ପିସିସିର ନୂଆ ସଭାପତି

ଭୁବନେଶ୍ୱର ୧୧-୦୨-୨୦୨୫(ପିପିଏସ ) : ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତିଙ୍କ ଅନୁମୋଦନ ପରେ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ଭାବେ ନିଯୁକ୍ତି ହେଲା ପରେ ଭକ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ଯୁବ ଓ ବରିଷ୍ଠଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେଘରେ ପହଞ୍ଚାଇବୁ। ସମସ୍ତେ ମୋତେ ସହଯୋଗ କରିବେ ବୋଲି ଆଶା କରୁଛି। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି। ସବୁ ଦାୟିତ୍ବ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।  ଓଡ଼ିଶା କଂଗ୍ରେସ୍‌ରେ ଭକ୍ତ ଚରଣ ଦାସ ହେଉଛନ୍ତି ଜଣେ ଜଣାଶୁଣା ନାମ। ତୃଣମୂଳସ୍ତରରେ ସେ କାମ କରିଥିବାରୁ ସଂଗଠନ ଗଢ଼ିବା ନେଇ ତାଙ୍କର ଭଲ ଅଭିଜ୍ଞତା ରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଭକ୍ତ ଦାସ ୧୯୫୯ ଜୁନ୍ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଭବାନୀପାଟଣାରେ ହିଁ ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହା ପରେ ସମ୍ବଲପୁରସ୍ଥିତ ଲାଲଲଜପତ ରାୟ ଆଇନ୍ ମହାବିଦ୍ୟାଳୟରେ ଏଲ୍ଏଲ୍ବି ପଢ଼ିଥିଲେ। ଭକ୍ତ ଦାସ ହେଉଛନ୍ତି ଜଣେ ଜଣାଶୁଣା ରାଜନୀତିଜ୍ଞ ସହିତ ଆଇନଜୀବୀ ଓ ସମାଜସେବୀ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦ୍ବାରା ପ୍ରତିଷ୍ଠିତ ସଂଘର୍ଷ ବାହିନୀରେ ୧୯୭୭ ମସିହାରେ ଯୋଗଦେଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରିନଥିଲେ। ୧୯୮୫ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ। ୧୯୮୯ ଡିସେମ୍ବର ୭ରେ ବିଧାୟକ ପଦବିରୁ ଇସ୍ତଫା ଦେଇଥିଲେ। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ୧୯୮୯, ୧୯୯୬ ଓ ୨୦୦୯ରେ ସାଂସଦ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ, ଏଆଇସିସି ସାଧାରଣ ସଂପାଦକ ଓ ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବ ତୁଲାଇବା ତାଙ୍କର ଅଭିଜ୍ଞତା ରହିଛି। 

Leave A Reply

Your email address will not be published.