ଅଚଳ ହୋଇପଡିଛି ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ। ପର୍ଯ୍ୟଟକ ନିରାଶ।
କୋଣାର୍କ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକର୍ମରେ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ଶୈଳକୁ ପ୍ରଦର୍ଶିତ କରି ପର୍ଯ୍ୟଟକମାନଙ୍କୁ ଅବଗତ କରା ଯାଉଥିଲା। ୮ ଗୋଟି ପ୍ରୋଜେକ୍ଟରମାଧ୍ୟମରେ ୪୫ ମିନିଟ୍ ସମୟର ଏହି କାର୍ଯ୍ୟକ୍ରମ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ବେଶ୍ ଆଦୃତ ହେବା ସହ ପର୍ଯ୍ୟଟନ ବିଭାଗର ଭଲ ଆୟ ହେଉଥିବା ଜଣାପଡିଛି। ହେଲେ ଦୁଃଖର ବିଷୟ ପୂର୍ବରୁ ୫ଟି ପ୍ରୋଜେକ୍ଟର ଖରାପ ହୋଇଥିବା ବେଳେ ଏବେ ସଂପୂର୍ଣ୍ଣ ୮ଟି ଯାକ ପ୍ରୋଜେକ୍ଟେର ଖରାପ ହୋଇ ପନ୍ଦର ଦିନ ଧରି ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ଅଚଳ ହୋଇ ପଡି ରହିଛି। ଯାହାକି ଅର୍କ କ୍ଷେତ୍ର କୋଣାର୍କକୁ ଦେଶ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଯେଉଁ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ଦିନେ କୋଣାର୍କର ଇତିହାସକୁ ପର୍ଯ୍ୟଟକଙ୍କ ଆଗରେ ଉପସ୍ଥାପନ କରି ଅନେକ ପ୍ରଶଂସା ସାଉଁଟୁଥିଲା ସେଇ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମର ଏପରି ଜରାଜୀର୍ଣ୍ଣ ଅବସ୍ଥା ପ୍ରଶାସନ ଓ ବୁଦ୍ଧିଜୀବୀ ମାନଙ୍କୁ ସତେ ଯେପରି ଦୃଶ୍ଯମାନ ହେଉନଥିବା ଭଳି ମନେ ହେଉଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ନିଦାବିଷ୍ଣୁ ପରି ଚୁପ୍ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତୁରନ୍ତ ଜିଲ୍ଲାପାଳ ଓ ବିଭାଗିୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ପ୍ରକାଶ ପାଇଛି।