ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ

ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିବେ ସରକାର ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୬ ମସିହା ସୁଦ୍ଧା ‘ସୁଭଦ୍ରା’ମାନେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେବେ। ଆଜି ଭୁବନେଶ୍ୱରର ଜନତା ମୈଦାନଠାରେ  ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’କୁ ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ରେ ତିନି ବର୍ଷ ମଧ୍ୟରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହେବେ। ୫.୮୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ପାଣ୍ଠିକୁ ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡରେସନ ବା ଜିପିଏଲଏଫମାନଙ୍କ କମ୍ୟୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡକୁ ୩୫ରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏସ୍‌ଏଚ୍‌ଜିମାନଙ୍କର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ରାଜ୍ୟ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଏସ୍‌ଏଚ୍‌ଜିଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଲେଖାଏ ଦେଇ ଆମେ ଚୁପ୍ ହୋଇ ବସିଯିବୁ ନାହିଁ। ସୁଭଦ୍ରା ଯୋଜନା ହେଉଛି, ମହିଳା ସଶକ୍ତୀକରଣର ଏକ ମେରୁଦଣ୍ଡ ସଦୃଶ। କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ ବା କ୍ଲବ୍, କୁହ ସୁଭଦ୍ରା ବା ସୁଭଦ୍ରା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ, ସୁଭଦ୍ରା ପଣ୍ଡିତ୍, ସୁଯୋଗ୍ୟ ସୁଭଦ୍ରା ଭଳି ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ସୁଭଦ୍ରା ଯୋଜନାରେ ଆଗାମୀ ଆର୍ଥିକ ବର୍ଷରେ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ୨୦୩୬ ମସିହା ବେଳକୁ ଓଡ଼ିଶାର ପ୍ରଗତିରେ ସୁଭଦ୍ରାମାନଙ୍କର ସବୁଠାରୁ ବଡ଼ ଅବଦାନ ରହିବ। ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ।  

୩୦୦ରୁ ଅଧିକ ଷ୍ଟଲ୍‌ରେ ୭ଶହ ଏସ୍‌ଏଚ୍‌ଜିଙ୍କ ସାମଗ୍ରୀ ପ୍ରଦର୍ଶନ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ସୁଭଦ୍ରା ମେଳା ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ। ଯଦି ଓଡ଼ିଶାର ମା’, ଭଉଣୀମାନେ ନିରନ୍ତର ପରିଶ୍ରମ କରିବେ ତେବେ ୨୦୩୬ ମସିହା ପୂର୍ବରୁ ବିକଶିତ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ। ଏକାମ୍ର ବିଧାୟକ ବାବୁ ସିଂ କହିଲେ, ଡବଲ ଇଞ୍ଜିନ୍‌ ସରକାରରେ ପରିବାରର ଉଭୟ ପୁରୁଷ ଓ ମହିଳା ରୋଜଗାରକ୍ଷମ ହେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ। ମିସନ୍‌ ଶକ୍ତି କମିସନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଓ ମିସନ୍‌ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟଲ ବୁଲି ଦେଖିବା ସହିତ ସ୍ୱୟଂସହାୟକ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ମେଳାରେ ୭୦୦ରୁ ଅଧିକ ଏସଏଚଜି ୩୦୦ ଷ୍ଟଲରେ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ଏହା ୯ ଦିନ ଧରି ଚାଲିବ। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି। ଆଗାମୀ ଦିନରେ ସମ୍ବଲପୁର, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି ଓ ପୁରୀରେ ସୁଭଦ୍ରା ଶକ୍ତି ମେଳା ହେବ।

Leave A Reply

Your email address will not be published.