‘ଶ୍ରୀରାଧା’ର ସ୍ରଷ୍ଟା ତଥା ଓଡ଼ିଶାର ଖ୍ୟାତନାମା କବି ରମାକାନ୍ତ ରଥ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଭୁବନେଶ୍ବରଠାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ‘ଶ୍ରୀରାଧା’ର ସ୍ରଷ୍ଟା ତଥା ଓଡ଼ିଶାର ଖ୍ୟାତନାମା କବି ରମାକାନ୍ତ ରଥ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ଭୁବନେଶ୍ବରଠାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କର ପୁଅ ସିଙ୍ଗାପୁରରୁ ଆସିବା ପରେ ଅନ୍ତିମସଂସ୍କାର କରାଯିବ ବୋଲି ସୂଚନା ରହିଛି।ବରେଣ୍ୟ କବି ରମାକାନ୍ତ ରଥ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ ଇଂରାଜୀରେ ଭାଷା ସାହିତ୍ୟରେ ରେଭେନ୍ସା କଲେଜରୁ ସ୍ନାତକୋତ୍ତର କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଏହି ସମୟରେ ତାଙ୍କ ରଚିତ କବିତା ସଂକଳନ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ପ୍ରକାଶ ପାଇଥିଲା। ଏହି ସାତଟି କବିତା ସଂକଳନ ମଧ୍ୟରୁ ‘ଶ୍ରୀରାଧା’ ଲାଗି ସେ ସର୍ବାଧିକ ଚର୍ଚ୍ଚିତ ହେବା ସହ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ। ତାଙ୍କ ରଚିତ ସଂକଳନ ସୀମାନ୍ତ ବାସ,ଫେରି ଚାହିଁଲେ, ସବୁଦିନେ ସେପାଖେ, ଯା ନ ଯା କହୁ କହୁ, ସରଳ ହୃଦଗଣିତ ଓ ଧର୍ମପଦର ଆତ୍ମହତ୍ୟା ଆଦି ପାଠକ ମହଲରେ ବେଶ୍ ଆଦୃତ ହୋଇଥିଲା। କବି ରମାକାନ୍ତ ସନ୍ଥ କବୀରଙ୍କ କବିତାର ମଧ୍ୟ ଅନୁବାଦ କରିଥିଲେ ଏବଂ ତାହା ‘ସେବେ, ଏବେ, ସବୁବେଳେ’ ସଂକଳନରେ ସ୍ଥାନିତ ହୋଇଥିଲା। ତେବେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ‘ସପ୍ତମ ଋତୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କୃତ କରିଥିଲା। ୧୯୮୪ରେ ‘ସଚିତ୍ର ଅନ୍ଧାର’ ସଂକଳନ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୨ରେ ସେ ଓଡ଼ିଶାର ମୁଖ୍ୟ ସଚିବ ଥିବା ବେଳେ ଅବସର ଗ୍ରହଣ କରିଥିଲେ। ସେହି ୧୯୯୨ରେ ତାଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ରଚିତ କାବ୍ୟକବିତା ଇଂରାଜୀ ଓ ୮ଟି ଭାରତୀୟ ଭାଷାରେ ଅନୁଦିତ।ଉଲ୍ଲେଖଯୋଗ୍ୟ, ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମିର ଉପ-ସଭାପତି ଏବଂ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୨୦୦୯ରେ ସେ ସମ୍ମାନଜନକ ସାହିତ୍ୟ ଏକାଡେମି ଫେଲୋସିପ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।ସ୍ବକୀୟ ସୃଜନ ପ୍ରତିଭା ଲାଗି ସେ ବହୁ ଭାବେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୦୬ରେ ପଦ୍ମ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏଥିସହ ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ( ୨୦୧୮), ବିଷୁବ ପୁରସ୍କାର(୧୯୯୧), ଝଙ୍କାର କବିତା ପୁରସ୍କାର (୧୯୭୦),ସାରଳା ସମ୍ମାନ (୨୦୧୧) ସାହିତ୍ୟ ଭାରତୀ ସମ୍ମାନ( ୨୦୦୬), କଳିଙ୍ଗ ରତ୍ନ (୨୦୦୯) ଓ ଉତ୍କଳ ରତ୍ନ (୨୦୧୭) ଆଦି ପୁରସ୍କାର ଲାଭ କରିଥିଲେ।ବରେଣ୍ୟ କବି ରମାକାନ୍ତ ରଥଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।