ଦଶ ଦିନର ଶିଶୁକୁ ୬୦ ଚେଙ୍କ ମାମଲା
ଜେଜେମା କୋର୍ଟ ଚାଲାଣ ପରେ ଜେଲ ଗଲେ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆ ଯାଇଥିଲା
ଚନ୍ଦାହାଣ୍ଡି/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆ ଯାଇଥିଲା।ଏହି ମାମଲାରେ ଗୁରୁବାର ଚନ୍ଦାହାଣ୍ଡି ପୁଲିସ ଶିଶୁର ଜେଜେମାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନାରେ କେସ ନଂ ୩୩/୨୫ ଆଧାରରେ ଶିଶୁର ବାପା ସରୋଜ ନାୟକ, ମା ପୂର୍ଣ୍ଣମୀ ନାୟକ ଏବଂ ଜେଜେମା କୁନ୍ତଳା ମଶ୍ରାଙ୍କ ନାମରେ ଏକ ମାମଲା ରୁଜୁ କରି ନିଜେ ଆଇଆଇସି ପ୍ରଶାନ୍ତ କୁମାର କୋଲ୍ଲାହର୍ଷ ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ।ଗୁରୁବାର ଶିଶୁର ଜେଜେମା କୁନ୍ତଳା ମଶ୍ରାଙ୍କୁ ବିଏନଏସର ଧାରା ୧୧୮(୨)/୩(୫)ଏବଂ ୨୩ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଗିରଫ କରି ଝରୀଗାଁ ପ୍ରଥମ ଶ୍ରେଣୀ ବିଚରାପତିଙ୍କ ଅଦାଲତକୁ ଚାଲାଣ କରାଯାଇଥିବା ଆଇଆଇସି କୋଲ୍ଲା ହର୍ଷ ପ୍ରକାଶ କରିଛନ୍ତି। ତେବେ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ସୂତ୍ରରୁ ଜଣା ପଡିଛି।ପ୍ରକାଶ ଥାଉକି ଶିଶୁ ଜନ୍ମ ହେବାର ଦଶ ଦିନ ପରେ ବହୁତ କାନ୍ଦୁ ଥିବାରୁ ଶିଶୁକୁ ଚେଙ୍କ ଦେଲେ ସୁସ୍ଥ ହେବ ବୋଲି ଲୋକଙ୍କ ପାଖରୁ ଶୁଣି ଶିଶୁର ବାପା, ମା ଓ ଜେଜେମା ଶିଶୁର ମୁଣ୍ଡ ଓ ପେଟରେ ଚେଙ୍କ ଦେଇଥିଲେ। ଯାହା ଫଳରେ ଶିଶୁ ଗୁରୁତର ହେବାରୁ ଉମରକୋଟ ଡିଏନକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ସିଡ଼ି ଏମ ଓ ଡ଼ଃ ସନ୍ତୋଷ କୁମାର ପଣ୍ଡା ଶିଶୁର ଚିକିତ୍ସା କରିବା ପରେ ଶିଶୁ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା।