ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ସମ୍ମିଳନୀ- ୨୦୨୫

ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ସମ୍ମିଳନୀ- ୨୦୨୫ କାର୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ

କଟକ ୨୯-୦୧-୨୦୨୫(ପିପିଏସ ) : ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ୨୯ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ “ପ୍ରକୃତିର ବିବର୍ତ୍ତନ ପ୍ରକ୍ରିୟାରେ ମଣିଷ ଓଜୀବଜଗତ:ପରିବେଶ ସନ୍ତୁଳନ ପରିପ୍ରେକ୍ଷୀରେ ବିଶ୍ୱସାହିତ୍ୟ” ଶୀର୍ଷକ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନୀର ସଂଯୋଜ ପ୍ରଫେସର ସମ୍ବିିତ୍ ପାଣିଗ୍ରାହୀ ଉଦ୍‌ଘାଟନୀ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀ ନିର୍ଦ୍ଦେଶକ ଡକ୍ଟର ଖଗେନ୍ଦ୍ର ସେଠୀ ସ୍ୱାଗତ ଭାଷଣ ଦେଇଥିଲେ । ରେଭେନ୍ସା ଇଂରାଜୀ ସଂଘର ସଭାପତି ଶ୍ରୀ ପ୍ରଦୋଷ ମହାନ୍ତି ସମାବେଶକୁ ସମ୍ବୋଧିତ କରିଥିଲେ । ସମ୍ମିଳନୀକୁ ମୁଖ୍ୟଅତିଥି କଟକ ନିର୍ବାଚନମଣ୍ଡଳୀର ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ ଉଦ୍‌ଘାଟନ କରିଥିଲେ । ଭାରତୀୟ ବିଶ୍ୱାସ ବ୍ୟବସ୍ଥା ଅନୁସାରେ ପ୍ରକୃତି କିପରି ମାନବଜାତି ପାଇଁ ମଙ୍ଗଳକାରୀ ତାହା ଉଲ୍ଲେଖ କରିବା ସହିତ ଯଜ୍ଞ ସମୟରେ ‘ବନସ୍ପତୟେ ନମଃ’ ମନ୍ତ୍ରର ବାରମ୍ବାର ବ୍ୟବହାର, ସଂସ୍କୃତ ସାହିତ୍ୟରେ ପ୍ରକୃତି ଏବଂ ବୃକ୍ଷକୁ ଦିଆଯାଇଥିବା ଗୁରୁତ୍ୱ ଓ ବିଶ୍ୱ ସାହିତ୍ୟରେ ମଣିଷ, ପ୍ରାଣୀ ଏବଂ ପ୍ରକୃତି ମଧ୍ୟରେ ବିକଶିତ ସମ୍ପର୍କ ଉପରେ ଡକ୍ଟର ମହତାବ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଆମେରିକାର ମଧ୍ୟ ଟେନେସି ଷ୍ଟେଟ୍ ୟୁନିଭରସିଟିର ଆସୋସିଏଟ୍ ଡିନ୍ ପ୍ରଫେସର ଫିଲିପ୍ ଏଡ୍‌ୱାର୍ଡ ଫିଲିପସ୍ “ପରିବେଶ-କାବ୍ୟ ବିଜ୍ଞାନ ତଥା ଏଡଗର ଆଲାନ ପୋ ଏବଂ ରବର୍ଟ ଫ୍ରଷ୍ଟଙ୍କ କୃତିରେ ପ୍ରାଣୀଙ୍କ ପ୍ରତିନିଧିତ୍ୱ” ବିଷୟ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏଡଗାର ଆଲାନ ପୋ ଏବଂ ରବର୍ଟ ଫ୍ରଷ୍ଟଙ୍କ ସୃଜନଶୀଳ କୃତି ସହିତ ପରିବେଶଗତ ଚେତନା ଏବଂ ଐତିହାସିକ
ବର୍ଣ୍ଣନା ଗଠନରେ ସାହିତ୍ୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ରେଭେନସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ନାୟକ ସମାବେଶକୁ ସମ୍ବୋଧିତ କରି ଆନ୍ତଃବିଭାଗୀୟ ଗବେଷଣା ଏବଂ ବିଶ୍ୱ ଶିକ୍ଷାଗତ ସହଯୋଗ ପ୍ରତି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଥିଲେ । ପ୍ରଫେସର ଜତୀନ୍ଦ୍ର କୁମାର ନାୟକ ନୂତନ ଶିକ୍ଷାନୀତିର ବିବିଧତା ବିଷୟରେ କହିଥିଲେ । ସମ୍ମିଳନୀ ସଂଯୋଜକ ପ୍ରଫେସର ସମ୍ବିତ ପାଣିଗ୍ରାହୀଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ୧୦୨ ବର୍ଷ ପୁରୁଣା ବିଭାଗ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦାନ ଦେଇଥିବା ବିଶିଷ୍ଟ ବକ୍ତା ଏବଂ ଅଂଶଗ୍ରହଣକାରୀଙ୍କପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

Leave A Reply

Your email address will not be published.