ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣା
ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜେରା
ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାରେ ପୁଣି ଜଣଙ୍କୁ ଆଜି ପୁଲିସ ଜେରା କରୁଛି। ଜେରା ହେଉଥିବା ବ୍ୟକ୍ତି ହେଲେ ବିକାଶ ମହାବଳ। ତାଙ୍କ ଘର ସମ୍ବଲପୁର ଧନୁପାଲିରେ ଏବଂ ସେ ନବ ଦାସଙ୍କ ନିକଟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ।
ଝାରସୁଗୁଡ଼ା/ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାରେ ପୁଣି ଜଣଙ୍କୁ ଆଜି ପୁଲିସ ଜେରା କରୁଛି। ଜେରା ହେଉଥିବା ବ୍ୟକ୍ତି ହେଲେ ବିକାଶ ମହାବଳ। ତାଙ୍କ ଘର ସମ୍ବଲପୁର ଧନୁପାଲିରେ ଏବଂ ସେ ନବ ଦାସଙ୍କ ନିକଟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ଅତିରିକ୍ତ ଏସପି ମଧୁସିକ୍ତା ମିଶ୍ର, ଏସଡିପିଓ ଉମାଶଙ୍କର ସିଂହ ଓ ଝାରସୁୁଗୁଡ଼ା ଥାନା ଅଧିକାରୀ ରଂଜନ ବରିହା ବିକାଶଙ୍କୁ ସକାଳ ୧୦ଟାରୁ ଜେରା କରୁଥିବା ଜଣାଯାଇଛି।ସୂଚନାଯୋଗ୍ୟ, ନିକଟରେ ଲଳିତଙ୍କ ବାପା ବେଲାଲସେନ ସାହୁ ଘଟଣାର ପୁନଃତଦନ୍ତ ସହ ନ୍ୟାୟ ଦାବି କରିବା ପରେ ଏହି ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ୨୦୨୨ ମସିହା ଏପ୍ରିଲ ୧୭ ତାରିଖରେ ଲଲିତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହି ସମୟରେ ସାଇଣ୍ଟିଫିକ୍ ଟିମ୍ ଆଙ୍କିଥିବା ‘ସ୍ପଟ୍ ମ୍ୟାପ୍’ ‘ସମ୍ବାଦ’ର ହସ୍ତଗତ ହୋଇଛି। ମ୍ୟାପ୍ରେ ବର୍ଣ୍ଣନା କରାଯାଇଥିବା ଘର ଉଚ୍ଚତା, ମୃତଦେହର ସ୍ଥିତି ଘଟଣାକୁ ଅଧିକ ସନ୍ଦେହ ଆଡ଼କୁ ନେଇଯାଉଛି। ଲଳିତ ଯେଉଁ ଘରେ ଆତ୍ମହତ୍ୟା କରିଥିଲେ ସେହି ଘରର ଉଚ୍ଚତା ୮ ଫୁଟ ୮ ଇଞ୍ଚ ଥିବା ବେଳେ ଲଳିତଙ୍କ ଉଚ୍ଚତା ୧୭୦ ସେମି ଅର୍ଥାତ୍ ୫ ଫୁଟ ୬ ଇଞ୍ଚ ଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲଳିତଙ୍କ ପାଦର ବୁଢ଼ା ଆଙ୍ଗୁଠି ଚଟାଣରେ ପଡ଼ିଥିବା ୧୨ ସେମି ଉଚ୍ଚତାର ମାଟ୍ରେସ୍ ଉପରେ ଲାଗି ରହିଥିଲା। ଏହାସହିତ ଲଳିତ ଆତ୍ମହତ୍ୟା ପାଇଁ ଯେଉଁ ଚଉକି ବ୍ୟବହାର କରିଥିବା ଦର୍ଶାଯାଇଛି ତାହାର ଉଚ୍ଚତା ୪୫ ସେମି ବା ୧.୪୭ ଫୁଟ ରହିଥିଲା। ସିଲିଂରୁ ଫ୍ୟାନ୍ର ନୋଜ୍ ଯାଏ ଦୂରତା ପ୍ରାୟ ୧ ଫୁଟ ୨ଇଞ୍ଚ ରହିଥିଲା। ଲଳିତଙ୍କ ଶବ ଝୁଲିଥିବା ରଶିର ଲମ୍ବ ସେ ଚଢ଼ିଥିବା ଚଉକିର ଉଚ୍ଚତାରୁ ମାତ୍ର ୩ ସେମି ଅଧିକ ରହିଥିବାରୁ ମୃତ୍ୟୁ ପଛରେ ଆତ୍ମହତ୍ୟା କାରଣ ରହିଥିବା ସହଜରେ ଗ୍ରହଣ କରି ହେଉନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏ ନେଇ ଏସ୍ପି ସ୍ମିତ୍ ପି ପରମାରଙ୍କୁ ପଚରାଯିବାରୁ ତଦନ୍ତ ପୁଣିଥରେ ମୂଳରୁ ଆରମ୍ଭ ହୋଇଥିବା ବେଳେ ସେଥିରେ ଯାହା ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେପଟେ ପୁଲିସ ରୁଜୁ କରିଥିବା ଅପମୃତ୍ୟୁ ମାମଲାରେ ଆଉ ଏକ ବଡ଼ ଦିଗ ସାମନାକୁ ଆସିଛି। ଲଳିତଙ୍କ ମୃତଦେହ ଝୁଲିଥିବା କୋଠରି ଦ୍ବାର ଭିତରୁ ବନ୍ଦ ରହିଥିଲା ନା ନାହିଁ, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନି। ତଦନ୍ତ ସମୟରେ ସାଇଣ୍ଟିଫିକ୍ ଟିମ୍ର ଫଟୋଗ୍ରାଫି ଓ ଭିଡିଓଗ୍ରାଫିରେ ବି ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ସେହି ସମୟରେ ଦାୟିତ୍ବରେ ଥିବା ସହକାରୀ ସାଇଣ୍ଟିଫିକ୍ ଅଧିକାରୀ ଏହି ମାମଲାର ତଦନ୍ତ ଅଧିକାରୀ (ଇଓ)ଙ୍କୁ ମୃତକଙ୍କ ବାୟୋଲୋଜିକାଲ୍ ମାଟେରିଆଲସ୍ ଯଥା ରକ୍ତ ନମୁନା, ଚୁଟି, ନଖ, ପିନ୍ଧିଥିବା ଲୁଗା ଆଦି ମେଡିକାଲ ଅଫିସରଙ୍କଠାରୁ ଜବତ କରି ବିଶେଷଜ୍ଞଙ୍କ ମତ (ଏକ୍ସପର୍ଟ ଓପିନିଅନ୍) ଜାଣିବା ପାଇଁ ଏସ୍ଏଫଏସ୍ଏଲ୍କୁ ପଠାଇବାକୁ କହିଥିଲେ। କିନ୍ତୁ ଏ ସମ୍ପର୍କରେ ପୋଷ୍ଟମର୍ଟମ୍ ରିପୋର୍ଟରେ କୌଣସି ତଥ୍ୟ ନଥିବା ବେଳେ ଏସ୍ଏଫ୍ଏସ୍ଏଲ୍କୁ ବାୟୋଲୋଜିକାଲ୍ ମେଟେରିଆଲ୍ସ ପଠାଯାଇନଥିଲା। ପରବର୍ତ୍ତୀ ସମୟରେ ଝାରସୁଗୁଡ଼ା ଶବ ବ୍ୟବଚ୍ଛେଦ ଗୃହରେ ଥିବା ଏକମାତ୍ର ପ୍ରମାଣ ଲଳିତଙ୍କ ଭିସେରା ମଧ୍ୟ ଚୋରି ହୋଇ ଯାଇଥିଲା। ପୂରା ଘଟଣାକୁ ନେଇ ସେହି ସମୟର ପୁଲିସ ତଦନ୍ତ ଏବେ ସନ୍ଦେହ ଘେରକୁ ଆସିଛି। ସାକ୍ଷୀଙ୍କୁ ପଚରାଉଚରା (ଫ) ଲଳିତ ସାହୁ ମୃତ୍ୟୁ ଘଟଣାର ପୁନଃତଦନ୍ତ ନେଇ ଉତ୍ତରାଞ୍ଚଳ ଆଇଜି ସୂଚନା ଦେଇଥିଲେ। ଏହାର ସପ୍ତାହକ ପରେ ପୁଲିସର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ସାକ୍ଷୀ ସ୍ବର୍ଗତଃ ନବ ଦାସଙ୍କ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଦୁଆନମୁଣ୍ଡା ଗ୍ରାମର ହେମସାଗର ନାଏକ(୨୩)ଙ୍କୁ ଝାରସୁଗୁଡ଼ା ଥାନାରେ ମାରାଥନ୍ ପଚରାଉଚରା କରାଯାଇଥିଲା। ପ୍ରାୟ ୫ ଘଣ୍ଟା ଧରି ଶ୍ରୀ ନାଏକଙ୍କୁ ପୁଲିସ ପଚରାଉଚରା କରିଥିବା ବେଳେ ଘଟଣା ଦିନର ସମ୍ପୂର୍ଣ୍ଣ କାହାଣୀ ପୁଣି ଥରେ ଜାଣିବାକୁ ଚେଷ୍ଟା କରିଥିଲା। ସେପଟେ ଯେଉଁ ପ୍ରସଙ୍ଗଗୁଡ଼ିକ ସେତେବେଳେ ଅନାଲୋଚିତ ହୋଇ ରହିଥିଲା ସେହିସବୁ ଦିଗ ପ୍ରତି ଏବେ ଗୁରୁତ୍ବ ଦିଆଯାଉଥିବା ଝାରସୁଗୁଡ଼ା ଥାନା ପକ୍ଷରୁ କୁହାଯାଇଥିଲା। ଘଟଣା ଦିନ ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ୫ଟା ମଧ୍ୟରେ ସେ ଲଳିତଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ ଖବର ପାଇଥିଲେ ବୋଲି ଶ୍ରୀ ନାଏକ ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ଲଳିତ ତାଙ୍କ ବ୍ୟକ୍ତିଗତ କଥା କାହାକୁ କିଛି କହୁନଥିଲେ ବୋଲି ଶ୍ରୀ ନାଏକ କହିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଶ୍ରୀ ନାଏକ ୨୦୨୨ରେ ପୁଲିସକୁ ଦେଇଥିବା ବୟାନରେ ଲଳିତଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି କହିଥିବା ବେଳେ କିନ୍ତୁ ନିକଟରେ ଦେଇଥିବା ବୟାନରେ ତାହା ନଥିଲା।