ଅଲିଭ୍ ରିଡ୍ଲେଙ୍କ ଶ୍ମଶାନ ପାଲଟିଛି ରାମଚଣ୍ଡୀ ମୁହାଣ
ସମୁଦ୍ର କୂଳରେ ଲାଗୁଛି କୁଢ଼କୁଢ଼ ମଲା କଇଁଛ
ଅଲି ଭ୍ରିଡ୍ଲେଙ୍କ ଶ୍ମଶାନ ପାଲଟିଛି ରାମଚଣ୍ଡୀ ମୁହାଣ। ଦୈନିକ ଏଠାରେ ଲାଗୁଛନ୍ତି କୁଢ଼କୁଢ଼ ମଲା ଅଲିଭ୍ ରିଡ୍ଲେ କଇଁଛ। ଗର୍ଭସ୍ଥ ଅବସ୍ଥାରେ, ଅଣ୍ଡାଦାନ ସମୟରେ ଯାଉଛି ଏମାନଙ୍କ ଜୀବନ।
ପୁରୀ/ରାମଚଣ୍ଡୀ/କୋଣାର୍କ/ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଅଲି ଭ୍ରିଡ୍ଲେଙ୍କ ଶ୍ମଶାନ ପାଲଟିଛି ରାମଚଣ୍ଡୀ ମୁହାଣ। ଦୈନିକ ଏଠାରେ ଲାଗୁଛନ୍ତି କୁଢ଼କୁଢ଼ ମଲା ଅଲିଭ୍ ରିଡ୍ଲେ କଇଁଛ। ଗର୍ଭସ୍ଥ ଅବସ୍ଥାରେ, ଅଣ୍ଡାଦାନ ସମୟରେ ଯାଉଛି ଏମାନଙ୍କ ଜୀବନ। ଆଜି ବି ୫ରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛଙ୍କ ମୃତଦେହ ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ମଧ୍ୟରେ ଠାବ ହୋଇଛି। ସବୁଠୁ ଅଧିକ ଉଦ୍ବେଗଜନକ କଥା ହେଉଛି, ଯେଉଁମାନେ ମରିଛନ୍ତି, ସମସ୍ତେ ଗର୍ଭବତୀ ଓ ପେଟରେ ଅଣ୍ଡା ରହିଛି। ଯାହା ପରିବେଶବିତ୍ଙ୍କୁ ବ୍ୟଥିତ କରିଛି। ବନ ବିଭାଗର ଚରମ ଅବହେଳାର ଏହା ପରିଣାମ ବୋଲି ପରିବେଶବିତ୍ମାନେ ଅଭିଯୋଗ କରିଛନ୍ତି। ଅବାଧ ବେଆଇନ୍ ଟ୍ରଲର୍ ଚଳାଚଳ, ନିଷିଦ୍ଧାଞ୍ଚଳରେ ସ୍ପିଡ୍ବୋଟ୍, ମାଛ ଧରିବା ପାଇଁ ମତ୍ସ୍ୟଜୀବୀଙ୍କ ଜିରୋ ନାଇଲନ୍ ଜାଲ ବ୍ୟବହାର ଅଲିଭ୍ ରିଡ୍ଲେ କଇଁଛଙ୍କ ମୃତ୍ୟୁର ପ୍ରମୁଖ କାରଣ ବୋଲି ଅଭିଯୋଗ ହୋଇଛି। ସେପଟେ ଅମାନବିକତାର ପରିଚୟ ଦେଇଛନ୍ତି ପର୍ଯ୍ୟଟକ। ଏହି ମୃତ ଅଲିଭ୍ ରିଡ୍ଲେ କଇଁଛଙ୍କ ପାଖରେ ସେଲ୍ଫି ନେଇ ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଛନ୍ତି।
ଲାଗୁଛି କୁଢ଼କୁଢ଼ ମଲା କଇଁଛ
ବେଆଇନ୍ ଟ୍ରଲର୍, ସ୍ପିଡ୍ବୋଟ୍, ଜିରୋ ନାଇଲନ୍ ଜାଲ ନେଉଛି ଜୀବନ
କୂଳରେ ଆସି ଲାଗିଥିବା ମୃତ କଇଁଛଙ୍କ ମଧ୍ୟରୁ କାହାର ମୁଣ୍ଡ ତ କାହାର ଗୋଡ଼ ସବୁ ଖଣ୍ଡ ଖଣ୍ଡ ହୋଇଯାଇଛି। ଦେହରେ ଏଭଳି ଦାଗ ରହିଛି ଯେ ସତେ ଯେପରି ଏମାନେ ଜାଲରେ ଲାଖିଛନ୍ତି ଅବା କୌଣସି ଯନ୍ତ୍ରଚାଳିତ ବୋଟ୍ରେ ପିଟି ହୋଇଛନ୍ତି। ଏମାନେ ପଚିଶଢ଼ି ଯାଇଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଅଲିଭ୍ ରିଡ୍ଲେ କଇଁଛଙ୍କ ପାଇଁ ପୁରୀ ସମୁଦ୍ରକୂଳକୁ ନଭେମ୍ବର ପ୍ରଥମ ସପ୍ତାହଠାରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଟ୍ରଲର୍ ଚଳାଚଳ, ମାଛ ଧରିବା ଆଦିରେ କଟକଣା ଲଗାଯାଇଛି। କିନ୍ତୁ ଏହି କଟକଣାକୁ କେହି ମାନୁନାହାନ୍ତି। ବର୍ତ୍ତମାନ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ସମୟ। ଏବେ ବି ଅବାଧ ଟ୍ରଲର୍ ବୁଲୁଛି, ମାଛ ମରାଯାଉଛି। କଅଁରପୁରରୁ ଦେବୀନାସୀ ଭିତରେ ମାତ୍ରାଧିକ କଇଁଛ ଆସି ଅଣ୍ଡାଦାନ କରିଥାନ୍ତି। ଏହି ସ୍ଥାନକୁ ଯେତିକି ସୁରକ୍ଷିତ ରଖିବା କଥା, ସେତିକି ରଖାଯାଉନି। କେଳୁଣି ମୁହାଣରେ ନିୟମିତ ଜିରୋ ନେଟ୍ରେ ମାଛ ଧରାଯାଉଛି। ତଣ୍ଡାହାରଠାରେ ବି ଜାଲ ପଡ଼ୁଛି। ସ୍ଥିତି ଏପରି ଯେ ମୁହାଣ ଗତିପଥ ପରିବର୍ତ୍ତନ କଲାନି। ସାହୁଖଣିତଠାରୁ ଚନ୍ଦ୍ରଭାଗା ଭିତରେ ସ୍ପିଡ୍ବୋଟ୍ ଚଳାଚଳ କରୁଛି। ଯାହା କଇଁଛଙ୍କ ମୃତ୍ୟୁର କାରଣ ସାଜୁଛି। ଏହାର ବ୍ୟବଚ୍ଛେଦ ହେଲେ କାରଣ ଜଣାପଡ଼ନ୍ତା। କିନ୍ତୁ ନିଜ ଦୋଷ ଲୁଚାଇବାକୁ ତରବରିଆ ଭାବେ ଏହାକୁ ପୋତି ଦିଆଯାଉଛି।
ପ୍ରକୃତିବନ୍ଧୁ ସରୋଜ କୁମାର ଜେନା କହିଛନ୍ତି, କେବଳ ଆଜି ନୁହେଁ, ନିୟମିତ ଏଭଳି ମୃତ ଅଲିଭ୍ରିଡ୍ଲେ କଇଁଛ ଆସି ମୁହାଣରେ ଲାଗୁଛନ୍ତି। ଇକୋ ରିଟ୍ରିଟ୍ କଡ଼ରେ ବି ଆସି ମଲା କଇଁଛ ଲାଗୁଛନ୍ତି। ବର୍ତ୍ତମାନ ଗଣଅଣ୍ଡାଦାନ ସମୟ। ଏଥିପାଇଁ ୱାଚର୍ ନିୟୋଜିତ ହୋଇଛନ୍ତି ଓ କଇଁଛ ଘର ସବୁ କରାଯାଇଛି। କିନ୍ତୁ ଯେଉଁ ୱାଚର୍ମାନେ ଏହି କାମରେ ନିୟୋଜିତ ଅଛନ୍ତି, ସେମାନେ ଠିକ୍ରେ କାମ କରୁନାହାନ୍ତି। ଅଲିଭ୍ରିଡ୍ଲେଙ୍କ ଅକାଳ ମୃତ୍ୟୁ ସମ୍ପର୍କରେ ଅଧିକାରୀଙ୍କୁ ଅଭିଯୋଗ କଲେ ବି ସେମାନେ ଶୁଣୁନାହାନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି।