୩ କିମି ଦୂରରେ ଥିବା ସ୍କୁଲକୁ ପାଠପଢ଼ିବାକୁ ଯାଉଛନ୍ତି କୁନିକୁନି ଛାତ୍ରଛାତ୍ରୀ

ରାଇରଙ୍ଗପୁର /ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) :  ପୁଣି ସାମ୍ନାକୁ ଆସିଲା ଉପାନ୍ତରେ ଶିକ୍ଷାର ବିକଳ ଚିତ୍ର। ସ୍କୁଲରେ ତାଲା ପଡ଼ିବା ପରେ ଛୋଟଛୋଟ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ୩ କିଲୋମିଟର ଦୂରକୁ ଚାଲିଚାଲି ଯାଉଛନ୍ତି ଭବିଷ୍ୟତ ଗଢିବା ପାଇଁ। ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଜାମଦା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଦୁର୍ଗମ ଅଞ୍ଚଳ ହରଗୋଡା ପ୍ରାଥମିକ ବିଦ୍ୟାଳୟରେ, ଯେଉଁ ବିଦ୍ୟାଳୟଟି ୨୦୨୦ ମସିହାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦେଶ କ୍ରମେ ତାଲା ବନ୍ଦ କରାଯାଇଥିଲା, ଯାହାର ପରିଣାମ କୁନିକୁନି ଛାତ୍ରଛାତ୍ରୀ ଭୋଗୁଛନ୍ତି, ଗୋଷ୍ଠୀ ଶିକ୍ଷା ଅଧୀକାରୀ ଓ ଜିଲ୍ଲାପାଳଙ୍କ ପାଖରେ ଗ୍ରାମବାସୀମାନେ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ଗ୍ରାମବାସୀ ଗଣାମଧ୍ୟମ ପ୍ରତିନିଧିଙ୍କ ଜରିଆରେ ମୋହନ ସରକାରଙ୍କୁ ଅନୁରୋଧ କରିଛନ୍ତି।

ତେବେ ଗ୍ରାମରେ ସ୍କୁଲ ବନ୍ଦ ପଡ଼ିଥିବାରୁ ବିପଦ ପୂର୍ଣ୍ଣ ଭାବରେ ଜଙ୍ଗଲ ପଶୁଙ୍କ ଆଗରେ ଜୀବନକୁ ବାଜି ଲଗାଇ ଦୀର୍ଘ ୩ କି.ମି ଦୂରରେ ଥିବା ସାଗଜୋଡି ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରଛାତ୍ରୀ ଏବଂ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ ନଯାଇ ବନ୍ଦ ପଡିଥିବା ବିଦ୍ୟାଳୟରେ ସମ୍ମୁଖରେ ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

publive-image

ଏନେଇ ଆମ୍ଭ ପ୍ରତିନିଧି ଶାଗଯୋଡି ବିଦ୍ୟାଳୟ ଯାଇ ପଚାରିବାରୁ ସେଠାରେ ଚଳିତ ବର୍ଷ ୧୦ ଜଣ ଛାତ୍ରଛାତ୍ରୀ କୌଣସି ଉପାୟ ନ ପାଇ ନାମ ଲେଖାଇଛନ୍ତି ବୋଲି ମତ ରଖିଛନ୍ତି ସ୍କୁଲ ଶିକ୍ଷକ। ତେବେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କାହିଁକି ବିଦ୍ୟାଳୟ ଖୋଲା ଯାଉନାହିଁ ବୋଲି ଜାମଦା ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିରାମ ନାୟକଙ୍କୁ ପଚାରିବାରୁ ସେ ଗଣାମଧ୍ୟମ ସମ୍ମୁଖରେ ଏହା ଆମ ହାତରେ ନାହିଁ, ତାହା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଚାହିଁଲେ ଖୋଲାଯାଇ ପାରିବ ବୋଲି ନିଜ ମତ ରଖିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଦୁର୍ଗମ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଥିବା ବେଳେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.