ମୃତବ୍ୟକ୍ତି ଖାଉଥିଲେ ରାସନ ଚାଉଳ: ଯୋଗାଣମନ୍ତ୍ରୀ
୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା
ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା। ବିଧାନସଭାରେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି। ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇଥିଲେ । ସେହିପରି ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜରେ ୨୩ହଜାର ୭୯୯, ରାୟଗଡାରେ ୨୨ ହଜାର ୪୧୧ଜଣ ମୃତ ବ୍ୟକ୍ତି ରାସନ ଚାଉଳ ଉଠାଉଥିବା ମନ୍ତ୍ରୀ କହିଛନ୍ତି ।ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ଆଜି ପର୍ୟ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି, ତାର ରିପୋର୍ଟ ମାଗିଥିଲେ । ଯାହାର ଉତ୍ତର ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ।ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି । ତେବେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତଥ୍ୟାବଳୀରେ ରହିଥିବା ଚିହ୍ନଟ କରାଯାଇଛି।ଜଣାପଡ଼ିବା ପରେ ସେମାନଙ୍କୁ ରାସନ କାର୍ଡ ତଥ୍ୟାବଳୀରୁ ବାଦ୍ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମୃତକଙ୍କ ନାମରେ ରାସନ ଚାଉଳ ନିଆଯାଉଥିଲା। ସେମାନଙ୍କ ଅନ୍ୟପଟେ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ନେଇଥିବା ଜଣାପଡ଼ିଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।