ତିନି ସହରରେ ପୌର ନିର୍ବାଚନ ହେବ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ରାଜ୍ୟର ୩ ପ୍ରମୁଖ ସହରରେ ପୌର ନିର୍ବାଚନ ବନ୍ଦ ରହିଛି । ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ରହିଛି। ସେହିପରି, ପୁରୀରେ ଗତ ୬ ବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଛି । ତେବେ ଏନେଇ ହାଇକୋର୍ଟଙ୍କ ଶୁଣାଣି ପରେ, ପୁଣିଥରେ ଏହି ୩ ସହରରେ ପୌର ନିର୍ବାଚନ ଆରମ୍ଭ ହେବ। ଏସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ବିଜେଡି ସରକାରଙ୍କ ଅମଳରେ ପୌର ନିର୍ବାଚନ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା । ଏହି ୩ ସହରରେ ପୁଣିଥରେ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକତା ରହିଛି ଆମ ସରକାର ତାହା କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.