ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାର ସିନ୍ ରିକ୍ରିଏସନ୍: ଖେଳ ଦେଖାଇଲା ସ୍ପାଇଡର୍ ସତୀଶ
ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସିନ୍ଧିଚୋର ସ୍ପାଇଡର୍ ସତୀଶ ରେଡ୍ଡୀ ରିମାଣ୍ଡ୍ରେ ଆସିବା ପରେ ଆଜି ଘଟଣାସ୍ଥଳରେ ‘ସିନ୍ ରିକ୍ରିଏସନ୍’ ହୋଇଛି।
ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସିନ୍ଧିଚୋର ସ୍ପାଇଡର୍ ସତୀଶ ରେଡ୍ଡୀ ରିମାଣ୍ଡ୍ରେ ଆସିବା ପରେ ଆଜି ଘଟଣାସ୍ଥଳରେ ‘ସିନ୍ ରିକ୍ରିଏସନ୍’ ହୋଇଛି। କଡ଼ା ସୁରକ୍ଷା ବଳୟରେ କମିସନରେଟ୍ ପୁଲିସ ତାକୁ ଆଣିବା ପରେ ସତୀଶ ନିଜର କାରନାମା ପ୍ରଦର୍ଶନ କରିବା ସହ ପୂର୍ବରୁ ଏଆର୍ଏସ୍ଏସ୍ ମାଲିକଙ୍କ ଘରୁ ଚୋରି କରିଥିବା ମଧ୍ୟ ସ୍ବୀକାର କରିଛି। ସ୍ପାଇଡର୍ମ୍ୟାନ୍ ଭଳି କାନ୍ଥ ବା ପାଚେରି ଚଢ଼ିବା ତାଲିମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ପୁଲିସକୁ କହିଛି। ଆଜି ଅପରାହ୍ଣ ସାଢ଼େ ୧୨ଟାରେ ନୂଆପଲ୍ଲୀ ଥାନା ପୁଲିସର ଦୁଇଟି ଟିମ୍ ସତୀଶ୍କୁ ନେଇ ନୂଆପଲ୍ଲୀ ଏନ୍-୨ସ୍ଥିତ କଂଗ୍ରେସ ନେତା ଶ୍ରୀ ପଟ୍ଟନାୟକଙ୍କୁ ଘର ପାଖକୁ ଆଣିଥିଲା। ବେଶ୍ ଖୁସି ଦେଖାଯାଉଥିବା ସ୍ପାଇଡର୍ ହାତ ଦେଖାଇ ସେଦିନର ରାତିର ଖେଳ ବୁଝାଇଥିଲା। ପ୍ରଥମେ ଏକ ଗଳିରେ ପଶି ଘରର ପାଚେରି ଡେଇଁଲା। ସେହି ଘର ପଛପଟେ ଥିବା ନଡ଼ିଆଗଛରେ ଚଢ଼ି ପାଖରେ ଥିବା ଆମ୍ବଗଛ ଡାଳ ଦେଇ ଅନ୍ୟଜଣକ ଘରେ ପଶିଥିଲା। ସେ ଘର କୁକୁର ଭୁକିଥିଲେ ମଧ୍ୟ ସେ ପାଚେରି ଚଢ଼ି ଶ୍ରୀ ପଟ୍ଟନାୟକଙ୍କ ଘରର ଉପରମହଲା ପଛ ଝରକାକୁ ଚାଲିଯାଇଥିଲା। ସେ ଚୋରି କରିସାରି ଘରୁ ବାହାରିବା ବେଳେ ଆଉ କୁକୁର ଭୁକୁଥିବା ଘର ପଟକୁ ନ ଆସି ଟାୱାର ଚଢ଼ି ତଳକୁ ଓହ୍ଲାଇଥିଲା।
କାନ୍ଥଚଢ଼ା ତାଲିମରେ ଖର୍ଚ୍ଚକରିଛି ଲକ୍ଷାଧିକ ଟଙ୍କା
ଏଆର୍ଏସ୍ଏସ୍ ମାଲିକଙ୍କ ଘରୁ ଚୋରି କରିଥିବା ମାନିଲା
ଲୋକେ ଉଠିପଡ଼ିଥିବାରୁ ସେ ପୁଣି ଛାତକୁ ଚଢ଼ିଥିଲା ଏବଂ ଛାତରୁ ଛାତ ଡେଇଁ ଆଉ ଏକ ଗଳିକୁ ପଳାଇଥିଲା। ସେଠାରେ ଏକ ପୋର୍ଟିକୋ ତଳେ ଅନ୍ଧାରରେ ବସି ଲୋକଙ୍କ ଗତିବିଧି ଉଣ୍ଡିଥିଲା। କିଛି ସମୟ ପରେ ସେହି ଘରର ଲୋକେ ଉଠିବାରୁ ପାଚେରି ଡେଇଁ ଗଛ ମୂଳେ ବସିରହିଥିଲା। ସେହି ରାସ୍ତା ଆସୁଥିବା ଏକ ଅଟୋରେ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଯାଇଥିଲା। ସେଠାରୁ ଭଡ଼ାରେ ଆଣିଥିବା ବାଲୋନୋ କାର୍ରେ ଆନ୍ଧ୍ରପ୍ରଦେଶ ପଳାଇଥିଲା। ସେମିତି ଏଆର୍ଏସ୍ଏସ୍ ମାଲିକଙ୍କ ଘରୁ କିଭଳି ଚୋରି କରିଥିଲା, ସେସମୟର ଘଟଣାକୁ ମଧ୍ୟ ସେ ପୁଲିସ ସାମ୍ନାରେ ବଖାଣିଥିଲା। ପାଖାପାଖି ୨ଘଣ୍ଟା କାଳ ଧରି ସେ ସମସ୍ତ ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା।
ତା କାରନାମାର କାହାଣୀ ଶୁଣି ପୁଲିସ ଆଖି ତରାଟି ହୋଇଯାଇଥିଲା। ପାଚେରି ଚଢ଼ିବା ତାଲିମ ନେବା ପରେ ବହୁତ ଥର ବିଭିନ୍ନ ବାହାନା କରି ଲୋକଙ୍କ ଘରେ ପ୍ରାକ୍ଟିକାଲ୍ କରିଛି ବୋଲି କହିଛି। ତାର ରିମାଣ୍ଡ ଅବଧି ଆଉ ଦୁଇ ଦିନ ରହିଛି ଏବଂ ଏହି ସମୟରେ ପୁଲିସ ତା’ଠାରୁ ଆହୁରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ ବୋଲି କୁହାଯାଉଛି।