ସମସ୍ୟାରେ ଉବୁଟୁବୁ କୋଣାର୍କ ,ସୁଯୋଗ ରହିଛି କିନ୍ତୁ ଆନ୍ତରିକତା ନାହିଁ।

କୋଣାର୍କ(, ପି ପି ଏସ):- ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କର ନାମ ଲିପିବଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଅତନ୍ତ୍ୟ ମନ ମୁଗ୍ଧକର। ହେଲେ କୋଣାର୍କରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗର ଅଭାବ ଜଳ ଜଳ ହୋଇ ଦେଖିବାକୁ ମିଳୁଛି । କୋଣାର୍କ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ରହିଥ‌ିବା ବେଳେ ହୀନମନ୍ୟତା, ରାଜନୈତିକ ବିଭେଦ ଓ ଆନ୍ତରିକତା ଅଭାବ ପାଇଁ ଏହି ସ୍ଥାନର ଆଶାନୁରୂପକ ବିକାଶ ହୋଇପାରିନାହିଁ । ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଜମିକମା ସମସ୍ୟା ଦୀର୍ଘ ଅର୍ଥ ଶତାବ୍ଦୀରୁ ଅଧ‌ିକ ସମୟ ଧରି ନଟ୍ ଫାଇନାଲ ଭାବେ ପଡ଼ିରହିଛି, ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ମଧ୍ୟ ହୋଇପାରୁ ନାହିଁ। ଫଳରେ କେତେକ ବିକାଶ କାର୍ଯ୍ୟ ଜନ୍ମ ହେଉ ହେଉ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି।

ଜୋଣାର୍କରେ ଡାକ୍ତରଖାନା ଅଛି କିନ୍ତୁ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହୋଇପାରୁନାହିଁ। ପ୍ରଶସ୍ତ ହେଲିପ୍ୟାଡ ରହିଥିବା ସମୟରେ ପ୍ରସ୍ତାବିତ ମିନି ଏୟାରପୋର୍ଟ ପାଇଁ ଭିତିଭୂମି ବିକାଶ ଦୂରେଇ ଦୂରେଇ ଯାଉଛି । ନବେ ଦଶକରୁ ପ୍ରସ୍ତାବିତ ରେଳପଥ କାର୍ଯ୍ୟକାରୀ ଏଯାବତ ହୋଇପାରି ନାହିଁ । କୋଣାର୍କକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ଘଟୁଥିଲେ ମଧ୍ୟ ରାତ୍ରୀ ସ୍ଥାପନ ପାଇଁ କୌଣସି ପ୍ରକାର ସୁବନ୍ଦୋବସ୍ତ ନାହିଁ । ଏକର ଏକର ସରକାରୀ ଜମି ଓ ଖୋଲା ପଡ଼ିଆ ରହିଥ‌ିବା ବେଳେ କୋଣାର୍କ ଏନ୍ଏସିର ସ୍ଥାୟୀ ପାର୍କିଂ ଖଣ୍ଡେ ନାହିଁ,ଫଳରେ ଜାତୀୟ ରାଜପଥ ଉପରେ ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି।

ଏହିପରି ଅନେକ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନର ଦିଗ ରହିଛି । କିନ୍ତୁ ଦୃଢ଼ ନେତୃତ୍ବ ଓ ମନୋବଳର ଅଭାବ ଯୋଗୁଁ ବିକାଶର ରଥ ଧିମେଇ ଯାଇଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଜନସାଧାରଣଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ପ୍ରକାଶ ପାଇଛି। ଏ ଦିଗରେ ଉଭୟ କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ପ୍ରକାଶ ମତ ପାଇଛି ।

Leave A Reply

Your email address will not be published.