ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ମିଳିବ ନାହିଁ ଅନୁମତି।

ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ରାଜ୍ୟର ଅଭିଭାବକମାନଙ୍କ ପାଇଁ ବଡ଼ ଖବର ଆସିଛି। ‘ଜାତୀୟ ଶିକ୍ଷା ନୀତି-୨୦୨୦’କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଏଥିରେ କୁହାଯାଇଛି ଯେ, ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବ। ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟର ସବୁ ସରକାରୀ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ, ଯେଉଁଠି ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ। ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟ ସରକାର ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ‘ଜାତୀୟ ଶିକ୍ଷା ନୀତି-୨୦୨୦’ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ବୟସ ୬ବର୍ଷ ହୋଇଥିବା ଜରୁରୀ। ଶିକ୍ଷାବର୍ଷର ସେପ୍ଟେମ୍ବର ପହିଲା ସୁଦ୍ଧା ପିଲାର ବୟସ ୬ବର୍ଷରୁ ଊର୍ଦ୍ଧ୍ବ ହେବା ଆବଶ୍ୟକ। ୨୦୨୫-୨୬ ଶିକ୍ଷାବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ଅତିରିକ୍ତ ପ୍ରି ସ୍କୁଲ ଶ୍ରେଣୀ ଖୋଲିବ, ଯାହାକି ‘ଶିଶୁବାଟିକା’ ନାମରେ ନାମିତ ହେବ ଓ ସେଠାରେ ୫-୬ବର୍ଷ ବୟସର ପିଲାମାନେ ନାମଲେଖାଇ ପାରିବେ।

Leave A Reply

Your email address will not be published.