ଅନ୍ଧାରରେ କଟୁଛି ୩୫୦୦ ପରିବାରଙ୍କ ଜୀବନ
୨୭୪ ପଡ଼ା ଗାଁରେ ନାହିଁ ବିଜୁଳି ଆଲୁଅ
ନବରଙ୍ଗପୁର ଜିଲ୍ଲାର ୨୭୪ ପଡ଼ା ଗାଁରେ ବସବାସ କରୁଥିବା ୩୫୫୩ ପରିବାର ଆଜି ବି ଅନ୍ଧାରରେ ରହୁଛନ୍ତି। ଏଯାଏଁ ଏହି ଗାଁ ଗୁଡ଼ିକରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ସରକାରୀ ରେକର୍ଡରେ ଏହି ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ
ନବରଙ୍ଗପୁର/ଭୁବନେଶ୍ୱର ୦୬-୦୩-୨୦୨୫(ପିପିଏସ) : ନବରଙ୍ଗପୁର ଜିଲ୍ଲାର ୨୭୪ ପଡ଼ା ଗାଁରେ ବସବାସ କରୁଥିବା ୩୫୫୩ ପରିବାର ଆଜି ବି ଅନ୍ଧାରରେ ରହୁଛନ୍ତି। ଏଯାଏଁ ଏହି ଗାଁ ଗୁଡ଼ିକରେ ବିଜୁଳି ଆଲୁଅ ପହଞ୍ଚି ପାରିନି। ସରକାରୀ ରେକର୍ଡରେ ଏହି ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍ ଆଲୁଅ ଯୋଗାଇ ଦିଆଯାଉଛି ବୋଲି କୁହାଯାଉଛି। ବାସ୍ତବତା ହେଲା ସୋଲାର ପ୍ରକଳ୍ପ ଗୁଡ଼ିକ ବହୁ ଦିନ ଧରି ଅଚଳ ରହିଥିଲେ ସୁଦ୍ଧା ମରାମତି ହୋଇପାରୁନି।ନବରଙ୍ଗପୁର ବ୍ଲକର ୪ଟି ପଡ଼ା ଗାଁରେ ୩୧ପରିବାର ବସବାସ କରୁଥିଲା ବେଳେ ଅନ୍ଧାରରେ ରାତି କାଟୁଛନ୍ତି। ସେହିପରି ନନ୍ଦାହାଣ୍ଡି ବ୍ଲକର ୪ ପଡ଼ା ଗାଁର ୭୦ ପରିବାର, ତେନ୍ତୁଳିଖୁଣ୍ଟି ବ୍ଲକର ୩୭ ପଡ଼ା ଗାଁର ୨୩୩ ପରିବାର, ପାପଡ଼ାହାଣ୍ଡି ବ୍ଲକର ୪୪ ପଡ଼ା ଗାଁର ୪୯୮ ପରିବାର, ଡାବୁଗାଁ ବ୍ଲକର ୧୮ ପଡ଼ା ଗାଁର ୧୪୪ ପରିବାର, କୋଷାଗୁମୁଡ଼ା ବ୍ଲକର ୩୧ ପଡ଼ା ଗାଁର ୪୨୪ ପରିବାର, ଉମରକୋଟ ବ୍ଲକର ୨୪ ପଡ଼ା ଗାଁର ୩୩୦ ପରିବାର, ରାଇଘର ବ୍ଲକର ୧୮ ପଡ଼ା ଗାଁର ୨୦୯ ପରିବାର, ଝରିଗାଁ ବ୍ଲକର ୫୪ ପଡ଼ା ଗାଁର ୧୨୫୨ ପରିବାର ଓ ଚନ୍ଦାହାଣ୍ଡି ବ୍ଲକର ୪୦ଟି ପଡ଼ା ଗାଁର ୩୬୨ ପରିବାର (ମୋଟ ୨୭୪ ଗାଁର ୩୫୫୩ ପରିବାର) ବିଦ୍ୟୁତ୍ ଆଲୁଅରୁ ବଞ୍ଚିତ ହୋଇଛନ୍ତି।ତୁରନ୍ତ ଏହି ପରିବାର ନିକଟରେ ବିଦ୍ୟୁତ୍ ଆଲୁଅ ପହଞ୍ଚାଇବା ନିମନ୍ତେ ଜିଲ୍ଲା କମିଟି ନିକଟରେ ବିଦ୍ୟୁତ୍ ବିଭାଗ ରିପୋର୍ଟ ଦାଖଲ କରିଥିଲା। ଏଥିପାଇଁ ୨୫କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ସେହିପରି ନନ୍ଦାହାଣ୍ଡି ବ୍ଲକ ପୁଟୁଘର ପଡ଼ାର ୮ ପରିବାର, ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଜଲାଗୁଡ଼ା ଓ ଟାଙ୍ଗିଣିକୋଟ ପଡ଼ାର ୪୭ ପରିବାର, ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଜଙ୍ଗଲିପାରା ଓ ତୁମାପାରା ପଡ଼ାର ୨୮ ପରିବାରକୁ ୮୩ଟି ସୋଲାର ପ୍ୟାନେଲ୍ ମାଧ୍ୟମରେ ବିଦ୍ୟୁତ୍ ଯୋଗାଇବା ପାଇଁ ୪୧ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହାବ୍ୟତୀତ ଅନ୍ୟ କେଉଁ ପଡ଼ା ଗାଁ ବିଦ୍ୟୁତ୍ ଆଲୁଅରୁ ବଞ୍ଚିତ ଅଛନ୍ତି ତାହାର ରିପୋର୍ଟ ପ୍ରଦାନ କରିବାକୁ ବ୍ଲକ କାର୍ଯ୍ୟାଳୟ ଗୁଡ଼ିକୁ ଅନୁରୋଧ କରାଯାଇଛି।
ତେବେ କିଛି ପଡ଼ା ଗାଁକୁ ପୂର୍ବରୁ ସୋଲାର ମାଧ୍ୟମରେ ଆଲୁଅ ଯୋଗାଇ ଦିଆଯାଇଥିବା କୁହାଯାଉଛି। ବାସ୍ତବରେ ଅଧିକାଂଶ ଗାଁରେ ସୋଲାର ପ୍ରକଳ୍ପ ଅଚଳ ହୋଇଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଜଳଭଣ୍ଡାର ଆରପଟେ ଥିବା ଝଲାଗୁଡ଼ା ଓ ଟାଙ୍ଗିଣିକୋଟ ଗାଁରେ ସୋଲାର ଲାଇଟ୍ ସଂଯୋଗ ନାଁରେ କିଛି ବ୍ୟକ୍ତି ଶହେ ଟଙ୍କା ଲେଖାଏଁ ଆଦାୟ କରିଥିଲେ ସୁଦ୍ଧା ବିଦ୍ୟୁତ୍ ସଂଯୋଗ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯେଉଁ ପଡ଼ା ଗାଁରେ ବିଦ୍ୟୁତ୍ ଆଲୁଅ ନାହିଁ ସେଠାରେ କାଠ ଜାଳି କିମ୍ବା ଡିବିରି ଜାଳି ଲୋକ ରାତି ବିତାଉଛନ୍ତି। ପୂର୍ବରୁ ବିଜୁ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାରେ ପଡ଼ା ଗାଁକୁ ବିଦ୍ୟୁତ୍ ସଂଯୋଗ କାମ ଆରମ୍ଭ ହୋଇଥିଲା। ବିଡ଼ମ୍ବନା ହେଲା ଏହି ଯୋଜନାରେ ୭୧ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ଆସନ୍ତା ଏପ୍ରିଲ ସୁଦ୍ଧା ସେହି ୭୧ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଯିବ ବୋଲି କୁହାଯାଉଛି।