ଅସ୍ତରଙ୍ଗ ରେ ଡଲଫିନ ଗଣନା
:-୩ ଦିନ ବ୍ୟାପି ୪ଟି ଟିମ୍ ଗଣନା କରିବେ
ଅସ୍ତରଙ୍ଗ/ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ତିନି ଦିନ ଧରି ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀରେ ଓ ସମୁଦ୍ରରେ ବିରଳ ଡଲଫିନଙ୍କ ସଂଖ୍ୟା ବନବିଭାଗ ପକ୍ଷରୁ ଗଣନା ଜାରୀ ରହିବ। ନଦୀ ସମୁଦ୍ର ଘେରା ଅସ୍ତରଙ୍ଗ ଅଞ୍ଚଳ। ଏଠାରେ ପ୍ରବାବିତ ଦେବୀ ନଦୀ ସମୁଦ୍ର ମଧ୍ୟଦେଇ ବଙ୍ଗୋପସାଗର ସହିତ ମିଶିଛି। ଏଠାରେ ରହିଥିବା ହେନ୍ତାଳ ଜଙ୍ଗଲ ବନ୍ୟ ପ୍ରାଣୀଙ୍କ ପାଇଁ ପାଲଟିଛି ଅଭୟାରଣ୍ୟ। ବିଶେଷ ଭାବରେ ଶୀତଋତୁ ଆସିଲେ ଦେବୀ ନଦୀ ପାର୍ଶ୍ଵବର୍ତ୍ତୀ ସମୁଦ୍ରରେ ବିଭିନ୍ନ ପ୍ରଜାତିର ଡଲଫିନ ଦେଖିବାକୁ ମିଳେ। ପୁରୀ ଜିଲ୍ଲା ବନଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ରେ ସୋମବାର ସକାଳ ୬ଟାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଡଲଫିନ ଗଣନା ହୋଇଥିଲା। ଚଳିତ ବର୍ଷ ଅସ୍ତରଙ୍ଗ ବନ୍ୟପ୍ରାଣୀ ଅଞ୍ଚଳରେ ୪ଟି ଟିମ୍ ରେ ବିଭକ୍ତ କରାଯାଇଥିବା ବେଳେ ୨ଟି ଟିମ୍ ଜଳଭାଗରେ ଓ ୨ଟି ଟିମ୍ ସ୍ଥଳଭାଗରେ ଗଣନା କରିଥିଲେ। ଏହି ଗଣନା ୩ ଦିନ ବ୍ୟାପି ଯଥା ୨୦, ୨୧ଓ ୨୨ତାରିଖ ପର୍ଯ୍ୟନ୍ତ ହେବ। ଗଙ୍ଗାଦେବୀ ଠାରୁ ଜାହାନିଆ ରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର ଓ ବନରକ୍ଷୀ ମିଲନ କୁମାର ମୁଦୁଲି, ଦେବୀ ମୁହାଁଣ ରୁ ଗଙ୍ଗାଦେବୀ ବନପାଳ ମାନସ ରଞ୍ଜନ ବେହେରା ଓ ବନରକ୍ଷୀ, ଜାହାନିଆ ରୁ ଡ଼ାଳୁଅକଣି ବନପାଳ ବବୁଲ ମଲ୍ଲିକ,ବନରକ୍ଷୀ ନିର୍ମଳ କୁମାର ଚାଟାର୍ଜି, ଡ଼ାଳୁଅକଣି ରୁ କେଳୁଣୀ ମୁହାଁଣ ବନରକ୍ଷୀ ସୁଭାଶିଷ ବିଶ୍ୱାଳ ଓ ବନରକ୍ଷୀ ଦିଲ୍ଲୀପ ନାୟକ ପ୍ରମୁଖ ଗଣନା କାର୍ଯ୍ୟରେ ଥିବା ସହିତ ଟିମରେ ଡଲଫିନ ବିଶେଷଜ୍ଞ ଓ ସ୍ବେଛାସେବୀ ସାମିଲ ହୋଇଥିଲେ। ଗଣନାକାରୀ ମାନେ ମୋଟର ବୋଟରେ ଯିବା ସହିତ ଭିଡ଼ିଓ ଗ୍ରାଫିକ୍ସ, ଫୋଟ ଗ୍ରାଫିକ୍ସ ଏବଂ ବାଇନା କୁଲାର ତାହା ସହିତ ଜି ପି ଏସ ବ୍ୟବହାର କରି ଗଣନା କରାଯାଉଛି। ବିଭିନ୍ନ ସମୟରେ ଅସ୍ତରଙ୍ଗ ସମୁଦ୍ର କୂଳରେ ସଂଖ୍ୟାଧିକ ଇରୱାଡି ଓ ବଟଲ ନୋଜ ଓ ହମ୍ପକ୍ୟାମ୍ପ ପ୍ରଜାତିର ଡଲଫିନ ଆସି ବୁଲୁଥିବା ନଜିର ରହିଛି। ତେଣୁ ଅସ୍ତରଙ୍ଗ ପାର୍ଶ୍ୱବର୍ତ୍ତୀ ସମୁଦ୍ରରେ ଡଲଫିନ ସଂଖ୍ୟା ଗଣନା ବେଳେ ଅଧିକ ପ୍ରଜାତିର ଏହି ଡଲଫିନ ଦେଖିବାକୁ ମିଳିବ ବୋଲି ଜଣା ପଡୁଛି।