କୋଣାର୍କ(ପି ପି ଏସ):-ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ୨୦ଟି କ୍ଲଷ୍ଟରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରତ୍ୟେକ ଗ୍ରାମରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରିଛି। ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟରେ ଶିଶୁ ଵାଟିକା ଓ ପ୍ରଥମ ଶ୍ରେଣୀରେ ଶିଶୁମାନଙ୍କ ନାମ ଲେଖାଇ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରିତ ନିପୁଣ ଭାରତ ତଥା ଓଡ଼ିଶା ମିଶନକୁ ସାକାର କରିଵା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଵା ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା ପ୍ରକାଶ କରିଛନ୍ତି। ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପୁଷ୍ପମିତ୍ରା ମିଶ୍ରଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପ୍ରଵେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହେବାସହ ପାଞ୍ଚବର୍ଷ ବୟସ୍କ ଶିଶୁଙ୍କୁ ଶିଶୁଵାଟିକା ଏବଂ ଛଅ ବର୍ଷ ଵୟସ୍କ ଶିଶୁମାନଙ୍କର ନାମ ପ୍ରଥମ ଶ୍ରେଣୀରେ ଲେଖାଯିଵା ପ୍ରକ୍ରିୟା ଜାରି ରହିଛି। ବ୍ଲକର ପ୍ରତ୍ୟେକ ବିଦ୍ୟାଳୟକୁ ଶିଶୁ ବାଟିକା ସମେତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବିଇଓ ଶ୍ରୀ ଵ୍ରହ୍ମା ସୂଚନା ଦେଇଛନ୍ତି।

