ବିବାଦରେ କାନ୍ଥଚିତ୍ର

ଗୋଟିଏ ପଟେ ସରକାର ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟପଟେ ବିଏମ୍‌ସି ସରକାରଙ୍କୁ ବଦନାମ କରିବାକୁ ଅଣ୍ଟା ଭିଡ଼ିଛି। କେବଳ ସରକାରଙ୍କୁ ବଦନାମ କରୁନାହିଁ, ବରଂ ପଶ୍ଚିମ ଓଡ଼ିଶାର ମହାମନିଷୀମାନଙ୍କ ନାମକୁ ଏଭଳି କଦର୍ଥ କରିଛି ଯେ, ସେମାନଙ୍କର ସମ୍ମାନହାନି ହେଉଛି।

ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ଗୋଟିଏ ପଟେ ସରକାର ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଅନ୍ୟପଟେ ବିଏମ୍‌ସି ସରକାରଙ୍କୁ ବଦନାମ କରିବାକୁ ଅଣ୍ଟା ଭିଡ଼ିଛି। କେବଳ ସରକାରଙ୍କୁ ବଦନାମ କରୁନାହିଁ, ବରଂ ପଶ୍ଚିମ ଓଡ଼ିଶାର ମହାମନିଷୀମାନଙ୍କ ନାମକୁ ଏଭଳି କଦର୍ଥ କରିଛି ଯେ, ସେମାନଙ୍କର ସମ୍ମାନହାନି ହେଉଛି। କୋଟି କୋଟି ଟଙ୍କା ବ୍ୟୟରେ ବିଏମ୍‌ସି ଭୁବନେଶ୍ବର କାନ୍ଥବାଡ଼ରେ କରିଥିବା ଚିତ୍ରରେ ଏଭଳି ଗୁରୁଚଣ୍ଡାଳ ଦୋଷକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବରଗଡ଼ରୁ ପ୍ରକାଶିତ ପାକ୍ଷିକ ଖବର କାଗଜର ସମ୍ପାଦକ ତଥା ବିଶିଷ୍ଟ ସାମାଜିକ କର୍ମୀ ସଞ୍ଜୀବ କୁମାର ମହାପାତ୍ରଙ୍କ ନଜରକୁ ଏହା ଆସିବା ପରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କୁ ତ୍ରୁଟି ସଂ‌ଶୋଧନ ପାଇଁ ଲିଖିତ ନିବେଦନ କରିଛନ୍ତି।ରାଜଭବନରୁ ପାୱାର ହାଉସ୍‌ ପର୍ଯ୍ୟନ୍ତ କାନ୍ଥରେ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ତିନି ଜଣ ମହାନ ପ୍ରତିଭାଙ୍କ ଚିତ୍ର ଅଙ୍କାଯାଇଛି। ଯାହାଙ୍କୁ ସମ୍ମାନ ଜଣାଇ ଏହି ଚିତ୍ର କରାଯାଇଛି, ତାଙ୍କ ନାମରେ ହିଁ ତାଙ୍କୁ ଅପମାନ ଦିଆଯାଇଛି। ସମ୍ବଲପୁରୀ ବସ୍ତ୍ର ଭଣ୍ଡାରର ପ୍ରତିଷ୍ଠାତା ‘କୃତାର୍ଥ ଆଚାର୍ଯ୍ୟ’ଙ୍କ ନାମ ‘କୃତରଥ ଆଚାର୍ଯ୍ୟ’ ବୋଲି ଲେଖାଯାଇଛି। ବିଏମ୍‌ସି ବା ସରକାରଙ୍କ ପକ୍ଷରୁ ଯଦି ଏଭଳି ଲେଖାଯିବ ଆମେ କାହାକୁ କହିବା?ସମଲେଇପଦର ଗ୍ରାମର ମହାନ ସ୍ୱାଧୀନତା ସଂଗ୍ରାମୀ ‘ପାର୍ବତୀ ଗିରି’ଙ୍କ ନାମ ‘ପ୍ରଭ‌ାତି ଗିରି’ ଲେଖାଯାଇଛି। ସ୍ବାଧୀନତା ସଂଗ୍ରାମରେ ଯିଏ ଦେଶ ପାଇଁ ଲଢ଼େଇ କରୁଥିଲେ ତାଙ୍କ ନାମକୁ ଯଦି ଏଭଳି ଆମେ ପରିବର୍ତ୍ତନ କରିଦେବା ‌ତେବେ ଆମେ ଓଡ଼ିଆଙ୍କୁ କଣ ସମ୍ମାନ ଦେଲେ? ବରଗଡ଼ର ଆଉଜଣେ ମହିଳା ସ୍ୱାଧୀନତା ସଂଗ୍ରାମୀ ପ୍ରଭାବତୀ ଦେବୀଙ୍କ ନାମ ‘ପ୍ରଭାତି ଦେବୀ’ ଲେଖାଯାଇଛି। ପ୍ରଖ୍ୟାତ କାବ୍ୟ ‘ପଏର୍ଚ୍ଛା ସତୀ’ର କବି ଖଗେଶ୍ବର ସେଠଙ୍କ ନାମରେ ମଧ୍ୟ ତ୍ରୁଟି ରହିଛି। ଏ ସବୁକୁ ଅନୁଧ୍ୟାନ କଲେ ଅନୁମେୟ ହେଉଛି କି ଏହି ବୀରମାନଙ୍କୁ ଅପମାନ ଦିଆଯାଇଛି। ଏଭଳି କାନ୍ଥଲେଖା କେବଳ ବହିରାଗତ ଅତିଥିଙ୍କୁ ବିଭ୍ରାନ୍ତ କରୁନାହିଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏହା ଅପମାନ। ନାମରେ ତ୍ରୁଟି ଯୋଗୁ ଉଚ୍ଚାରଣ ମଧ୍ୟ ବିକୃତ ହେଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆମେ ନିକଟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ କରିଛୁ। ଭାଷାର ଅଭିବୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ ହେବା ପ୍ରତ୍ୟେକ ସଚେତନ ନାଗରିକର କର୍ତ୍ତବ୍ୟ। ହେଲେ ଏଭଳି ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ରାଜଧାନୀ କାନ୍ଥବାଡ଼ରେ ଓଡ଼ିଶାର ବୀରପୁତ୍ର ଓ ବରପୁତ୍ରମାନଙ୍କ ଫଟୋଚିତ୍ର ଶୋଭା ପାଇବା ଗୌରବର ବିଷୟ। କିନ୍ତୁ ଯୁବବର୍ଗ, ଛାତ୍ରଛାତ୍ରୀ ତଥା ବାହାର ରାଜ୍ୟ, ଦେଶରୁ ଆସୁଥିବା ଲୋକଙ୍କ ପାଖକୁ ଭୁଲ ସୂଚନା ଯିବା ଉଚିତ ନୁହେଁ। ମୁଁ ସମାଲୋଚନା କରୁନାହିଁ, ବରଂ ତ୍ରୁଟି ସଂଶୋଧନ କରିବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.