ପେନସିଲ୍, ରବର, କଟର୍, ଓ ଚକୋଲେଟ୍ ଆଦି ଦିଆଯାଇ ପିଲାଙ୍କୁ ଗପ ପଢ଼ିବା ପାଇଁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାମ୍ୱାଦିକ ରାଜକିଶୋର ପଣ୍ଡା, ଜୟ ମହାନ୍ତି, ଜଗନ୍ନାଥ ପ୍ରସାଦ ମହାନ୍ତି, ବିଭୁ ପ୍ରସାଦ ସ୍ବାଇଁ, ପ୍ରିୟବ୍ରତ ପଟ୍ଟନାୟକ, ସଞ୍ଜୟ ଚକ୍ରବର୍ତ୍ତୀ, ଗୁରୁଦତ୍ତ ମହାନ୍ତି, ସିଦ୍ଧେଶ୍ୱର ରାଉଳ, ଜ୍ଞାନ ରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଆଗକୁ ଏହି କାର୍ଯ୍ୟକ୍ରମ ଶାରା ଓଡ଼ିଶାରେ ହେବବୋଲି କହିଛନ୍ତି ଯୁବ ସାମ୍ବାଦିକ ଜେ.ପି ମହାନ୍ତି ।