ମହିଳା ସଶକ୍ତୀକରଣରେ ମାଇଲଖୁଣ୍ଟ: ମୁଖ୍ୟମନ୍ତ୍ରୀ

ରାୟଗଡ଼ା/ଭୁବନେଶ୍ୱର ୧୯-୦୧-୨୦୨୫(ପିପିଏସ ) : ସ୍ବାମୀତ୍ବ ଯୋଜନାରେ ଇ-ସଂପତ୍ତି କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ଼ାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାୟଗଡ଼ା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ୧୦ଜଣ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧବ ହିକକା ଓ ଜିଲ୍ଲାପାଳ ପାରୁଲ ପଟାୱରୀ ପ୍ରମୁଖ ମଞ୍ଚାସୀନ ଥିଲେ। ରାୟଗଡ଼ା ତହସିଲ ଅଧୀନରେ ୨୧୨ଜଣ ଓ କୋଲନରା ତହସିଲରୁ ୩୦ଜଣଙ୍କୁ ଏହି ଯୋଜନା ନିମନ୍ତେ ଚିହ୍ନଟ କରାଯାଇଛି।

ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡ ବଣ୍ଟନ

ମୁଖ୍ୟମନ୍ତ୍ରୀ କହିଥିଲେ ୨୦୨୦ ଏପ୍ରିଲ ୨୯ତାରିଖ ଜାତୀୟ ପଞ୍ଚାୟତ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶାରେ ଯୋଜନା କାର୍ଯ୍ୟକାରୀ କରିବାକୁ ୨୦୨୧ ଫେବ୍ରୁଆରି ୫ରେ ଭାରତୀୟ ସର୍ବେକ୍ଷଣ ବିଭାଗ ସହିତ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ରାୟଗଡ଼ା, ଝାରସୁଗୁଡ଼ା, ଗଜପତି, ଢେଙ୍କାନାଳ ଏବଂ ନବରଙ୍ଗପୁରର ମୋଟ ୩୦୩୯ ଗାଁରେ ଯୋଜନା ଆରମ୍ଭ ହୋଇଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୨୭୨୧ ଗାଁରେ ସର୍ଭେ ସଂପୂର୍ଣ୍ଣ ହୋଇଛି। ଡ୍ରୋନ୍‌ ସର୍ଭେ ଅନୁସାରେ ୧୭୮୫ ଗାଁର ୩୯୭୪ ମ୍ୟାପ-୧କୁ ଭୂମିର ସତ୍ୟତା ଏବଂ ଯାଞ୍ଚ ପାଇଁ ସମ୍ପୃକ୍ତ ଜିଲ୍ଲାକୁ ପ୍ରେରଣ କରିଛନ୍ତି। ରାୟଗଡ଼ା ଜିଲ୍ଲାର ୨୪୬୨ ମୌଜା ଏବଂ ୨୭୯ ପଡ଼ାରେ ଡ୍ରୋନ୍‌ ସର୍ଭେ ସରିଛି। ସମୁଦାୟ ୨୮୭୦ଜଣଙ୍କୁ ସମ୍ପତ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇସାରିଛି। ପରିବାରର ମହିଳାଙ୍କ ନାମ ସମ୍ପତ୍ତି ପତ୍ରରେ ଯୋଡ଼ାଯିବା ଯୋଗୁଁ ମହିଳା ସଶକ୍ତୀକରଣ ଦିଗରେ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାୟଗଡ଼ା ଜିଲ୍ଲାର ହିତାଧିକାରୀ ଗଜେନ୍ଦ୍ର ସଂଗୀତା କଥାବର୍ତ୍ତା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଥରେ ସମ୍ପତ୍ତି ପତ୍ର ହାତକୁ ଆସିଯିବା ପରେ ବ୍ୟାଙ୍କ ଋଣ ଏବଂ ଅନ୍ୟାନ୍ୟ ସୁବିଧା ସହଜରେ ଉପଲବ୍ଧ ହେବ। କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନାରେ ୬ହଜାର ଟଙ୍କା ଓ ରାଜ୍ୟ ସରକାର ସିଏମ୍‌ କିଷାନ ଯୋଜନାରେ ୪ହଜାର ଟଙ୍କା ଦେଉଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। ପୁରୁଷଙ୍କ ପାଇଁ ୫ଲକ୍ଷ, ମହିଳାଙ୍କ ନିମନ୍ତେ ୧୦ଲକ୍ଷ ଟଙ୍କା ଓ ବରିଷ୍ଠ ନାଗରିକଙ୍କ ନିମନ୍ତେ ୧୫ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ସରକାର ଦେବେ। ପ୍ରତ୍ୟେକ ଏଏନ୍‌ଏମ୍‌ ସେଣ୍ଟର ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସ୍‌ପି ସ୍ବାଥୀ ଏସ୍‌. କୁମାରଙ୍କ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦିଶା ଶତପଥୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ, ବିଜେପି ନେତା କାଳୀରାମ ମାଝି, ଶିବ ଶଙ୍କର ଉଲାକା, ପଦ୍ମନାଭ ଦାଶ, ଗୋପୀ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.