ବାରବାଟୀରେ ଭାରତ ବିଜୟୀ

ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର

କଟକ ୦୯-୦୨-୨୦୨୫(ପିପିଏସ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି। ଭାରତ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନାଗପୁରରେ ୪ ୱିକେଟ୍‌ରେ ପରାସ୍ତ କରିଥିଲା। ଚଳିତ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ।  

ବାରବାଟୀରେ ଭାରତକୁ ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ରୋହିତଙ୍କ ଟିମ୍ ୪୪.୩ ଓଭରରେ ୬ୱିକେଟ୍ ହରାଇ ୩୦୮ ରନ୍ କରିଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା। 

ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ଶୁଭମନ୍‌ଙ୍କ ୬୦ ରନ୍ ସାମିଲ ଥିଲା। ଗିଲ୍ ଆଉଟ୍ ହେବା ପୂର୍ବରୁ ୫୨ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଗିଲ୍ ଆଉଟ୍ ହେଲା ପରେ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। କିନ୍ତୁ ବିରାଟ ଦର୍ଶକମାନଙ୍କୁ ନିରାଶ କରିଥିଲେ। ସେ ମାତ୍ର ୮ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରି ପାଭିଲଅନ୍କୁ ଫେରି ଯାଇଥିଲେ। 


ଅକ୍ଷର ପଟେଲଙ୍କ ସହିତ ଏକ ଭୁଲ ବୁଝାମଣା ଯୋଗୁଁ ଶ୍ରେୟସ ଆୟର ରନ୍ ଆଉଟ୍ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୪୭ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୪୪ ରନ୍ ସଂଗ୍ରହ କରିଥିଲେ। କେଏଲ୍ ରାହୁଲ ୧୪ଟି ବଲ୍ ସାମ୍ନା କରିଥିଲେ। ସେ ଗୋଟିଏ ଚୌକା ସହିତ ବ୍ୟକ୍ତିଗତ ଭାବେ ୧୦ ରନ୍ ସଂଗ୍ରହ କରିଥିଲେ।

ଭାରତର ସ୍କୋର

ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୮୧ ରନ୍ର ଭାଗିଦାରୀ କରିପାରିଥିଲେ। ଫିଲିପ୍ ୨୯ଟି ବଲ୍ ଖେଲି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ୍ କରିଥିଲେ। ସେହିପରି ବେନ୍ ଡକେଟ୍ ୫୬ଟି ବଲ୍ ଖେଳି ୧୦ଟି ଚୌକା ବଳରେ ୬୫ ରନ୍ କରିଥିଲେ। ବିସ୍ଫୋରକ ବ୍ୟାଟର ଜୋ ରୁଟ୍ ୬୯ ରନ୍ କରିଥିଲେ। ସେ ୭୨ଟି ବଲ୍ ଖେଳି ୬ଟି ଚୌକା ମାରିଥିଲେ। 

ସେହିଭଳି ମଧ୍ୟକ୍ରମର ବ୍ୟାଟର ହେରି ବୁକ୍, ଜୋସ ବଟଲର ଓ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ଦଳର ସ୍କୋର ମଜବୁତ ସ୍ଥିତିରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେରି ବୁକ୍ ୩୧ ରନ୍ କରିଥିଲେ। ସେ ୫୨ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୩୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୩୪ ରନ୍ କରିଥିଲେ ଜୋସ୍ ବଟଲର। ଲିଆମ ଲିଭିଂଷ୍ଟୋନ୍‌ଙ୍କ  ବ୍ୟାଟରୁ ୪୧ ରନ୍ ଅମଳ ହୋଇଥିଲା। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ। 

ଇଂଲଣ୍ଡର ନିମ୍ନକ୍ରମର ଖେଳାଳି ଜେମି ଓଭରଟର୍ନ ୬ ରନ୍, ଗସ ଆଟିକସନ୍ ୩ ରନ୍, ଆଦିଲ ରସିଦ ବ୍ୟକ୍ତିଗତ ଭାବେ ୧୪ ରନ୍ କରିଥିବା ବେଳେ ମାର୍କ ଉଡ ଖାତା ଖୋଲିପାରି ନଥିଲେ। ସାକିବ ମହମ୍ମଦ ଅପରାଜିତ ଥିଲେ। ଭାରତୀୟ ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। 

Leave A Reply

Your email address will not be published.