ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ….

କୋଣାର୍କ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଭାରତ ବର୍ଷର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଉତ୍ତର ପ୍ରଦେଶର ପ୍ରସିଦ୍ଧ କୁମ୍ଭ ମେଳା ଓ ଓଡିଶାର ପ୍ରସିଦ୍ଧ ବିଶ୍ବ ବିଦିତ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ନିମନ୍ତେ ସରକାରଙ୍କ ପକ୍ଷରୁ ଯେଭଳି  ସ୍ବତନ୍ତ୍ର ଭାବେ ସ୍ଥାୟୀ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଉ ଥିବା ବେଳେ ପ୍ରାଚୀନ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରାଯାଉ ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ, ଐତିହ୍ୟ ବିଶାରଦ, ଐତିହାସିକ, ସାଧୁ ସନ୍ଥ ସମାଜ ଓ ସେବାୟତ ମାନଙ୍କ ପକ୍ଷରୁ ଦାବି ହେଉଛି। ଖବରରୁ ପ୍ରକାଶ ଯେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ୩ କିମି ଦୂରରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ।ଏହି ତୀର୍ଥରେ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଭାରତ ବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ, ଶ୍ରଦ୍ଧାଳୁ ଭକ୍ତ, ଐତିହ୍ୟ ବିଶାରଦ, ଐତିହାସିକ, ବୁଦ୍ଧିଜୀବୀ, ସେବାୟତ ସମାଜ ଓ କୋଣାର୍କ ସମେତ ଆଖପାଖ ଅଞ୍ଚଳର ଲକ୍ଷାଧିକ ଭକ୍ତ ମାନେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥାନ୍ତି। ପୁରାଣ ଓ କିମ୍ବଦନ୍ତୀରେ ଉଲ୍ଲେଖ ରହିଛି ଯେ ଭାରତ ବର୍ଷର ପବିତ୍ର ନଦୀ ଗଙ୍ଗା ନଦୀରେ ସାତ ଥର ସ୍ନାନ କରି ଶ୍ରଦ୍ଧାଳୁ ଭକ୍ତମାନେ ଯେତିକି ପୁଣ୍ୟ ଅର୍ଜନ କରିଥାଏ ମାତ୍ର ଥରେ ପୁଣ୍ୟତୋୟା ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସେହି ପୁଣ୍ୟ ଓ ଆଶିଷ ପ୍ରାପ୍ତ ହୁଏ ବୋଲି ବିଶ୍ଵାସ ରହିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ପ୍ରସିଦ୍ଧ କୁମ୍ଭ ମେଳା ନିମନ୍ତେ ଶ୍ରଦ୍ଧାଳୁ ଭକ୍ତ, ସାଧୁ ସନ୍ଥ, ମୁନିରୁଷି ଓ ଧାର୍ମିକ ବିଶାରଦ ମାନଙ୍କ ସୁରକ୍ଷିତ ସ୍ନାନ ନିମନ୍ତେ ସ୍ବତନ୍ତ୍ର ଆର୍ଥିକ ବ୍ୟୟ ବରାଦ କରି ଏହାର ଶୋଭା ବର୍ଦ୍ଧନ କରି ଲୋକପ୍ରିୟତାର ଶୀର୍ଷକୁ ଛୁଇଁ ପାରିଛି। ସେହିପରି ଓଡ଼ିଶାର ବରଗଡ ଠାରେ ଅନୁଷ୍ଠିତ ହେଉଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇ ଏହାର ପ୍ରଚାର ଓ ପ୍ରସାର କରିବା ଦିଗରେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଦ୍ବାଦଶ ଶତାଦ୍ଦୀର ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡର ପ୍ରଚାର ଓ ପ୍ରସାର କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରାଯାଇନାହିଁ। ଫଳରେ ପ୍ରଚାର ଓ ପ୍ରସାର ଅଭାବରୁ ପ୍ରାଚୀନ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ଜନମାନସରେ ଲୋକପ୍ରିୟତା ଅର୍ଜନ କରିବା ପରିବର୍ତ୍ତେ ବିଲୁପ୍ତ ହେବାକୁ ବସିଛି ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସେବାୟତ ସମାଜ, ଐତିହ୍ୟ ବିଶାରଦ ଓ କୋଣାର୍କ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ମହଲରେ ଆଲୋଚନା ହେଉଛି। ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡକୁ ଭାରତ ବର୍ଷର କୋଣ ଅନୁକୋଣରେ ଲୋକପ୍ରିୟତା ହାସଲ କରିବା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ସ୍ବତନ୍ତ୍ର  ସ୍ଥାୟୀ ଆର୍ଥିକ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଗବେଷକ ସଂଜୟ କୁମାର ବରାଳ, ବରିଷ୍ଠ ଐତିହାସିକ ଓ ସଂସ୍କୃତି ଗବେଷଣା ଅଧିକାରୀ ସୁରେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ସମାଜସେବୀ ହରିଶ୍ଚନ୍ଦ୍ର ଦାଶ ଓ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ସମେତ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.