ଜେଲ୍‌ କର୍ତ୍ତୃପକ୍ଷଙ୍କୁ ସ୍ପାଇଡର୍‌ ଡର

ସେଲ୍‌ରେ କଡ଼ା ପହରା, ପାଚେରି ଚଢ଼ି ଜେଲ୍‌ରୁ ଚମ୍ପଟ ମାରିପାରେ

ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରି ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସ୍ପାଇଡର୍‌ ସତୀଶ ପାଇଁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ତା’ ନାଁରେ ପାଚେରି ଚଢ଼ି ଜେଲ୍‌ରୁ ଫେରାର ହୋଇଯିବାର ରେକର୍ଡ ରହିଛି। ତେଣୁ ଧୁରନ୍ଧର ସତୀଶ ଏଠାରେ ବି ସେମିତି କିଛି କାଣ୍ଡ କରି ବସିବ ବୋଲି ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଭୟ ଘାରିଛି। ତେଣୁ ତାକୁ ହାଇ ସିକ୍ୟୁରିଟି ସେଲ୍‌ରେ ରଖାଯାଇଛି ଏବଂ ସେଲ୍‌ ନିକଟରେ ୨୪ ଘଣ୍ଟିଆ କଡ଼ା ପହରା ଦିଆଯାଉଛି। ଏଥିପାଇଁ ୨ ଜଣ ଜେଲ୍‌ ୱାର୍ଡରଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି।  
କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ତେଲେଙ୍ଗାନା ପୁଲିସକୁ ବହୁତ ଥର ସତୀଶ ହରଡ଼ଘଣାରେ ପକାଇଥିବା ଉଦାହରଣ ରହିଛି। କେବଳ କୋଟିପତିଙ୍କ ଘରକୁ ଟାର୍ଗେଟ୍‌ କରୁଥିବା ସତୀଶ ମଉକା ଉଣ୍ଡି ରାଜନେତା ଓ ବଡ଼ବଡ଼ ବ୍ୟବସାୟୀଙ୍କ ଘରେ ପଶୁଥିଲା। ଯେଉଁଠି ହାତ ବୁଲାଉଥିଲା, କୋଟିକୋଟି ଟଙ୍କାର ଗହଣା ଓ ନଗଦ ଆକାରରେ ଲକ୍ଷାଧିକ ଟଙ୍କା ଲୁଟି ଛୁ’ ମାରୁଥିଲା। ତେଣୁ ସ୍ବାଭାବିକ ଭାବେ ପୁଲିସ ଉପରେ ଚାପ ବଢ଼ୁଥିଲା। ସେଥିପାଇଁ ୪ ରାଜ୍ୟର ପୁଲିସ ସତୀଶର ଗତିବିଧି ଉପରେ ନଜର ରଖୁଥିଲେ। ଏକଦା ସେ ତାମିଲନାଡ଼ୁର ଏକ ଜେଲ୍‌ରୁ ଫେରାର ହୋଇଯାଇଥିଲା। ହଲିଉଡ୍‌ ଚଳଚ୍ଚିତ୍ରର ସ୍ପାଇଡର୍‌ମ୍ୟାନ୍‌ ଭଳି ସତୀଶ ଜେଲ୍‌ର ସୁଉଚ୍ଚ ପାଚେରି ଚଢ଼ି ପାର୍‌ ହୋଇଯାଇଥିଲା। ବହୁତଳ କୋଠାର କାନ୍ଥ ଚଢ଼ି ଲୁଟ୍‌ କରିପାରୁଥିବା ସତୀଶ ସେଥର ଜେଲ୍‌ ପାଚେରିରେ ଚଢ଼ି ପଳାଇଥିଲା। ତେଣୁ ସେବେଠୁ ପୁଲିସ ତାକୁ ସ୍ପାଇଡର୍‌ ସତୀଶ ବୋଲି କହୁଥିଲା। କମିସନରେଟ୍‌ ପୁଲିସ ତା’ର ଏହି ରେକର୍ଡ ଜାଣିବା ପରେ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ତେଣୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ ସତୀଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।  

ଝାରପଡ଼ା ଜେଲ୍‌ ଭିତରେ ରହୁଥିବା ୧୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କ ପାଇଁ ଏକ ସ୍ବତନ୍ତ୍ର ହାଇସିକ୍ୟୁରିଟି ଵାର୍ଡ ରହିଛି। ସେହି ଵାର୍ଡର ୧୯ ନମ୍ବର ସେଲ୍‌ରେ ସ୍ପାଇଡର୍‌ ସତୀଶକୁ ଏକୁଟିଆ ରଖାଯାଇଛି। ତା’ର ଗତିବିଧି ଉପରେ ସିସିଟିଭି ନଜର ରହିଛି। ଦୁଇ ଜଣ ଵାର୍ଡର ୨୪ ଘଣ୍ଟା ପହରା ଦେଉଛନ୍ତି। ଜେଲ୍‌ ଲକ୍‌ଅପ୍‌ରୁ ଖାଇବାକୁ ବାହାରିବା ବେଳେ ସେ କାହା ସହ ମିଶୁଛି, କ’ଣ କଥା ହେଉଛି, ସେସବୁ ଉପରେ କଡ଼ା ନଜର ରଖାଯାଇଛି। ଜେଲ୍‌ ଅଧୀକ୍ଷକଙ୍କ କହିବାନୁସାରେ ସ୍ପାଇଡର୍‌ ସତୀଶର ସମସ୍ତ ରେକର୍ଡ ସଂଗ୍ରହ କରାଯାଇଛି। ଏହି ଜେଲ୍‌ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ। କାରଣ ସେ ପ୍ରଥମ ଥର ପାଇଁ ଏଠାକୁ ଆସିଛି। ତେଣୁ ଜେଲ୍‌ର ପରିସୀମା ଓ ଆୟତନ ଉପରେ ତା’ର ସେତେଟା ଧାରଣା ନଥିବ ବୋଲି ଆଶା କରାଯାଉଛି। ତେଣୁ ସାଧାରଣ ୱାର୍ଡରେ ରହିଲେ, ସେ ଜେଲ୍‌ ବାବଦରେ ତଥ୍ୟ ପାଇଯିବ ଏବଂ ଏଠାରୁ ଫେରାର ହେବାକୁ ଯୋଜନା କରିବ। କିନ୍ତୁ ତାକୁ ସେ ସୁଯୋଗ ଦିଆଯିବ ନାହିଁ। 

ସୂଚନାଯୋଗ୍ୟ ‌ଯେ ସିଙ୍ଗାପୁରରୁ ଫେରିବା ପରେ ସତୀଶ ଏକ ଲୁଟେରା ଗ୍ୟାଙ୍ଗ୍‌ରେ କାମ କରୁଥିଲା। ମାତ୍ର ବାରମ୍ବାର ଗିରଫ ହେବା ପରେ ଜାଣିଲା ଯେ ଗ୍ୟାଙ୍ଗ୍‌ ଯୋଗୁ ପୁଲିସ ତାକୁ ସହଜରେ ଧରିପାରୁଛି। ତେଣୁ ସେ ଯୋଜନା ବଦଳାଇଲା ଏବଂ ଚତୁରତାର ସହ ପୁଲିସର ସହଯୋଗୀ ସାଜିଲା। ତା’ ଉପରୁ ପୁଲିସ ନଜର ହଟିବା ସୁଯୋଗରେ ସେ ଏକାକୀ ଚୋରି କଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ପାଖାପାଖି ୭୦ରୁ ଅଧିକ ଚୋରି କରିଛି ଏବଂ ୧୨ ଥର ଗିରଫ ହୋଇଛି। କମିସନରେଟ୍‌ ପୁଲିସ ହିସାବରେ ସେ ଓଡ଼ିଶାରୁ ୨ଥର ଚୋରି କରିଛି। ୨୦୨୩ ମସିହାରେ ସେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ଏଆର୍‌ଏସ୍‌ଏସ୍‌ ମାଲିକଙ୍କ ଘରେ କଳାକନା ବୁଲାଇଥିଲା। ତାକୁ ରିମାଣ୍ଡ୍‌ରେ ଆଣିବା ପରେ ସେ ଓଡ଼ିଶାର ଆଉ କେଉଁଠି ହାତ ମାରିଛି କି ନା, ଜଣାପଡ଼ିବ।

Leave A Reply

Your email address will not be published.