ବିମାନବନ୍ଦର ଓ ଆର୍‌ଏସ୍‌ପି ସମ୍ପ୍ରସାରଣ ନେଇ ମୋହନଙ୍କ ସହ କଥା ହେଲେ ଜୁଏଲ

ରାଉରକେଲା/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ରାଉରକେଲା ବିମାନବନ୍ଦରର ଉନ୍ନତୀକରଣ ସହ ଆର୍‌ଏସ୍‌ପି ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ଉଭୟ ବିମାନବନ୍ଦର ଓ ଆର୍‌ଏସ୍‌ପି ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜାଗା ସମସ୍ୟାର କିପରି ସମାଧାନ ହୋଇପାରିବ, ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗଗୁଡ଼ିକ ‌କେମିତି ଉପଯୁକ୍ତ ସମନ୍ବୟ ରକ୍ଷା କରି ବିମାନବନ୍ଦର ଓ ଆର୍‌ଏସ୍‌ପି ସମ୍ପ୍ରସାରଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଅନୁରୋଧ କରିଛନ୍ତି। ବିମାନବନ୍ଦର ଓ ଆର୍‌ଏସ୍‌ପି ସମ୍ପ୍ରସାରଣ ରହିଥିବା ସମସ୍ୟାଗୁଡ଼ିକ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା ସକରାତ୍ମକ ରହିଥିବା ଦୃଷ୍ଟିରୁ ଖୁବ୍‌ ଶୀଘ୍ର ରାଉରକେଲା ବିମାନସେବା ସମସ୍ୟାର ସମାଧାନ ହେବାକୁ ଯାଉଛି ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ ଦୈନିକ ବିମାନ ସେବା, ରାତ୍ରୀକାଳୀନ ଉଡାଣ ଓ ୪ସି ଲାଇସେନ୍ସ ଦାବିରେ ସାମାଜିକର୍ମୀ ମୁକ୍ତିକାନ୍ତ ବିଶ୍ବାଳ ଓ ତାଙ୍କ ସମର୍ଥକ ରାଉରକେଲା ବିମାନବନ୍ଦର ଆଗରେ ଧାରଣା ଦେଇଥିଲେ। ଧାରଣାକୁ ବିଜେଡି, କଂଗ୍ରେସ, ସିପିଆଇଏମ୍‌ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ, ସାଂସ୍କୃତିକ ସଙ୍ଗଠନ ଓ ଶ୍ରମିକ ସଙ୍ଗଠନ ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.